Unknown

 

 

 

 

 

 

 

 

କଥା-କଦମ୍ୱ

(ପ୍ରଥମ ଭାଗ)

ଶ୍ରୀ ଦୟାନିଧି ମିଶ୍ର

 

 

 

 

 

 

ଉତ୍ସର୍ଗ ପତ୍ର

 

‘‘ମୁକୁର’’ର ସୁଯୋଗ୍ୟ ସମ୍ପାଦକ

ଶ୍ରୀଯୁକ୍ତ ବ୍ରଜସୁନ୍ଦର ଦାସ

ବି.ଏ. ମହୋଦୟଙ୍କ

କରକମଳରେ

ଉତ୍ସୃଷ୍ଟ

•••

 

 

 

 

ଭୂମିକା

 

ଏହି ପୁସ୍ତିକାରେ ସନ୍ନିବିଷ୍ଟ ଗଳ୍ପଗୁଡ଼ିକ ‘ମୁକୁର’ ଓ ‘ଉତ୍କଳ-ସାହିତ୍ୟ’ରେ ପ୍ରଥମେ ପ୍ରକାଶିତ ହୋଇଥିଲା । ମୋର କେତେକ ସହୃଦୟ ବନ୍ଧୁ ସେଗୁଡ଼ିକୁ ପୁସ୍ତକାକାରରେ ଦେଖିବାକୁ ଇଚ୍ଛା ପ୍ରକାଶ କରିବାରୁ ଏହି ପୁସ୍ତକଟି ପ୍ରକାଶ କରିବାକୁ ସାହସୀ ହେଲି । ‘ମୁକୁର’ର ସୁଯୋଗ୍ୟ ସମ୍ପାଦକ ଶ୍ରୀଯୁକ୍ତ ବ୍ରଜସୁନ୍ଦର ଦାସ ବି.ଏ. ମହାଶୟ ମୋର ଗଳ୍ପଗୁଡ଼ିକ ସମ୍ବନ୍ଧରେ ଅନୁକୂଳ ମତବ୍ୟକ୍ତ କରି ମତେ ବିଶେଷ ଭାବରେ ଉତ୍ସାହିତ କରିଅଛନ୍ତି । ସେଥିନିମନ୍ତେ ମୁଁ ତାଙ୍କଠାରେ ଚିରରୁଣି ରହିଲି । ଇତି ।

 

ଶ୍ରୀ ଦୟାନିଧି ମିଶ୍ର

•••

 

ଆକର୍ଷଣ

(ସତ୍ୟଘଟଣାମୂଳକ ଗଳ୍ପ)

 

ଆଜି ପିଲାକାଳ କଥା ମନେ ପଡ଼ିଲେ କେତେବେଳେ ସୁଖ ହୁଏ, କେତେବେଳେ ବା ଦୁଃଖ ହୁଏ । ଯେତେବେଳେ କାମଦାମ କିଛି ନଥାଏ, ମଣିଷ ନିଶ୍ଚିନ୍ତ ହୋଇ ଘଡ଼ିଏ ବସିବାକୁ ଅବସର ପାଏ, ପିଲାଦିନର କେତେ ପୁରୁଣା କଥା ଆସି ମନେ ପଡ଼େ । ସେ ସବୁ ଭୁଲିବାକୁ ଯେତେ ଚେଷ୍ଟା କଲେ ସୁଦ୍ଧା ଭୁଲି ହୁଏ ନାହିଁ ।

 

‘‘ସ୍ମୃତି ତ କଦାପି ନୁହେଁ ଫିଙ୍ଗିବାର,

ଫିଙ୍ଗି ପାରିଲେ ସେ ଲଭନ୍ତା ନିସ୍ତାର ।’’

 

କମଳା ଘର ଆମ ଘରୁ ବେଶୀ ଦୂର ନୁହେଁ । ଆମ ଘରେ ଥାଇ ତାକୁ ଡାକିଲେ ଶୁଣି ପାରିବ । କମଳା ସବୁବେଳେ ଆମ ଘରେ ଥାଏ । ମା’ ତାକୁ କେତେ ଗେଲ କରନ୍ତି–କେତେ ଚିଜ ଖାଇବାକୁ ଦିଅନ୍ତି । ମୁଁ ମଧ୍ୟ ତା ଘରକୁ ଯାଏ । ସେଠାରେ ଖାଏ, ପିଏ, କେତେ ହସ କଉତୁକ କରେ । କମଳାର ମା’ ମତେ କେତେ ଆଦର କରନ୍ତି । ସେ ଯେତେବେଳେ ମତେ ‘ବାବା’ ବୋଲି ଡାକନ୍ତି, କମଳା ମୁରୁକି ମୁରୁକି ହସି କେତେ ଖୁସି ହୁଏ, ସେ ମତେ ଏତେ ଭଲ ପାଏ !

 

କମଳା ଆଉ ମୁଁ ଏକା ସାଙ୍ଗରେ ଖେଳୁ । ଦାଣ୍ଡଦୁଆରେ ବସି କେତେ ବାଲିଘର ଗଢ଼ୁ; ପୁଣି ସେସବୁ ଭାଙ୍ଗି ପକାଇ ନୂଆ ଘର ଗଢ଼ୁ । ସେତେବେଳେ ମନ ସବୁବେଳେ ପ୍ରଫୁଲ୍ଲ–ଖେଳିବା ପାଇଁ ଭାରି ଆଗ୍ରହ । ବିଧାତାଙ୍କ ଚବିଶିଘଣ୍ଟିଆ ଦିନ ମନକୁ ଆସେ ନାହିଁ । ଓଃ ! ବିଧାତାଙ୍କ ଦିନଗୁଡ଼ାକ ଏତେ ଲମ୍ବ ! କେତେବେଳେ ସରେ ନାହିଁ ! ସେଥିପାଇଁ ଆମ ମନକୁ ଆମେ ସାନ ସାନ ଦିନ ସୃଷ୍ଟି କରୁ । ସୂର୍ଯ୍ୟଙ୍କ ଉଦୟ ଅସ୍ତ ସଙ୍ଗେ ଆମ ଦିନର କୌଣସି ସମ୍ପର୍କ ନ ଥାଏ । ସୂର୍ଯ୍ୟ ଆକାଶରେ ଥିଲେ ସୁଦ୍ଧା ଆମ ଦିନ-ରାତି ହୁଏ । ବାଲିଘର ବନାଇ ଖେଳିବାବେଳେ ଆମେ ଦିନକ ମଧ୍ୟରେ କେତେ ଦିନରାତି କଟାଉ ! ଆଉ ସେ କଥା କାହିଁ ? ସେ ସ୍ୱପ୍ନମୟ ରାଜ୍ୟ ଖୋଜିଲେ ଆଉ କାହୁଁ ମିଳିବ !

 

ବଡ଼ି ଭୋରରୁ ଉଠି ଦିହେଁଯାକ ଆମ ବଗିଚାକୁ ଫୁଲ ତୋଳିବାକୁ ଯାଉ । ଆମ ବଗିଚାରେ ଗୋଟାଏ ଚମ୍ପାଗଛ ଅଛି । ବାପା ଗଛଟିକୁ କଟକରୁ କିଣି ଆଣି ବଗିଚାରେ ଲଗାଇଥିଲେ । ସେଥିରେ କେତେ ଫୁଲ ଫୁଟେ ! ସେ ଫୁଲ ଦେଖିଲେ ତୋଳିବା ପାଇଁ ଇଚ୍ଛା ହୁଏ ନାହିଁ । ଫୁଲଗୁଡ଼ିକ ସବୁ ସତେଜ; ଯେପରି ସୂର୍ଯ୍ୟ, ପବନ ଓ ପାଣି ତିନିହେଁ ମିଶି ସେସବୁକୁ ସତେଜ କରୁଅଛନ୍ତି । ଏପରି ଫୁଲ ତୋଳିବାକୁ କାହା ମନ ବଳିବ ? ଫୁଲକୁ ଛିଣ୍ଡାଇ ପକାଇଲେ ଫୁଲ ମନରେ କଷ୍ଟ ହେବ ଯେ ! ତା’ ଦେହରୁ କେତେ ରକ୍ତ ବାହାରିବ ! ହସିଲା ଫୁଲଟି କାନ୍ଦି ପକାଇବ । ନା, ନା, ଦିଅଁ ଘେନିବେ ପରା ! ଦିଅଁଙ୍କ ପାଇଁ ସେ କାମ କରିବାକୁ ହେବ । କମଳା ଓ ମୁଁ ଚମ୍ପାଗଛ ଉପରକୁ ଉଠି ଗୀତ ଗାଇ ଗାଇ ଫୁଲ ତୋଳୁ । ଫୁଲ ନେଇ ଘରେ ମାଳ ଗୁନ୍ଥୁ । କମଳା ମୋଠାରୁ ଭଲ ମାଳ ଗୁନ୍ଥି ଜାଣେ । ତା ଫୁଲମାଳଟିକି ମତେ ଦିଏ । ମୋ ଫୁଲମାଳଟି ମୁଁ ତାକୁ ଦିଏ । ଫୁଲମାଳ ଧରି ଦିହେଁଯାକ ଆମ ଗାଁ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରକୁ ଯାଉ, ଠାକୁରଙ୍କୁ ମାଳା ପିନ୍ଧାଇ ହସି ହସି ଘରକୁ ବାହୁଡ଼ି ଆସୁ ।

 

ଦିନେ ଆମେ ଚମ୍ପାଗଛରୁ ଫୁଲ ତୋଳି ଆସୁଥିଲୁ, ପଞ୍ଝାଏ ଟୋକା ଆସି କହିଲେ, ‘‘କାଲି ଦେଖିବ, ସବୁ ଆମେ ନେଇ ଯାଇଥିବୁ, ତୁମେ ଆସିଲାବେଳକୁ ଗଛରେ ଗୋଟାଏ ହେଲେ ଫୁଲ ନ ଥିବ ।’’ ସେମାନଙ୍କ କଥା ଶୁଣି ମୋ ମନରେ ଭାରି କଷ୍ଟ ହେଲା । କମଳା ମୁହଁକୁ ଶୁଖେଇ ଦେଇ ମୋ ମୁହଁକୁ ଅନେଇଲା । କମଳାର କଷ୍ଟ ଦେଖି ମୋ ମନରେ ଟିକିଏ ରାଗ ହେଲା । ଆଚ୍ଛା-! ଦେଖିବା, ସେମାନେ କିମିତି ଆସି ଫୁଲ ନେଇଯିବେ ! ଦୁହେଁ ପ୍ରତିଜ୍ଞା କଲୁ ଯେ, ଆରଦିନ ରାତି ଚାରିଟାବେଳେ ଆସି ଫୁଲତକ ନେଇଯିବା ।

 

ସେ ଦିନ ରାତିରେ ଆଉ ଆଖିରେ ନିଦ ନାହିଁ । କେତେବେଳେ ଚାରିଟା ବାଜିବ । ପିଲାଏ ଆସି ବଗିଚାରୁ ଫୁଲ ନେଇଯିବେ ପରା ? ତାହାହେଲେ ଆମେ କଣ ତୋଳିବୁ ? ଦିଅଁ କଣ ଆମ ହାତର ଫୁଲ ପିନ୍ଧିବେ ନାହିଁ ? ଆମେ କି ଦୋଷ କଲୁ ? ବାର ବର୍ଷର ତପସ୍ୟା କ’ଣ ଶୁଖୁଆପୋଡ଼ାରେ ଚାଲିଯିବ ? ଏପରି ଭାବି ଭାବି ମନ ଆକୁଳ ହୋଇଗଲା । ଆଖିରେ ଆଉ ଜମା କଷା ହେଲାନାହିଁ । ଖଟ ଉପରେ ଏ କଡ଼ ସେ କଡ଼ ହୋଇ ଛଟପଟ ହେଉଥାଏ ।

 

ଯିମିତି ଚାରିଟା ବାଜିଲା, ମୋ ଶୋଇବା ଘର କବାଟଟି ଖୁଡ଼୍‍ କରି ଶବ୍ଦ କଲା । ଦ୍ୱାର ଖୋଲି ଦେଖେ ଯେ କମଳା ! ତାକୁ ସେପରି ଭାବରେ ରାତିରେ ଆସିବାର ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ତେବେ କ’ଣ କମଳା ମଧ୍ୟ ମୋ ପରି ରାତିଯାକ ଶୋଇନାହିଁ ? ଫୁଲ ତୋଳିବା ପାଇଁ ତା’ର ଏତେ ଆଗ୍ରହ ? ମୁଁ ତାକୁ କିଛି ନ କହି ଚାଦର ଖଣ୍ଡି ଘୋଡ଼େଇ ହୋଇ ତା ସଙ୍ଗରେ ବଗିଚାକୁ ଗଲି ।

 

ସେତେବେଳକୁ ଆକାଶରେ ଚନ୍ଦ୍ର ଥିଲେ । ତାରାଗୁଡ଼ିକ ହୀରାଫୁଲ ଫୁଟିଲା ପରି ଆକାଶରେ ଜୁଳୁ ଜୁଳୁ ଦିଶୁଥାନ୍ତି । ପାହାନ୍ତିଆ ପବନ ଫୁଲରେଣୁ ଉଡ଼ାଇ ବଗିଚାଯାକ ମହକାଇ ସୁଲୁ ସୁଲୁ ବହୁଥିଲା । ଚମ୍ପାଫୁଲଗୁଡ଼ିକ ବୃନ୍ତାସନରେ ବସି ପବନ-ଦୋଳାରେ ଦୋଳୁଥିଲେ । ବଗିଚାରେ ଚାରିଆଡ଼େ ଚନ୍ଦ୍ର-କିରଣ ହସୁଥିଲା । ଫୁଲ ଉପରେ ଚନ୍ଦ୍ରକିରଣ, ପତ୍ର ଉପରେ ଚନ୍ଦ୍ରକିରଣ, ସବୁଠେଇଁ ଚନ୍ଦ୍ରକିରଣ । ଯେଉଁଠି ଚନ୍ଦ୍ରକିରଣ ପଡ଼ୁଥିଲା, ନିଜେ ହସି ପରକୁ ହସାଉଥିଲା । ବଗିଚାଟି ଯେପରି ଚନ୍ଦ୍ରର ରାଜ୍ୟ ।

 

କିନ୍ତୁ ଏ ସବୁ ଦେଖିବା ପାଇଁ ଆମ ଆଖି କାହିଁ ? ଆମ ମନ ରହିଲା ଫୁଲ ତୋଳିବା ଉପରେ । କାଳେ ଟୋକାଏ ଆସି ଫୁଲ ନେଇ ଯାଇଥିବେ ! ବଗିଚାରେ ପହଞ୍ଚିଲାକ୍ଷଣି ଦୁହେଁଯାକ ମାଙ୍କଡ଼ ପରି ଗଛ ଉପରକୁ ଚଢ଼ିଗଲୁ । କମଳା ଗୋଟିଏ ଶାଖାରେ ବସି ଫୁଲ ତୋଳିଲା; ମୁଁ ଆଉ ଗୋଟିଏ ଶାଖାରେ ବସି ଫୁଲ ତୋଳିବାକୁ ଲାଗିଲି ।

 

ମୋ ପାଖର ଫୁଲତକ ତୋଳି ସାରି କମଳା ଯେଉଁ ଡାଳରେ ବସି ଫୁଲ ତୋଳୁଥିଲା, ସେଠିକି ଗଲି । ସେଠିକି ଯାଇ ଦେଖିଲି ଯେ, ଅଗ ଡାଳର ଫୁଲଗୁଡ଼ାକ କମଳା ତୋଳି ପାରୁ ନାହିଁ-। ମତେ ଦେଖି ସେ ଘୁଞ୍ଚିଗଲା ଓ କହିଲା, ‘‘ତୁମେ ସେଠାକୁ ଯାଅନା, ସରୁ ଡାଳ ଭାଙ୍ଗିଯିବ ।’’

 

ମୁଁ କିନ୍ତୁ ତା କଥା ଶୁଣିଲି ନାହିଁ । ଆଜି ବଗିଚାରେ ଗୋଟାଏ ସୁଦ୍ଧା ଫୁଲ ରଖିବାକୁ ଦେବି ନାହିଁ । ଆଜି ଫୁଲଯାକ ଦିଅଁ ପିନ୍ଧିବେ, ଆଉ କେହି ନେଇ ପାରିବେ ନାହିଁ । ସେଥିପାଇଁ କମଳା କଥା ନ ଶୁଣି ଡାଳ ଉପରକୁ ଉଠିଲି । ଖୁବ୍‌ ସାବଧାନ ହୋଇ ଫୁଲସବୁ ତୋଳିଲି; କିନ୍ତୁ ଗୋଟାଏ ଫୁଲ ରହିଗଲା । ଯେତେ ଚେଷ୍ଟା କଲେ ସୁଦ୍ଧା ସେ ଫୁଲଟି ତୋଳି ପାରିଲି ନାହିଁ । ଆଉ ଟିକିଏ ଉପରକୁ ଉଠିଲି । ଯେଉଁ ଡାଳରେ ଫୁଲଟି ଥିଲା, ହାତ ଲମ୍ବାଇ ସେ ଡାଳଟି ଧଇଲି । ଡାଳ ଉପରେ ହାତ ଦେଇ ଧୀରେ ଧୀରେ ଫୁଲ ନିକଟକୁ ହାତ ନେବା ପାଇଁ ଚେଷ୍ଟା କଲି । ଫୁଲଟି ଠିକ୍‌ ଛୁଇଁବାକୁ ଯାଉଛି, ଡାଳ ଭାଙ୍ଗିଗଲା । ଡାଳ ଭାଙ୍ଗିବା ସଙ୍ଗେ ସଙ୍ଗେ ମୁଁ ଯେଉଁ ଡାଳଟି ହାତରେ ଧରିଥିଲି, ସେ ଡାଳ ମଧ୍ୟ ଭାଙ୍ଗିଗଲା । ଆଉ ଆଶ୍ରୟ କାହିଁ ? ଭୂମି ଉପରେ ଦୁମ୍‌ କରି କଚାଡ଼ି ପଡ଼ିଲି । ଦେହ ମୁଣ୍ଡ ସବୁ ଖଣ୍ଡିଆ ହୋଇଗଲା । ପ୍ରାୟ ଦୁଇ ମିନିଟ ପରେ ଅଚେତ ହୋଇଗଲି । ତା’ପରେ ଆଉ କ’ଣ ହେଲା, ଜାଣେ ନାହିଁ ।

 

 

ଯେତେବେଳେ ମୋର ଚେତନା ହେଲା, ଦେଖିଲି ଯେ ମୁଁ ଗୋଟିଏ କୋଠରୀରେ ଖଟ ଉପରେ ଶୋଇଛି । ମୋ’ ପାଖରେ ଜଣେ ସାହେବ ଚଉକି ଉପରେ ବସିଛନ୍ତି । ବାପା ମଧ୍ୟ ଆଉ ଗୋଟାଏ ଚଉକିରେ ସାହେବ ପାଖରେ ବସିଛନ୍ତି । ମୁଁ ଯିମିତି ଆଖି ମେଲି ଚାହିଁଲି, ସାହେବ ଇଂରେଜୀରେ କଟର ମଟର କରି ବାପାଙ୍କୁ କ’ଣ କହିଲେ । ବାପା ମଧ୍ୟ ସାହେବଙ୍କୁ ଇଂରେଜୀରେ ଜବାବ ଦେଲେ । ପରେ ସାହେବ ବାପାଙ୍କୁ ଆଉ କ’ଣ କହି ଧୀରେ ଧୀରେ ଚାଲିଗଲେ ।

 

ସାହେବ ଚାଲିଗଲା ପରେ ମା’ ଓ ବୋହୂ ଦୁହେଁଯାକ କୋଠରୀ ଭିତରକୁ ଆସିଲେ । ମା’ ମୁଣ୍ଡ ପାଖରେ ବସି ମୋ ମୁଣ୍ଡ ଆଉଁସିବାକୁ ଲାଗିଲେ । ବୋହୂ ପିଠି ପାଖରେ ବସି ପିଠି ଆଉଁସିଲେ ।

 

ଆଜି ମା’–ବୋହୂ ଦୁହିଁଙ୍କ ଆଖିରେ ଲୁହ । ବାପା ମଧ୍ୟ କାନ୍ଦୁଛନ୍ତି । ମୁଁ ଏଥିର କାରଣ କିଛି ବୁଝି ପାରିଲି ନାହିଁ । ମୁଁ କେଉଁଠି ଅଛି, ସେଠାକୁ କିପରି ଆସିଲି, ଏ ସବୁ ଜାଣିବା ପାଇଁ ମୋର ଭାରି ଆଗ୍ରହ ହେଲା । କିନ୍ତୁ ଯେତେ ଚେଷ୍ଟା କଲେ ସୁଦ୍ଧା ଜାଣି ପାରିଲି ନାହିଁ ।

 

ମା’ଙ୍କୁ କ’ଣ କରିବାକୁ ଆଦେଶ ଦେଇ ବାପା କୋଠରୀରୁ ଚାଲିଗଲେ । ବୋହୂ ଏକା ମୋ ପାଖରେ ରହିଲେ । ତାଙ୍କ ଆଖିରୁ ଝର ଝର ଲୁହ ଗଡ଼ୁଛି । ସବୁବେଳେ ମୋ ଦେହକୁ ଆଉଁସୁଛନ୍ତି । ବାପା ମା’ ଚାଲି ଯିବାରୁ ମୁଁ ବୋହୂଙ୍କୁ ପଚାରିଲି, ‘‘ବୋହୂ, ଆମେ ଏଠିକି କାହିଁକି ଆସିଛୁ ? ଏଠିକି ଆମକୁ କିଏ ଆଣିଲା ?’’

 

ମୋ କଥା ଶୁଣି ବୋହୂ ଆହୁରି କାନ୍ଦିଲେ । ପଣନ୍ତରେ ଲୁହ ପୋଛି ପୋଛି କହିଲେ, ‘‘ଡ଼ାକ୍ତର ମନା କରିଛନ୍ତି ।’’ ସତକୁ ସତ, ବୋହୂଙ୍କ ମୁହଁରୁ କଥା ନ ସରୁଣୁ ମୋ ଦେହଯାକ ଭାରି ପୋଡ଼ିବାକୁ ଲାଗିଲା । ଘା’ରୁ ରକ୍ତ ବାହାରିବାକୁ ଲାଗିଲା । ମୁଁ ପୁଣି ଅଚେତ ହୋଇପଡ଼ିଲି ।

 

ଏପରି କେତେବେଳ ଯାଏ ମୁଁ ଅଚେତ ହୋଇ ପଡ଼ିଲି, ଭଗବାନ ଜାଣନ୍ତି । କିନ୍ତୁ କେଜାଣି କାହିଁକି, ମତେ ସେ ଅବସ୍ଥାଟି ଭଲ ଲାଗିଲା । ଈଶ୍ୱରଙ୍କ ରାଜ୍ୟରେ ପ୍ରତ୍ୟେକ ପଦାର୍ଥର ଉପକାରିତା ଅଛି । ମୂର୍ଚ୍ଛା ମରଣ ସଙ୍ଗେ ସମାନ ହେଲେ ସୁଦ୍ଧା କ୍ଷଣକପାଇଁ ମନୁଷ୍ୟକୁ ସଂସାରର ଦୁଃଖସୁଖରୁ ଅନେକ ଦୂରକୁ ନେଇଯାଏ । ଯେଉଁ ବିଷ ମନୁଷ୍ୟର ପ୍ରାଣ ନିଏ, ସେହି ବିଷ ପୁଣି ଔଷଧ ରୂପେ ମନୁଷ୍ୟକୁ ରକ୍ଷା କରେ । ଭଗବାନଙ୍କ ଲୀଳା କିଏ ବୁଝି ପାରିବ ? ମୁଁ ଯେତେବେଳେ ଯାଏ ମୂର୍ଚ୍ଚିତ ଅବସ୍ଥାରେ ଥିଲି, ମୋର ଦୁଃଖ-ସୁଖ-ଜ୍ଞାନ ନଥିଲା । ସେତେବେଳେ ମୁଁ କେଉଁ ରାଜ୍ୟରେ ବୁଲୁଥିଲି, ଭଗବାନ ଜାଣନ୍ତି ।

 

କିନ୍ତୁ ବେଶି ବେଳଯାଏ ଏ ସୁଖ ଭୋଗ କରି ପାରିଲି ନାହିଁ । ପୁଣି ଶୀଘ୍ର ମୋର ଚେତନା ହେଲା । ଆଖି ଖୋଲି ଦେଖିଲି ଯେ, ମା’ ଘା ସବୁ ଧୋଇ କରି ସେଥିରେ ମଲମ ଲଗାଉଛନ୍ତି । ବୋହୂ ପଙ୍ଖା ଧରି ବିଞ୍ଚୁଛନ୍ତି ।

 

ଏପରି ମୂର୍ଚ୍ଛା ଓ ଚେତନାର କେତେ ଅଭିନୟ ହେଲା, ଲେଖିବାକୁ ଶକ୍ତି ନାହିଁ । ସେ କଥା ଆଜି ମନେ ପଡ଼ିଲେ ଲେଖନି ଥରିଯାଉଛି ! ହୃଦୟ ଅବସନ୍ନ ହୋଇ ଯାଉଛି ! ଆଖିରୁ ଅବିଶ୍ରାନ୍ତ ଲୁହ ଗଡ଼ୁଛି ! ଓଃ ! ଦୁଃଖର ସମୟ ଏତେ କଠିନ–ଏତେ ନିଷ୍ଠୁର ! ଭଗବାନ ଏ ଦୁଃଖ ମଧ୍ୟରେ କି ସୁଖ ନିହିତ କରି ଅଛନ୍ତି, କିଏ କହିପାରେ ?

 

 

ମନୁଷ୍ୟର ଅବସ୍ଥା ଚିରଦିନ ସମାନ ନ ଥାଏ । ଦୁଃଖ ପରେ ସୁଖ ସୁଖ ପରେ ଦୁଃଖ ଲାଗିଛି । ‘‘ଚକ୍ରବତ୍‌ ପରିବର୍ତ୍ତନ୍ତେ ଦୁଃଖାନି ଚ ସୁଖାନି ଚ’’ । ମୋର ଦୁଃଖ ମଧ୍ୟ ବେଶି ଦିନ ରହି ନ ଥିଲା । ଭଗବାନଙ୍କ କୃପାରୁ ମୁଁ ଶୀଘ୍ର ଆରୋଗ୍ୟ ଲାଭ କଲି ।

 

ସେ ଆଜି ଅନେକ ଦିନର କଥା । ଏଥି ମଧ୍ୟରେ ଅନେକ ପରିବର୍ତ୍ତନ ହୋଇ ଗଲାଣି । ବାପା ମତେ ଆଉ ଗାଁକୁ ଛାଡ଼ୁ ନାହାନ୍ତି । ତାଙ୍କ ସଙ୍ଗେ କଟକରେ ରହି ପାଠ ପଢ଼ୁଛି । ମା’ ହେରିକା ମୋ ଦେହ ଭଲ ହେଲାରୁ ଗାଁକୁ ଚାଲିଗଲେ । ବାପା କଟକରେ ଓକିଲାତି କରନ୍ତି । ଗାଁରେ ଜମିଦାରୀ ବୁଝିବା ପାଇଁ କେହି ନଥିବାରୁ ମା’ କଟକକୁ ଆସି ପାରନ୍ତି ନାହିଁ । ଭାଇ ଏ ବର୍ଷ B. A. ପାସ୍‌ କରି କଲିକତାରେ M. A. ପଢ଼ୁଛନ୍ତି । ମୁଁ Matriculation ପାସ୍‌ କରି କଟକ କଲେଜରେ ପଢ଼ୁଛି ।

 

ମୁଁ ଚମ୍ପାଗଛରୁ କି ଲଗ୍ନରେ ପଡ଼ିଲି, କେଜାଣି, ପିଲାକାଳ କଥା ଆଉ ଜମା ମନେ ନାହିଁ-। ଗାଁକୁ ଯିବାପାଇଁ ଆଉ ଜମା ଇଚ୍ଛା ହେଉନାହିଁ । ବାପା ମଧ୍ୟ ମତେ ଆଉ ଗାଁକୁ ଛାଡ଼ି ଦେଉ ନାହାନ୍ତି । ମା’ ଯେତେ ଲେଖିଲେ ସୁଦ୍ଧା ବାପା ମାନୁ ନାହାନ୍ତି । ତାଙ୍କ ଇଚ୍ଛା–ପଢ଼ା ଶେଷ ହେବା ଯାଏ ମୁଁ କଟକରେ ରହିବି, ମୋର ମଧ୍ୟ ସେହି ଇଚ୍ଛା ।

 

ବାପା କଟକରେ କାହାରି ସଙ୍ଗେ ମତେ ମିଶିବାକୁ ଦିଅନ୍ତି ନାହିଁ । ସେ କହନ୍ତି–‘‘କଟକ ସହର କଳିର ରାଜଧାନୀ । ଏପରି ସ୍ଥାନରେ ପିଲାମାନଙ୍କୁ ଆକଟ କରି ରଖିବା ଉଚିତ ।’’ ମା’ ମଧ୍ୟ ଦିନେ କହୁଥିଲେ-‘‘କଟକ ସହର, ଦେଖିକରି ଚାଲିବ, ସେଠେଇଁ ମାଟି-ପଥର ମଧ୍ୟ କଥା କହନ୍ତି ।’’ ତେବେ କଟକରେ ସମସ୍ତେ ଯେ ଖରାପ, ଏ କଥା କିଏ କହିବ ? ସେ ଯାହାହେଉ, ବାପାଙ୍କ କଥା ମାନି ଚଳିବା ହିଁ ମୋର କାର୍ଯ୍ୟ ।

 

ଦିନେ ମୁଁ ଘରେ ବସି ପଢ଼ୁଛି, ଡ଼ାକବାଲା ଆସି ମୋ ହାତରେ ଚିଠି ଖଣ୍ଡିଏ ଦେଇଗଲା-। ଚିଠି ଖୋଲି ପଢ଼ିଲି; କିନ୍ତୁ ତହିଁର ଅର୍ଥ ବୁଝି ପାରିଲି ନାହିଁ । ଚିଠି କେଉଁଠାରୁ ଆସିଛି, କିଏ ଲେଖିଛି, କିଛି ଠିକ୍‌ କରି ପାରିଲି ନାହିଁ । ହସ୍ତାକ୍ଷର ଯେପରି ମୁଁ କେବେ ଦେଖିଛି । କି ସୁନ୍ଦର ମୁକ୍ତାପରି ଅକ୍ଷର ! ଅତୀତର ଗର୍ଭ ତନ୍ନ ତନ୍ନ କରି ଖୋଜିଲି, କିନ୍ତୁ କୌଣସିଠାରେ କିଛି ପାଇଲି ନାହିଁ । ଚିଠି କିଏ ଲେଖିଛି ? ମୋଠାକୁ କାହିଁକି ଲେଖିଛି ? ମୋ ସଙ୍ଗେ ତା’ର କି ସମ୍ପର୍କ ? ଏ ସବୁ ଜାଣିବାପାଇଁ ଅନେକ ଚେଷ୍ଟା କଲି, କିନ୍ତୁ କିଛି ଠିକ୍‌ କରି ପାରିଲି ନାହିଁ । ପୁଣି ଚିଠି ଖୋଲି ପଢ଼ିଲି–

 

‘‘ବିନୋଦ ବାବୁ,

 

ମୋର ପରିଚୟର ଭୂମିକା ଅନାବଶ୍ୟକ । ବର୍ତ୍ତମାନ ମୋର ଅନ୍ତିମ କାଳ ଉପସ୍ଥିତ । ତୁମ୍ଭଙ୍କୁ ଦେଖିବା ପାଇଁ ମୋ ମନ ଅତିଶୟ ବ୍ୟାକୁଳ । ଯଦି ପୂର୍ବ ପରିଚୟର ଆଦର ଥାଏ, ଶୀଘ୍ର ଆସି ମୋର ଉତ୍କଣ୍ଠା ଦୂର କରିବ । ଇତି ।

ତୁମ୍ଭର

କ–’’

 

ଚିଠି ପଢ଼ି ମୋ ମନ ବ୍ୟାକୁଳ ହେବାକୁ ଲାଗିଲା । ମୁଁ ଯେପରି ଅନ୍ଧକାର ମଧ୍ୟରେ ଆଲୋକ ଦେଖିବାକୁ ପାଇଲି, କିଏ ଯେପରି ମୋ ନିକଟକୁ ଆସି କାନେ କାନେ କହିଲା, ‘‘ଯାଅ; ବିଚାରୀ ତୁମ ପାଇଁ କେତେ କଷ୍ଟ ପାଉଛି !’’ କିନ୍ତୁ ବିଚାରୀ କିଏ ? ସେ ମୋ ପାଇଁ କାହିଁକି କଷ୍ଟ ପାଉଛି ?

 

ଏ କେତେଦିନ ମୋ ହୃଦୟ-ଯନ୍ତ୍ରର ତାର ଛିଣ୍ଡି ଯାଇଥିଲା । ଯନ୍ତ୍ରକୁ ଲୟ-ବିଶିଷ୍ଟ କରିବାପାଇଁ ଅନେକ ଚେଷ୍ଟା କରିଥିଲି; କିନ୍ତୁ ମୋର ସକଳ ଚେଷ୍ଟା ବିଫଳ ହୋଇଥିଲା । ଏ ଚିଠି ପଢ଼ିଲାକ୍ଷଣି ଛିନ୍ନ ତାରଗୁଡ଼ିକ ଯୋଡ଼ି ହୋଇଗଲା । ହୃଦୟଯନ୍ତ୍ର ପୁଣି ଲୟ-ବିଶିଷ୍ଟ ହେଲା । କେଉଁ ଅଜ୍ଞାତ ରାଜ୍ୟର ଛବି ମୋର ସ୍ମୃତିପଟରେ ଅଙ୍କିତ ହେଲା ।

 

ଏ ମୂର୍ତ୍ତି ମୁଁ ଅନେକ ଥର ଦେଖିଛି । ତା’ ସଙ୍ଗେ କେତେ ଖେଳିଛି ! ଶୟନରେ, ଜାଗରଣରେ ତାହାର ମୂର୍ତ୍ତିକା ଧ୍ୟାନକରି କେତେ ସୁଖପାଇଛି ! ଛି ! ମୁଁ ଏଡ଼େ କୃତଘ୍ନ ! ଆଜି ଏ ସ୍ନେହମୟୀ ମୂର୍ତ୍ତି ମୋ ସ୍ମୃତିପଟରୁ ଲୁପ୍ତ ! ମୋତେ ଦେଖିବାପାଇଁ ସେ ଏତେ ବ୍ୟାକୁଳ ! କିନ୍ତୁ ମୁଁ ତ ତା’ କଥା ଘଡ଼ିଏ ହେଲେ ଭାବୁନାହିଁ । କବି ଯଥାର୍ଥ କହିଛନ୍ତି–

 

‘‘Sigh no more, Lady, Sigh no more;

Men were constant never’’

 

କମଳା ! ସ୍ନେହମୟୀ କମଳା ! ତୋର ବାଲ୍ୟ ସହଚରକୁ ତୁ ଏତେ ଭଲପାଉ ! ତା’ପାଇଁ ତୋର ଏତେ ଉତ୍କଣ୍ଠା ! କିନ୍ତୁ ତୋର ସେ ସୁନ୍ଦର ମୁଖ ଆଉ ଦେଖିପାରିବି କି ? ତୁ ସ୍ୱର୍ଗର ଜୀବ; ତୋର ଚତୁର୍ଦ୍ଦିଗରେ ଦେବତାମାନେ । ସେ ରାଜ୍ୟକୁ ମୋର ଅଧିକାର ଅଛି କି ?

 

x            x            x            x

 

ଆଉ ଭାବି ପାରିଲି ନାହିଁ । ହୃଦୟ କମଳାମୟ ହୋଇଗଲା । ଯେଉଁଠାରେ ଅନାଇଲି ସେହିଠାରେ କମଳା । ଆକର୍ଷଣ ପ୍ରଭାବରେ ଭଗବାନ୍‌ ଟଳିଯାନ୍ତି-ମନୁଷ୍ୟ ଛାର କେତେ ମାତ୍ର ! ବାପାଙ୍କୁ ନକହି ସେହିଦିନ ଟ୍ରେନ୍‌ରେ ଗାଁକୁ ବାହାରିଗଲି ।

 

 

ଗାଁକୁ ଗଲା ବେଳକୁ ପ୍ରଭାତ ହେବାକୁ ଅନେକ ବାକି ଅଛି । ଗାଁରେ କୌଣସିଠାରେ କିଛି ଶବ୍ଦ ନାହିଁ । ଚତୁର୍ଦ୍ଦିଗ ନିସ୍ତବ୍ଧ । କିନ୍ତୁ କମଳା ଘର ନିକଟକୁ ଯାଇ ଦେଖେ ଯେ, କାନ୍ଦ ବୋବାଳି ଲାଗିଛି । ସେ କ୍ରନ୍ଦନ ଶୁଣି ମୋର ହୃଦୟ ଚମକି ଉଠିଲା । ମୁଁ ଉନ୍ମତ୍ତ ପ୍ରାୟ ଘର ଭିତରେ ପ୍ରବେଶ କଲି ।

 

ଘର ଭିତରକୁ ଯାଇଁ ଦେଖେ, ଅଗଣାରେ ଅନେକ ଲୋକ ଜମା ହୋଇଛନ୍ତି । କମଳାର ପ୍ରଶାନ୍ତ ମୂର୍ତ୍ତି ଗୋଟିଏ ଖଟ ଉପରେ ସ୍ଥାପିତ ହୋଇଅଛି । ଓଃ ! କି ଭୀଷଣ ଦୃଶ୍ୟ ! ମୁଁ ଆଉ ରହିପାରିଲି ନାହିଁ । କମଳା ନିକଟକୁ ଯାଇ ତାକୁ ଆଲିଙ୍ଗନ କରି କମ୍ପିତ କଣ୍ଠରେ କହିଲି– ‘‘କମଳା-! କମଳା !’’ ଆଉ କହି ପାରିଲି ନାହିଁ, ମୋର ବାକ୍ୟ ରୁଦ୍ଧ ହୋଇଗଲା ।

 

ମୋ’କଥା ଶୁଣି କମଳାର ଯନ୍ତ୍ରଣା-କାତର ଓ ବିଷର୍ଣ୍ଣ ମୁଖରେ ଏକ ଅପୂର୍ବ ଜ୍ୟୋତି ଫୁଟି ଉଠିଲା । ନିମୀଳିତ ନେତ୍ରଦ୍ୱୟ ଉନ୍ମୀଳିତ ହେଲା; କିନ୍ତୁ ପୁଣି ଘୋର ଅନ୍ଧକାର ! କମଳାର ପିଣ୍ଡ ଛାଡ଼ି ପ୍ରାଣ ଚାଲିଗଲା !

 

x            x            x            x

 

କମଳାର ପ୍ରାଣହୀନ ଦେହ ନିଶ୍ଚଳ ହେଲା । ମୋର ସକଳ ଆଶା ଭରସା ବିଲୁପ୍ତ ହେଲା । ଚତୁର୍ଦ୍ଦିଗ ଅନ୍ଧକାର ଦିଶିଲା । କମଳାର ଶୀତଳ ଦେହକୁ କ୍ରୋଡ଼ରେ ରଖି କାନ୍ଦିବାକୁ ଲାଗିଲି । ସେ ଦେହରେ ସ୍ୱର୍ଗୀୟ କାନ୍ତି ଝଲସି ଉଠୁଥିଲା । ଲାବଣ୍ୟମୟ ଓ ମହିମା-ମଣ୍ଡିତ ମୁଖମଣ୍ଡଳ ଅବିକୃତ-ଜ୍ୟୋତିର୍ମୟ !

 

x            x            x            x

 

ପ୍ରଭାତରେ ତରୁଣ ଅରୁଣାଲୋକ କମଳାର ମୃତ୍ୟୁ-ଛାୟା-ମଣ୍ଡିତ ବଦନ ମଣ୍ଡଳରେ ଆସି ପଡ଼ିଲା ! ସ୍ନିଗ୍ଧ ପ୍ରଭାତ-ସମୀର ତା’ର ନିତମ୍ବ-ସ୍ପର୍ଶୀ କେଶଦାମ ସଙ୍ଗେ କ୍ରୀଡ଼ା କରିବାକୁ ଲାଗିଲା । ସ୍ୱର୍ଗର ଜୀବ ସ୍ୱର୍ଗକୁ ଚାଲିଗଲା । କିନ୍ତୁ ! ଆଜି ଜାଣିଲି ବାପା କାହିଁକି ମତେ ଗାଁକୁ ଛାଡ଼ି ଦେଉ ନଥିଲେ । କିନ୍ତୁ ଆଉ କାହିଁ ! ସବୁ ଶେଷ !!!

•••

 

ଶାନ୍ତି

ପ୍ରଥମ ପରିଚ୍ଛେଦ

କ୍ଷୀଣ ଆଲୋକ

 

‘‘ଆଲୋ ଶାନ୍ତି’’

‘ମା’

 

‘‘ପୋଡ଼ା ମୁହିଁ, ଦୁଃଖ ନାହିଁ, ସୁଖ ନାହିଁ, ସବୁବେଳେ ଖାଲି ଖେଳୁଛି । ମୁଁ ତତେ କେତେ କହିବି !’’

 

ଶାନ୍ତି ଦାଣ୍ଡଦୁଆରେ ସାଙ୍ଗ ପିଲାଙ୍କ ସଙ୍ଗେ ଖେଳୁଥିଲା । ମା’ଙ୍କ ଡ଼ାକ ଶୁଣି ଦଉଡ଼ି ଦଉଡ଼ି ମା’ଙ୍କ ନିକଟକୁ ଆସିଲା । ଶାନ୍ତିକୁ ଦେଖି ମା’ କହିଲେ, ‘‘ହଇଲୋ, ତତେ ବେଳ ଦିଶୁ ନାହିଁ-! ସବୁବେଳେ ଖେଳୁଥିବୁ ! ଆଜି ରାଇଜର ଦଶା କ’ଣ ! ଚୋର ବୋଲୁଛି ମୁଁ, ଖଣ୍ଟ ବୋଲୁଛି ମୁଁ ! ତୁନି ହୋଇ ଘରେ ବସିଥିଲେ କିମିତି ହୁଅନ୍ତା ?’’

 

ଜନନୀଙ୍କ ମୃଦୁ ଭର୍ତ୍ସନା ଶୁଣି ଶାନ୍ତି ଅପ୍ରତିଭ ହେଲା । ତଳକୁ ମୁହଁ କରି ନଖରେ ଗାର କାଟିବାକୁ ଲାଗିଲା । କିଛିକ୍ଷଣ ପରେ କହିଲା, ‘‘ମା, କମଳା ଆଉ ବିମଳା ଆସିଥିଲେ । ସେମାନଙ୍କ ସଙ୍ଗେ ଖେଳୁଥିଲି ।’’

 

‘‘ଦିନବେଳେ ଖେଳିଲେ ହୁଅନ୍ତା ନାହିଁ ? ଅନ୍ଧାର ହୋଇ ଗଲାଣି; ତଥାପି ତୋର ଖେଳ ସରୁନାହିଁ !’’

 

‘‘ନା, ମା, ଆଉ ଅନ୍ଧାର ଯାଏ କେବେ ବାହାରେ ରହିବି ନାହିଁ; କାଲିଠଉଁ ଦିନ ଥାଉ ଥାଉ ଘରକୁ ଆସିବି ।’’

 

ଶାନ୍ତିର କଥା ଶୁଣି ମା’ ଆନନ୍ଦିତ ହେଲେ । ତାକୁ ପାଖକୁ ଡ଼ାକି କହିଲେ, ‘‘ମା’ ମୋର ! ତୁ ମୋର ଦୁଃଖିର ସଙ୍ଖାଳି । ଗାଉଁଲି ଗାଁରେ ଆମ ଦୁଃଖ ସୁଖ କିଏ ବୁଝିବ ? ତତେ ଘଡ଼ିଏ ନ ଦେଖିଲେ ମୋ ଆଖିରୁ ତରା ଖସିପଡ଼େ । ଆଜି, ଦେଖୁଛୁ ଚାରିଆଡ଼େ ଚୋର-ଗୋଳ । ଆଜି କେଉଁ ଗାଁ ପୋଡ଼ି ଦେଉଛନ୍ତି ତ, କାଲି କାହା ଘରେ ଡ଼କାୟତି କରୁଛନ୍ତି । ଏ ଖଣ୍ଟଗୁଡ଼ାକର ଦୟା ମାୟା କିଛି ନାହିଁ । ମା’ ମୋ ମୁଣ୍ଡ ଖାଇବୁ, ଆଉ ଅନ୍ଧାରେ କେବେ ବାହାରେ ରହିବୁ ନାହିଁ ।’’

 

ମା’ଙ୍କ କଥା ଶୁଣି ଶାନ୍ତି ମନରେ ଭୟ ହେଲା । ସେ କହିଲା, ‘‘ମା, ଏ ଚୋରଗୁଡ଼ାକ କେଉଁଠୁ ଆସିଛନ୍ତି ?’’

 

ଏମାନଙ୍କ ଘର କାହିଁ ଯାଇ ଲଙ୍କାରେ ! ଏମାନଙ୍କୁ ଲୋକେ ମରହଟ୍ଟା ବୋଲି କହନ୍ତି । ଖାଲି ହାଣ କାଟ କରି ଏମାନେ ଦୁଃଖୀ ଲୋକଙ୍କ ସର୍ବନାଶ କରୁଛନ୍ତି ।

 

‘‘ମା’ ଏମାନେ ପରା ହିନ୍ଦୁ ? ଆମ ଜଗନ୍ନାଥ ମହାପ୍ରଭୁଙ୍କୁ, ସମଲାଇଙ୍କୁ ପୂଜା କରନ୍ତି ! ଏମାନେ ହିନ୍ଦୁ ହୋଇ କାହିଁକି ଆମମାନଙ୍କୁ ଏପରି ଦୁଃଖ ଦେଉଛନ୍ତି ?’’

 

‘‘କଣ କହିବି, ଲୋ ଝିଅ ? ଏଗୁଡ଼ାକ କଣ ମଣିଷ ! ପଶୁଠାରୁ ବି ହୀନ ! ଖାଲି ମାରିପିଟି ଟଙ୍କା ପଇସା ନେଉଛନ୍ତି !’’

 

ଶାନ୍ତି ପିଲାଲୋକ । ବୟସ ପ୍ରାୟ ଚଉଦ ବର୍ଷ । ତା’ପରେ ମଫସଲରେ ରହି ବାହାର କଥା କିଛି ଜାଣି ନ ଥିଲା । ଚୋରମାନଙ୍କ କଥା ଶୁଣି ତା’ମନରେ ଭୟ ହେଲା-ଭୟରେ ସର୍ବାଙ୍ଗ ଥରିଗଲା । ସେ ଯାକି ହୋଇ ମା’ଙ୍କ ପାଖରେ ଛିଡ଼ା ହୋଇ କହିଲା, ‘‘ମା, ଆଜି ମତେ ଭାରି ଡ଼ର ମାଡ଼ୁଛି । ଆମ ଗାଁକୁ ଚୋରମାନେ ଆସିଲେ କିମିତି କରିବା ? ଆମ ଗାଁଯାକ ନିଆଁ ଲଗାଇ ଦେବେ । ଆମ ଘରେ ଡ଼କାୟତି କରବେ । ମା’ କିଏ ଆମଙ୍କୁ ରକ୍ଷା–’’

 

ଶାନ୍ତି ଆହୁରି କହିବାକୁ ଯାଉଥିଲା; କିନ୍ତୁ କହି ପାରିଲା ନାହିଁ । ପଛରୁ କିଏ ଆସି କହିଲା, ‘‘ଭୟ ନାହିଁ-ଭୟ ନାହିଁ ।’’

 

ଏ ଅଭୟ-ବାଣୀ ଶୁଣି ମା’-ଝିଅ ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ । ପଛକୁ ଅନାଇ ଦେଖିଲେ, ଜଣେ ଯୁବକ ଛିଡ଼ାହୋଇଛନ୍ତି । ଯୁବକ ଦେଖିବାକୁ ସୁଶ୍ରୀ; ଶରୀର ହୃଷ୍ଟପୁଷ୍ଟ ଓ ବଳିଷ୍ଠ । ବୟସ ପ୍ରାୟ ୨୫ ବର୍ଷ ହେବ । ସେ କ୍ଳାନ୍ତ ହେଲାପରି ଦିଶୁଥିଲେ । ତାଙ୍ଗ ସର୍ବାଙ୍ଗରୁ ଝାଳ ଥିପି ପଡ଼ୁଥିଲା । ତାଙ୍କୁ ସେଠାରେ ଉପସ୍ଥିତ ହେବାର ଦେଖି ମା’-ଝିଅ ଟିକିଏ ଘୁଞ୍ଚିଗଲେ । ଯୁବକ ସେମାନଙ୍କୁ ଅଭୟ ଦେଇ କହିଲେ, ‘‘ମା’ ଡ଼ର ନାହିଁ । ମୁଁ ତୁମ୍ଭର ପୁଅ । ମୁଁ ଥାଉ ଥାଉ କେହି ତୁମର ଅନିଷ୍ଟ କରି ପାରିବେ ନାହିଁ ।’’

 

ଯୁବକଙ୍କ ଆଶ୍ୱାସନା-ବାକ୍ୟ ଶୁଣି ମା-ଝିଅଙ୍କ ମନରେ ଟିକିଏ ଟିକିଏ ସାହସ ହେଲା । ଶାନ୍ତି ପ୍ରଦୀପାଲୋକରେ ଝଲସିତ ଯୁବକଙ୍କ ଅପୂର୍ବ ରୂପଶ୍ରୀ ଦେଖିଲା; କିନ୍ତୁ ବ୍ରୀଡ଼ାବଶତଃ ଭଲ କରି ଦେଖି ପାରିଲା ନାହିଁ । ତା’ର ମୁଖ ତଳକୁ ହୋଇଗଲା । ସେ ଯେତେ ଚେଷ୍ଟା କଲେ ସୁଦ୍ଧା ଯୁବକଙ୍କୁ ଏକ ଦୃଷ୍ଟିରେ ଅନାଇ ପାରିଲା ନାହିଁ । ତା’ର ପୂର୍ଣ୍ଣଚନ୍ଦ୍ରନିଭାନନ ଈଷତ୍‌ ଲୋହିତ ବର୍ଣ୍ଣ ଧାରଣ କଲା । ଯୁବକ ମଧ୍ୟ ଶାନ୍ତିର ସୁନ୍ଦର ମୁଖ ଦେଖି ମୁଗ୍ଧ ହୋଇଗଲେ । ସେ ରୂପ-ମାଧୁରୀ ଯେତେ ପାନ କଲେ ସୁଦ୍ଧା ତାହାଙ୍କର ଅତୃପ୍ତ ଦର୍ଶନେଚ୍ଛା ପୂର୍ଣ୍ଣ ହେଲାନାହିଁ । ଶାନ୍ତିର ମାତା ଯୁବକଙ୍କ କଥାରେ ସାହସ ପାଇ କହିଲେ, ‘‘ବାପା ମୋର, ବୁଢ଼ା ହୋଇଥା । ଈଶ୍ୱର ତୋତେ ବୁଦ୍ଧିବଳ ଦିଅନ୍ତୁ । ତୁ ଆମ ପରି ଦୁଃଖୀ ଅରକ୍ଷିତଙ୍କ ଦୁଃଖ ଦୂର କରିବୁ ।’’

 

ଶାନ୍ତିର ମାତାଙ୍କ କଥା ଶୁଣି, ଯୁବକଙ୍କ ଚକ୍ଷୁ ଆନନ୍ଦାଶ୍ରୁପୂର୍ଣ୍ଣ ହୋଇ ଗଲା । ସେ ଗଦ୍‌ଗଦ୍‌ ସ୍ୱରରେ କହିଲେ, ‘‘ମା, ଭୟ କରନାହିଁ । ରାଜ୍ୟରେ ରାଜା ଅଛନ୍ତି । ସେ ଏ ଅଶାନ୍ତି ଶୀଘ୍ର ଦୂର କରିବେ । ଆମ ମହାରାଜା ଅଭୟ ସିଂହ ଯେ ସେ ମଣିଷ ନୁହନ୍ତି । ସେ ପ୍ରଜାମାନଙ୍କୁ ପୁତ୍ର ପରି ଦେଖନ୍ତି । ଆମର କଷ୍ଟ ହେଲେ ତାଙ୍କ ମନରେ ମଧ୍ୟ କଷ୍ଟ ହୁଏ ।’’

 

ଶାନ୍ତିର ମାତା କହିଲେ, ‘‘ବାପା, ତୁମେ ଆମର କଷ୍ଟ କିପରି ଜାଣି ଏଠାକୁ ଆସିଲ ?’’

 

‘‘ମା, ଏହା ମୋର କାର୍ଯ୍ୟ । ରାଜା ମୋତେ ଯାହା କରିବାକୁ କହିଛନ୍ତି, ମୁଁ ତାହା କରୁଛି-।’’

 

‘‘ବାପା, ଆମେ ଦୁଃଖୀ ଲୋକ । ମଫସଲରେ ପଡ଼ିଛୁ । ଆମ ପରି କେତେ ଲୋକ ଏପରି ଭୟରେ ଦିନ କଟାଉଛନ୍ତି ।’’

 

‘‘ମା, ତୁମର ଏ ଦୁଃଖ ଆଉ ବେଶି ଦିନ ରହିବ ନାହିଁ । ଯେ ଆମ ରାଜ୍ୟର ଶତ୍ରୁ, ତା’ର ବିନାଶ କରିବାକୁ ଆମ୍ଭେମାନେ ଭୟ କରୁନାହୁଁ । ଶତ୍ରୁର ମରଣ ନିମନ୍ତେ ଯୁଦ୍ଧରେ ନିପାତ ହିଁ ଆମ୍ଭମାନଙ୍କର ଏକମାତ୍ର କାମନା ।’’

‘‘ତୁମେ କିଏ ?’’

‘‘ମୋର ପରିଚୟ ପାଇଲେ ତୁମର କିଛି ଲାଭ ହେବନାହିଁ । ମୁଁ ଜଣେ ସାମାନ୍ୟ କ୍ଷତ୍ରିୟ; ରାଜାଙ୍କ ସେନା-ବିଭାଗରେ କାର୍ଯ୍ୟ କରେ । ଆଜି ଏଆଡ଼େ ବୁଲୁ ବୁଲୁ ତୁମ କଥା ଶୁଣି ଏଠାକୁ ଆସିଲି ।’’

‘‘ବାପା, ତୁମ ନାମ କଣ ?’’

‘‘ଅଜିତ ସିଂହ ।’’

ଅଜିତ ସିଂହଙ୍କ ନାମ ଶୁଣି ମା’-ଝିଅ ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ । ସେ ‘‘ହୀରାଖଣ୍ଡ ଛତ୍ରପତି ମହାରାଜ’’ ଅଭୟ ସିଂହଙ୍କ ପୁତ୍ର । ତାଙ୍କ ଗୌରବ-କାହାଣୀ ସମ୍ବଲପୁର ରାଜ୍ୟର ଘରେ ଘରେ ପ୍ରଚାରିତ ହୋଇଥିଲା । ତାଙ୍କୁ ସେପରି ବେଶରେ ସେଠାରେ ଉପସ୍ଥିତ ହେବାର ଦେଖି ମା’-ଝିଅଙ୍କ ଆଶ୍ଚର୍ଯ୍ୟର ସୀମା ରହିଲାନାହିଁ । ସେମାନେ ଯାହାଙ୍କ କଥା ପୂର୍ବେ ଶୁଣିଥିଲେ, ଆଜି ତାଙ୍କୁ ସ୍ୱଚକ୍ଷୁରେ ଦେଖିଲେ । ଶାନ୍ତିର ଚକ୍ଷୁରୁ ଆନନ୍ଦାଶ୍ରୁ ବହିବାକୁ ଲାଗିଲା । ସେ ଅଜିତ ସିଂହଙ୍କୁ ଆଖି ପୂରାଇ ଦେଖିବାକୁ ଚେଷ୍ଟା କଲା; କିନ୍ତୁ ତା’ର ସକଳ ଚେଷ୍ଟା ବିଫଳ ହେଲା । ତା’ର ମା’ କହିଲେ, ‘‘ଆଜି କି ଶୁଭ ଲଗ୍ନରେ ଆମ୍ଭର ରାତି ପାହିଥିଲା । ନୋହିଲେ କି ଏ ଦରିଦ୍ର-କୁଟୀରରେ ଛାମୁଙ୍କ ପାଦ-ରଜ ପଡ଼ିଥାନ୍ତା ?’’

ଯୁବକ କହିଲେ, ‘‘ମା, ସେପରି କଥା କହି ମୋ ମନରେ କଷ୍ଟ ଦିଅ ନାହିଁ । ମୁଁ ରାଜପୁତ୍ର ହେଲେ ସୁଦ୍ଧା ଜଣେ ସାମାନ୍ୟ ପ୍ରଜା । ତୁମ୍ଭ ଏବଂ ମୋ ମଧ୍ୟରେ କିଛି ପ୍ରଭେଦ ନାହିଁ । ପୁଣି ଆଜି ରାଜ୍ୟରେ ଘୋର ଅଶାନ୍ତି । ଏ ଅଶାନ୍ତି ଦୂର କରିବା ସକାଶେ ଆଜି ପ୍ରତ୍ୟେକ ଓଡ଼ିଆର ଜୀବନର ମମତା ଭୁଲି ଶତ୍ରୁର ବିନାଶ କରିବା କର୍ତ୍ତବ୍ୟ ।’’

 

ଅଜିତ ସିଂହଙ୍କ ଓଜସ୍ୱିନୀ କଥା ଶୁଣି ଶାନ୍ତି ଏବଂ ତା’ର ଜନନୀଙ୍କ ମୁଖରେ ଉତ୍ସାହର ବିମଳ ରେଖା ଝଲସି ଉଠିଲା । ଶାନ୍ତିର ମାତା କହିଲେ, ‘‘ବାପା, ଆଜି ଜାଣିଲି, ଓଡ଼ିଆ ଜାତିର ସ୍ୱାଧୀନତା ଯାଇନାହିଁ । ଯେତେଦିନ ଯାଏଁ ଓଡ଼ିଶାର ଦକ୍ଷିଣହସ୍ତ ସବଳ ଥିବ, ପୁରୀର ସିଂହାସନ ଟଳାଇବାକୁ କେହି ସମର୍ଥ ହେବେ ନାହିଁ । ବାପା, ପୂର୍ବପୁରୁଷଗଣଙ୍କ ଗୌରବ ସ୍ମରଣ କାର୍ଯ୍ୟକର । ଯୁଦ୍ଧକ୍ଷେତ୍ରରେ ଶତ୍ରୁକୁ ଦେଖାଅ ଯେ ଓଡ଼ିଆ ବୀର ଜାତି ।’’

 

ଏହା କହୁ କହୁ ଶାନ୍ତିର ମାତାଙ୍କ ମୁଖର ରଙ୍ଗ ପରିବର୍ତ୍ତିତ ହୋଇଗଲା । ତାଙ୍କ ବଳି-ପଳିତ-ପୂର୍ଣ୍ଣ ମୁଖରେ ଅପୂର୍ବ ଉତ୍ସାହର ଜ୍ୟୋତି ଦେଖା ଦେଲା । ଅଜିତ ସିଂହ କହିଲେ ‘‘ମା, ତୁମ୍ଭର ଏ ଉପଦେଶ ଶୁଣି କୃତାର୍ଥ ହେଲି । କ୍ଷତ୍ରିୟ-ରମଣୀର ଉତ୍ସାହ-ବାଣୀ କଦାପି ବିଫଳ ହେବ ନାହିଁ । ମା, ଆଜି ମୁଁ ତୁମ ଘରେ ଆତିଥ୍ୟ ଗ୍ରହଣ କରିବି ।’’

 

ଅଜିତ ସିଂହଙ୍କୁ ଅତିଥି ରୂପେ ପାଇ, ମା’-ଝିଅ ଅତିଶୟ ଆହ୍ଲାଦିତ ହେଲେ । ଶାନ୍ତିର ଜନନୀ କହିଲେ, ‘‘ଶାନ୍ତି, ଆଜି ବିଦୁର ଘରେ ଶ୍ରୀକୃଷ୍ଣ ଅତିଥି । ଯା, ଖୁଦ ମଳୁଖ ଯାହା ଅଛି, ଅତିଥି ସେବାର ଯୋଗାଡ଼ କରିବୁ ।’’

 

ମାତୃ-ଆଜ୍ଞା ଶିରୋଧାର୍ଯ୍ୟ କରି ଶାନ୍ତି ବିଦାୟ ନେଲା; କିନ୍ତୁ ଯିବା ପୂର୍ବରୁ ଥରେ ଅଜିତ ସିଂହଙ୍କ ମୁଖକୁ ଅନାଇଲା । ତାଙ୍କୁ ଛାଡ଼ିକରି ଯିବାକୁ ଆଦୌ ମନ ବଳିଲାନାହିଁ । କିନ୍ତୁ ବାଳିକା ପରାଧୀନା । ମାତାଙ୍କ ଆଜ୍ଞା ପାଇ ନିଜଇଚ୍ଛା ବିରୁଦ୍ଧରେ ଉକ୍ତ ସ୍ଥାନ ପରିତ୍ୟାଗ କଲା ।

•••

 

ଦ୍ୱିତୀୟ ପରିଚ୍ଛେଦ

ତୈଳ-ସଂଯୋଗ

 

ଅଜିତ ସିଂହଙ୍କ ଦର୍ଶନ-ସୁଖରୁ ବଞ୍ଚିତା ହେଲେ ସୁଦ୍ଧା ଆଜି ଶାନ୍ତିର ମନରେ ଭାରି ଆନନ୍ଦ । ଆଜି ସେ ନିଜେ ରୋଷେଇ କରି ଅତିଥି-ସେବା କରିବ; ପରିବେଷଣ କଲାବେଳେ ଆଖି ପୂରେଇ ଅଜିତ ସିଂହଙ୍କୁ ଦେଖିବ । କିନ୍ତୁ ଅଜିତ ସିଂହଙ୍କୁ ଦେଖିବାପାଇଁ ତା’ର ମନ ଏତେ ବ୍ୟାକୁଳ କାହିଁକି, ସେ ଜାଣେ ନାହିଁ । ଶାନ୍ତି ସେ ଯୁଗର ମଫସଲି ବାଳିକା । ସେ କେବଳ ଏତିକି ଜାଣେ ଯେ ଅଜିତସିଂହଙ୍କୁ ଦେଖିବାକୁ ତାକୁ ଭଲ ଲାଗେ । କିନ୍ତୁ ଏ ବ୍ୟାକୁଳତା, ଏ ଆଗ୍ରହ ମଧ୍ୟରେ ତାହା ଶରୀରର ପ୍ରତ୍ୟେକ ଶିରାରେ ଯେଉଁ ତଡ଼ିତ୍‌-ପ୍ରବାହ ପ୍ରବାହିତ ହେଉଥିଲା, ସରଳା ବାଳିକା ତହିଁର କାରଣ କିଛି ବୁଝି ପାରିଲା ନାହିଁ, କିମ୍ବା ବୁଝିବାକୁ ଚେଷ୍ଟା ସୁଦ୍ଧା କଲା ନାହିଁ । ଏ ତଡ଼ିତ୍‌-ପ୍ରବାହ ସେ ଜୀବନରେ କେବେ ଅନୁଭବ କରି ନଥିଲା; ଏଥର ହିଁ ତା’ର ପ୍ରଥମ ଅନୁଭବ ।

 

ଅଜିତ ସିଂହ ମଧ୍ୟ ଆଜି ନୂତନ ବେଶରେ ଛିଡ଼ାହେଲେ । ସେ ଆଜି ଶାନ୍ତିକୁ ଯେପରି ଚକ୍ଷୁରେ ଦେଖନ୍ତି, ପୂର୍ବେ କେବେ କାହାରିକି ସେପରି ଚକ୍ଷୁରେ ଦେଖି ନଥିଲେ । ଶାନ୍ତିର ମାତାଙ୍କ ସଙ୍ଗେ କଥାବାର୍ତ୍ତା କରିବା ସମୟରେ ପ୍ରଦୀପାଲୋକରେ ଶାନ୍ତିର ସୁବିମଳ ମୁଖ ଦେଖି ଶାନ୍ତିପ୍ରତି ତାହାଙ୍କ ମନ ଆକୃଷ୍ଟ ହୋଇଥିଲା । ଶାନ୍ତିର ସେ ସରଳ ମଧୁବୋଳା ମୁଖଖଣ୍ଡିକ, ତା’ର ସେ ସଲଜ୍ଜ ଦୃଷ୍ଟି ତାଙ୍କ ହୃଦୟରେ ଗୋଟିଏ ନବୀନ ଅନୁଭବର ସୃଷ୍ଟି କଲା । ତାଙ୍କ ଚକ୍ଷୁରେ ଶାନ୍ତିର ସୁନ୍ଦର ମୁଖ ଆହୁରି ସୁନ୍ଦର ଦିଶିଲା । ତାଙ୍କ ଚକ୍ଷୁ-ସମକ୍ଷରୁ ଶାନ୍ତି ତିରୋହିତ ହୁଅନ୍ତେ, ତାଙ୍କ ହୃଦୟ ବ୍ୟାକୁଳ ହୋଇଗଲା । ଶାନ୍ତିର ଜନନୀଙ୍କ ସଙ୍ଗେ ପୂର୍ବପରି କଥାବାର୍ତ୍ତା କରିବାକୁ ତାଙ୍କୁ ଆଉ ଭଲ ଲାଗିଲା ନାହିଁ । ତାଙ୍କ ଅଜ୍ଞାତରେ ଶାନ୍ତି ତାଙ୍କ ହୃଦୟକୁ ନେଇ ଚାଲିଗଲା । ଜଡ଼ ଶରୀରଟି ଶାନ୍ତିର ଜନନୀଙ୍କ ସଙ୍ଗେ ରହିଲା ।

 

ଶାନ୍ତିର ଭାଇନା ହରିହର ସାଏ ଗ୍ରାମର ଭାଗବତ ଟୁଙ୍ଗୀରେ ଯାଇ ବସିଥିଲେ । ଅଜିତ ସିଂହଙ୍କ ଆଗମନ-ବାର୍ତ୍ତା ଶୁଣି ଶୀଘ୍ର ଘରକୁ ଆସିଲେ ଏବଂ ତାଙ୍କ ସଙ୍ଗେ ରହି ତାଙ୍କ ପରିଚର୍ଯ୍ୟା କରିବାକୁ ଲାଗିଲେ । ଦୁହିଁଙ୍କ ମଧ୍ୟରେ ଅନେକ କଥାବାର୍ତ୍ତା ହେଲା । ପରେ ଭୋଜନର ସମୟ ଉପସ୍ଥିତ ହୁଅନ୍ତେ, ଶାନ୍ତି ପଦପ୍ରକ୍ଷାଳନ ନିମନ୍ତେ ଲୋଟାରେ ଜଳ ଆଣି ଅଜିତ ସିଂହଙ୍କ ଆଗରେ ଥୋଇଦେଲା । ହରିହର ସାଏ ଅତିଥିଙ୍କୁ ସଙ୍ଗେ ନେଇ ଭୋଜନ-ଶାଳାକୁ ଗଲେ, ଏବଂ ନାନା ସୁମିଷ୍ଟ କଥାବାର୍ତ୍ତାରେ ପ୍ରବୃତ୍ତ ହୋଇ ଭୋଜନ କରିବାକୁ ଲାଗିଲେ ।

 

ଆଜି ଶାନ୍ତି ନିଜେ ପରିବେଷିକା ! ତାହା ମନରେ ଭାରି ଆନନ୍ଦ । ସେ ପାଞ୍ଚ ମିନିଟର କାର୍ଯ୍ୟ ମିନିଟକ ମଧ୍ୟରେ କରୁଛି । ବାରମ୍ବାର ଅତିଥିଙ୍କ ନିକଟକୁ ଖାଦ୍ୟଦ୍ରବ୍ୟ ନେଇ ଆସି ତାଙ୍କୁ ଦେଖିବାକୁ ତା’ର ଭାରି ଆଗ୍ରହ । ସେ ନାନା ସୁଖର ସ୍ୱପ୍ନ ମନମଧ୍ୟରେ ଗଢ଼ି ଅଜିତ ସିଂହଙ୍କ ନିକଟକୁ ଆସେ; କିନ୍ତୁ ତାଙ୍କୁ ଦେଖିଲାକ୍ଷଣି ତା’ ମନର ଭାବ ପରିବର୍ତ୍ତିତ ହୋଇଯାଏ । ନାରୀ-ସୁଲଭ ଲଜ୍ୟା ଆସି ତାକୁ ଆକ୍ରମଣ କରେ ଏବଂ ସେ ହତାଶ ହୋଇ ତଳକୁ ମୁହଁ କରି ପରିବେଷଣ କରେ ।

 

ଭୋଜନ ସମାପନାନ୍ତେ ଅଜିତ ସିଂହ ଏବଂ ହରିହର ସାଏ ଶୟନ କକ୍ଷକୁ ଯାଇ ପଲଙ୍କଉପରେ ବସିଲେ ଏବଂ ଅନେକ ବିଷୟରେ କଥାବାର୍ତ୍ତା କରୁ କରୁ ଅଜିତସିଂହ କହିଲେ, ‘‘ଆଜି ଆମ୍ଭମାନଙ୍କର ସୁଖର ସ୍ୱପ୍ନ ଭାଙ୍ଗି ଯାଇଅଛି । ଶାନ୍ତିମୟ ସମ୍ବଲପୁର ରାଜ୍ୟ ମରହଟ୍ଟା ଦସ୍ୟୁମାନଙ୍କଦ୍ୱାରା ଆକ୍ରାନ୍ତ ହୋଇଅଛି । ଏପରି ଅବସ୍ଥାରେ ଆମ୍ଭମାନଙ୍କର ନିଶ୍ଚିନ୍ତ ହୋଇ ବସି ରହିବା ଉଚିତ ନୁହେଁ । ଶତ୍ରୁର ଦର୍ପ ଚୂର୍ଣ୍ଣକରି ପୁନର୍ବାର ସମ୍ବଲପୁରରେ ଶାନ୍ତି ସ୍ଥାପନ କରିବା ସକାଶେ ପ୍ରାଣପଣେ ଚେଷ୍ଟା କରିବା ଉଚିତ ।’’

 

ଅଜିତସିଂହଙ୍କ କଥା ଶୁଣି ହରିହର ସାଏ କିଛିକ୍ଷଣ ନିରବ ରହିଲେ । ପରେ ମନମଧ୍ୟରେ କ’ଣ ଭାବି କହିଲେ, ‘‘ମରହଟ୍ଟାମାନଙ୍କ ଏପରି ଆଚରଣ ଦେଖି ମୁଁ ବଡ଼ ଆଶ୍ଚର୍ଯ୍ୟାନ୍ୱିତ ହେଉଛି । ଏମାନଙ୍କୁ ପୂର୍ବେ ମୁଁ ଭକ୍ତି କରୁଥିଲି । ମୁଁ ଭାବିଥିଲି ଯେ, ଏମାନେ ପତନୋନ୍ମୁଖ ମୋଗଲ ସାମ୍ରାଜ୍ୟର ଧ୍ୱଂସ ସାଧନ କରି ଏ ପୁଣ୍ୟଭୂମି ଭାରତବର୍ଷରେ ହିନ୍ଦୁସାମ୍ରାଜ୍ୟ ସଂସ୍ଥାପନ କରିବେ; କିନ୍ତୁ ଏମାନେ ରାଜ୍ୟ-ସଂସ୍ଥାପନର ମୂଳମନ୍ତ୍ର ଜାଣନ୍ତି ନାହିଁ । କେବଳ ତରବାରୀ ସାହାଯ୍ୟରେ ଏ ମହତ୍‌ କାର୍ଯ୍ୟ ସାଧିତ ହୋଇ ନ ପାରେ ।’’

 

ଅଜିତସିଂହ କହିଲେ, ‘‘ଭାଇ, ସେ ଦିନ ଗଲାଣି । ଆଉ ସେ ଶିବାଜୀ ନାହାନ୍ତି । ଭାରତର ଭାଗ୍ୟ-ଚକ୍ର ପୁଣି ଭିନ୍ନ ଦିଗରେ ବିଘୂର୍ଣ୍ଣିତ ହେବାକୁ ବସିଛି । ବିନାଶ-କାଳେ ମନୁଷ୍ୟର ବିପରୀତ ବୁଦ୍ଧି ହୋଇଥାଏ । ଆଜି ମରହଟ୍ଟାମାନେ ଜୟ-ଗର୍ବରେ ମତ୍ତ । ସେମାନଙ୍କୁ ସ୍ୱର୍ଗ-ମର୍ତ୍ତ୍ୟ-ପାତାଳ ତିନିପୁର ଦିଶୁନାହିଁ । ସେଥିପାଇଁ ଆମ୍ଭମାନଙ୍କୁ ତୃଣବତ୍‌ ଜ୍ଞାନ କରି ଆମ୍ଭମାନଙ୍କ ମନରେ କଷ୍ଟ ଦେବାକୁ ବସିଛନ୍ତି । କିନ୍ତୁ ଓଡ଼ିଆମାନେ କାପୁରୁଷ ନୁହନ୍ତି । ସେମାନେ ସ୍ୱୟଂ ପ୍ରାଣର ବିନିମୟରେ ଶତ୍ରୁକୁ ସମୁଚିତ ଶାସ୍ତି ଦେଇ ପାରନ୍ତି ।’’

 

‘‘ମରହଟ୍ଟାମାନେ ଆମ୍ଭମାନଙ୍କର ଶତ୍ରୁ ହେଲେ ସୁଦ୍ଧା ଭାରତବାସୀ । ଭାଇ ଭାଇ ମଧ୍ୟରେ ବିବାଦ ହୋଇ ସ୍ୱର୍ଣ୍ଣପ୍ରସୂ ଭାରତ ଭୂମିର ସର୍ବନାଶ ହୋଇଛି । ମରହଟ୍ଟାମାନେ ଅତ୍ୟାଚାରୀ ହେଲେ ସୁଦ୍ଧା ଭାରତର ସ୍ୱାଧୀନତା ସଂସ୍ଥାପନ-ବ୍ରତରେ ବ୍ରତୀ । ସେମାନଙ୍କ ଏ ମହାବ୍ରତରେ ବାଧା ଦେବା ବୁଦ୍ଧିମାନର କାର୍ଯ୍ୟ ନୁହେଁ ।’’

 

‘‘କିନ୍ତୁ ତାହା ବୋଲି ଏପରି ଅତ୍ୟାଚାରୀ ଜାତିର ଅଧୀନତା ସ୍ୱୀକାର କରିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ । ଓଡ଼ିଆମାନେ ଭୀରୁ, କାପୁରୁଷ ନୁହଁନ୍ତି । ଯଦି ସେମାନେ ଯୁଦ୍ଧରେ ଓଡ଼ିଶା ଜୟ କରିବାକୁ ଇଚ୍ଛା କରନ୍ତି, ତାହାହେଲେ ସେମାନେ ଦେଖନ୍ତୁ ଯେ, ଓଡ଼ିଆ ବୀରଜାତି, ହିନ୍ଦୁ ଜାତିର ଗୋଟିଏ ପ୍ରଧାନ ଅଙ୍ଗ ।’’

 

‘‘ତାହା ନ କରି ସେମାନଙ୍କୁ ଅତ୍ୟାଚାର-କାର୍ଯ୍ୟରୁ ନିବୃତ୍ତ କଲେ ଭଲ ହୁଅନ୍ତା । ସେମାନଙ୍କ ହସ୍ତରେ ଆମ୍ଭର ରାଜ୍ୟ ସମର୍ପଣ କରି, ସେମାନଙ୍କ ଅଧୀନତା ସ୍ୱୀକାର କରି, ସେମାନଙ୍କ ପବିତ୍ର ବ୍ରତରେ ଯୋଗ ଦେବା ଉଚିତ । ଏ ଅଧୀନତା ସ୍ୱୀକାର କାପୁରୁଷତାର ଲକ୍ଷଣ ନୁହେଁ । ଯଦି ଭାରତବର୍ଷର ବିଭିନ୍ନ ଅଂଶଗୁଡ଼ିକ ଏକାକାର ହୋଇ ଅନନ୍ତ ମହାସମୁଦ୍ରର ଆକାର ଧାରଣ କରନ୍ତି, ତାହାହେଲେ ହିନ୍ଦୁଜାତିର ସ୍ୱାଧୀନତା ଅପହରଣ କରିବା ସମଗ୍ର ପୃଥିବୀର ସାଧ୍ୟାୟତ୍ତ ନୁହେଁ ।’’

 

‘‘କାହିଁ-ମରହଟ୍ଟାମାନେ ତ ସେ କାର୍ଯ୍ୟ କରୁ ନାହାନ୍ତି ! ସେମାନେ ଭାବନ୍ତି ଯେ, ସେମାନେ ଏକା ଭାରତର ଅଧୀଶ୍ୱର ହେବେ, ଏବଂ ଅନ୍ୟ ଜାତିଗୁଡ଼ିକ ସେମାନଙ୍କ ପାଦସେବା କରିବେ । କିନ୍ତୁ ତାହା କେବେ ହୋଇ ନ ପାରେ । କୌଣସି ଗୋଟିଏ ଜାତି ଭାରତର ଅନ୍ୟାନ୍ୟ ଜାତିଗୁଡ଼ିକୁ ପଦଦଳିତ କରି ଭାରତରେ ସ୍ୱାଧୀନ ରାଜ୍ୟ ସଂସ୍ଥାପନ କରି ନ ପାରେ ।’’

 

‘‘ଭାରତର ମଙ୍ଗଳ ସକାଶେ ତାହା କରିବାକୁ ହେବ । ବରଂ ନିଜର କ୍ଷତି ହେଉ; କିନ୍ତୁ ଜନ୍ମଭୂମିର ସୁଖ ହେଉ ।’’

 

‘‘ତୁମ୍ଭର ମତ ସମର୍ଥନ କରିବାକୁ ଗଲେ ସ୍ୱୀକାର କରିବାକୁ ହେବ ଯେ, ଭାରତର ସ୍ୱାଧୀନତା ଯାଇନାହିଁ । ଭାରତବାସୀ ଆଜି ଆମ୍ଭମାନଙ୍କ ସମ୍ରାଟ୍ । ଦେଶର କାର୍ଯ୍ୟରେ ଜାତିଧର୍ମର ବିଚାର ନଥାଏ । ମୋଗଲମାନେ ଭିନ୍ନ ଧର୍ମାବଲମ୍ବୀ ହେଲେ ସୁଦ୍ଧା ଭାରତବାସୀ । ଆଜି ମୋଗଲମାନଙ୍କ ଅଧୀନରେ ଥାଇ ଭାରତର ଯେ ଏ ଦଶା, ମରହଟ୍ଟାମାନଙ୍କ ଅଧୀନରେ ରହିଲେ ସୁଦ୍ଧା ସେହି ଦଶା ହେବ ।’’

 

ଏଥର ଅଜିତସିଂହଙ୍କ କଥା ଶୁଣି ହରିହର ସାଏ ନିରୁତ୍ତର ହେଲେ । ତାହାଙ୍କର ସନ୍ଦେହ ବିଦୁରିତ ହେଲା । ସେ କହିଲେ, ‘‘ତାହାହେଲେ ଯୁଦ୍ଧହିଁ ସ୍ଥିର ହେଲା । ବିନା ଯୁଦ୍ଧରେ ମରହଟ୍ଟାମାନଙ୍କ ସଙ୍ଗେ ମିଳିତ ହେବା ଅସମ୍ଭବ । ଆଜି ମୋର ସଂଶୟ ଦୂର ହେଲା । ଆଜିଠାରୁ ମୁଁ ମରହଟ୍ଟାମାନଙ୍କ ଶତ୍ରୁ ହେଲି । ଏ ଦେହରେ ଟୋପାଏ ରକ୍ତ ଥିବାଯାଏ ସେମାନେ ମୋର ମାତୃଭୂମିକୁ କଦାପି ପଦଦଳିତ କରିପାରିବେ ନାହିଁ ।’’

 

ଅଜିତସିଂହଙ୍କ ପରିଶ୍ରମ ସଫଳ ହେଲା । ସେ ଯେଉଁ କାର୍ଯ୍ୟ ନିମନ୍ତେ ସେଠାକୁ ଆସିଥିଲେ, ତହିଁରେ କୃତକାର୍ଯ୍ୟ ହେଲେ । ସେ ଆନନ୍ଦିତ ହୋଇ କହିଲେ, ‘‘ଏହିଟା ବୀର ପୁରୁଷର, ସ୍ୱଦେଶ-ପ୍ରେମିକର ଉତ୍ତର ! ଭାଇ, ଆମ୍ଭମାନଙ୍କ ରାଜ୍ୟର ଅବସ୍ଥା କିପରି ଶୋଚନୀୟ ହୋଇ ଗଲାଣି ! ଗ୍ରାମେ ଗ୍ରାମେ ହାହାକାର ! ସର୍ବତ୍ର ଦୁର୍ଭିକ୍ଷର କରାଳ ମୂର୍ତ୍ତି ! ଲୋକାରଣ୍ୟ ଗ୍ରାମଗୁଡ଼ାକ ପରିତ୍ୟକ୍ତ ! ଯଦି ଆମ୍ଭେମାନେ ମାତୃଭୂମିର ପ୍ରକୃତ ସନ୍ତାନ ହୋଇଥାଉ, ତାହାହେଲେ ପୁନର୍ବାର ଜନ୍ମଭୂମିକୁ ଶସ୍ୟ-ଶ୍ୟାମଳା କରିବାକୁ ହେବ । କିନ୍ତୁ ଏହା ଜଣେ କିମ୍ବା ଦୁଇଜଣର କାର୍ଯ୍ୟ ନୁହେଁ । ରାଜ୍ୟଯାକ ଲୋକଙ୍କୁ ଏକତ୍ରିତ କରିବାକୁ ହେବ; ସୁପ୍ତ ପ୍ରାଣରେ ଜାଗରଣ-ମନ୍ତ୍ର ପଢ଼ିବାକୁ ହେବ; ଓଡ଼ିଆ ଜାତି ନବୀନ ଉତ୍ସାହରେ ମାତି ଉଠୁ । ଦେଶପାଇଁ ପ୍ରାଣ-ବଳି ଦେବାକୁ ସଭିଏ ପ୍ରସ୍ତୁତ ହୁଅନ୍ତୁ । ଏ ମହାସମୁଦ୍ରର ଭୀଷଣ ତରଙ୍ଗାଘାତରେ ମରହଟ୍ଟାମାନେ କୋଟି ସଂଖ୍ୟକ ହେଲେ ସୁଦ୍ଧା ବିଚୂର୍ଣ୍ଣିତ ହେବେ ।’’

 

ଏହା କହୁ କହୁ ଅଜିତସିଂହଙ୍କ ମୁଖ କ୍ରୋଧରେ ଲାଲ ହୋଇଗଲା । ତାହାଙ୍କ ନାଶାପୁଡ଼ାଦ୍ୱୟ ଉତ୍ସାହର ବେଗରେ ପୁଲକିତ ହେବାକୁ ଲାଗିଲା । ହରିହର ସାଏ ତାଙ୍କ ଉତ୍ସାହ-ବାକ୍ୟରେ ମାତିଉଠିଲେ । ସେ ଅଜିତସିଂହଙ୍କୁ ଗାଢ଼ ଆଲିଙ୍ଗନ-ପାଶରେ ଆବଦ୍ଧ କରି କହିଲେ, ‘‘ଆଜି ଆପଣ ମୋର ମୋହ-ନିଦ୍ରା ଭାଙ୍ଗିଛନ୍ତି । ସମ୍ମୁଖରେ ବିପଦ ଥାଉ ଥାଉ ମୁଁ ଘରେ ନିଶ୍ଚିନ୍ତ ହୋଇ ବସି ରହିଥିଲି । କିନ୍ତୁ ଆପଣଙ୍କ ମନ୍ତ୍ର-ବଳରେ ମୋର ଜଡ଼ତା ଅପସାରିତ ହୋଇଅଛି ।’’

 

ଆନନ୍ଦରେ ଅଜିତସିଂହ ଏବଂ ହରିହର ସାଏଙ୍କ ଚକ୍ଷୁରୁ ଲୋତକ ବୋହିବାକୁ ଲାଗିଲା । ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରି ସେହିକ୍ଷଣି ସମ୍ବଲପୁର ଦୁର୍ଗାଭିମୁଖରେ ଯିବାର ପ୍ରସ୍ତାବ କଲେ ଏବଂ ଶାନ୍ତି ଓ ତାହାର ଜନନୀଙ୍କଠାରୁ ବିଦାୟ ନେଇ ସେହି ଗାଢ଼-ଅନ୍ଧକାରମୟ ନିଶିଥରେ ପ୍ରସ୍ଥାନ କଲେ ।

•••

 

ତୃତୀୟ ପରିଚ୍ଛେଦ

ବାଳିକା

 

ସମ୍ବଲପୁରର ଉତ୍ତର-ତୀରରେ (୧) ରମ୍ପେଲା ଗ୍ରାମ । ସ୍ୱଚ୍ଛ-ସଲିଳା ଇବନଦୀ ସେହି ଗ୍ରାମର ଚରଣ ଧୌତକରି ପ୍ରବାହିତା । ବୃକ୍ଷ-ଲତା-ପରିବେଷ୍ଟିତା ରମ୍ପେଲା କାନନ-ଲକ୍ଷ୍ମୀଙ୍କ କ୍ରୋଡ଼ାବସ୍ଥିତ ଗୋଟିଏ ଅମୂଲ୍ୟ ରତ୍ନ ।

 

ଶାନ୍ତିର ଗୃହ ରମ୍ପେଲାରେ । ତାହାର ପିତା ଜଣେ ଉଚ୍ଚ-ବଂଶ-ସମ୍ଭୂତ କୁଳୀନ କ୍ଷତ୍ରିୟ ଥିଲେ । ସେ ଦକ୍ଷତାସହକାରେ ସମ୍ବଲପୁର ରାଜ୍ୟର ସେନାପତି କାର୍ଯ୍ୟ ଚଳାଇଥିଲେ । ତାଙ୍କ ମରଣାନ୍ତେ ତାଙ୍କ ପୁତ୍ର ହରିହର ସାଏ ସେନା-ବିଭାଗରେ ପ୍ରବେଶ କଲେ ଏବଂ ସ୍ୱୟଂ ରଣକୌଶଳ-ବଳରେ ଶୀଘ୍ର ଉଚ୍ଚପଦ ପ୍ରାପ୍ତ ହୋଇଥିଲେ । କିନ୍ତୁ ଯେତେବେଳେ ମରହଟ୍ଟାମାନେ ସମ୍ବଲପୁର ଆକ୍ରମଣ କରିବାକୁ ଆସନ୍ତି, ସେ ସେନା ବିଭାଗରୁ ବିଦାୟ ନେଇ ଆସି ରମ୍ପେଲାରେ ରହିଲେ ।

 

ସମ୍ବଲପୁର ଦୁଇଗୋଟି ପ୍ରାକୃତିକ ବିଭାଗରେ ବିଭକ୍ତ-ଉତ୍ତର-ତୀର ଓ ଦକ୍ଷିଣ-ତୀର । ମହାନଦୀର ବାମତୀରବର୍ତ୍ତୀ ପ୍ରଦେଶ ଉତ୍ତରତୀର ନାମରେ ପରିଚିତ ।

 

ଶାନ୍ତି ଦୁଃଖିନୀ ମାତା, ଭାଇ ଏବଂ ଭାଉଜ ସଙ୍ଗେ ମନସୁଖରେ ସ୍ୱୟଂ କୁଟୀରରେ ଥିଲା; କିନ୍ତୁ ଯେଉଁ ଦିନ ଅଜିତସିଂହଙ୍କ ସଙ୍ଗେ ତାହାର ସାକ୍ଷାତ୍‌ ହେଲା, ସେହି ଦିନଠାରୁ ତାହାର ମନର ଗତି ଭିନ୍ନ ଦିଗରେ ପ୍ରାଧାବିତ ହେଲା । ଶାନ୍ତି ଆଜିଯାଏ ସରଳା ବାଳିକା ଥିଲା; କିନ୍ତୁ ଅଜିତସିଂହଙ୍କୁ ଦେଖିବା ଦିନରୁ ସେ ନିଜ ଲଘୁ ହୃଦୟରେ ଗୁରୁଭାର ଅନୁଭବ କରିବାକୁ ଲାଗିଲା । ତାହାର ବାଳ-ସୁଲଭ ସରଳତା କେଉଁଆଡ଼େ ଉଭେଇ ଗଲା । ସେ ପ୍ରେମ-ମନ୍ତ୍ରରେ ଦୀକ୍ଷିତ ହେଲା ।

 

ପ୍ରେମର ପଥ ଜଟିଳ । ପ୍ରେମିକ-ପ୍ରେମିକା ଅବିଚ୍ଛିନ୍ନ ସୁଖ ଭୋଗ କରିପାରନ୍ତି ନାହିଁ । ସେମାନଙ୍କ ଜୀବନରେ ନାନା ଦୁଃଖର ଅଭିନୟ ହୋଇଥାଏ । କିନ୍ତୁ ଏ ଦୁଃଖ ମଧ୍ୟରେ ସେମାନେ ଯେଉଁ ସୁଖାନୁଭବ କରନ୍ତି, ତାହା ଯେ ପ୍ରକୃତ ପ୍ରେମିକ ନୁହେଁ”, ସେ କଦାପି ବୁଝି ନପାରେ !

 

ଆଜି ଶାନ୍ତିର ସେହି ଦଶା । ସେ ହଠାତ୍‌ ପ୍ରେମ-ସାଗରରେ ନିଜ କ୍ଷୁଦ୍ର ତରୀକୁ ଭସାଇ ଦେଇଅଛି । କିନ୍ତୁ ଯେ ତା’ର ଏ ତରୀର କର୍ଣ୍ଣଧାର ହୁଅନ୍ତେ, ସେ ଅଧୁନା ନିକଟରେ ନାହାନ୍ତି । ତାଙ୍କ ଅଭାବରେ ଦୁଃଖିନୀ ଶାନ୍ତି ସେହି ସାଗରର ତରଙ୍ଗରେ ଅସହାୟ ଭାବରେ ଭାସୁଅଛି ।

 

ଶାନ୍ତି ପୂର୍ବେ ଅଜିତସିଂହଙ୍କୁ କେବେ ଦେଖି ନ ଥିଲା; କିନ୍ତୁ ଯେଉଁଦିନ ତାଙ୍କୁ ପ୍ରଥମକରି ଦେଖିଲା, ସେହିଦିନ ସେ ତାଙ୍କଠାରେ ନିଜ କ୍ଷୁଦ୍ର ହୃଦୟଖଣ୍ଡିକ ବିକ୍ରୟ କରିଦେଲା । ତାହାର ସେ ହୃଦୟକୁ ସଙ୍ଗରେ ନେଇ ଅଜିତସିଂହ ସ୍ୱଦେଶର ମାନରକ୍ଷା କରିବାସକାଶେ ଯୁଦ୍ଧକ୍ଷେତ୍ରକୁ ଯାଇଛନ୍ତି-। ଯେତେବେଳେ ଶାନ୍ତି ଭାବେ ଯେ, ତା’ ହୃଦୟର ଦେବତା ଯୁଦ୍ଧ-କ୍ଷେତ୍ରରେ ଅଛନ୍ତି, ଶତ୍ରୁର ଦର୍ପ ଚୂର୍ଣ୍ଣ କରିବାସକାଶେ ବିପୁଳ ଆୟୋଜନ କରୁଛନ୍ତି, ତାହାର ହୃଦୟ ପୁଲକରେ ନାଚିଉଠେ । ସେ ନାନା ସୁଖର ସ୍ୱପ୍ନ କଳ୍ପନା କରି ମନେ ମନେ ମା’ ସମଲେଶ୍ୱରୀଙ୍କୁ ପ୍ରାର୍ଥନାକରେ, ‘‘ମା, ମୋର ସ୍ୱାମୀଙ୍କୁ ବଳ ଦିଅ । ସେ ଦେଶର ମାନ ରକ୍ଷାକରି ଯଶସ୍ୱୀ ହୁଅନ୍ତୁ ।’’ ପରେ ଯେତେବେଳେ ବିରହ-ଯନ୍ତ୍ରଣା ତା’ର ହୃଦୟକୁ ଅବଶ କରେ, ସେ ଶୋକରେ ଅଧୀର ହୋଇଯାଏ । ଅଜିତସିଂହଙ୍କୁ ଦେଖିବାପାଇଁ ମନ ବ୍ୟାକୁଳ ହୁଏ ।

 

କିନ୍ତୁ ଅଜିତସିଂହ ତାକୁ ଦେଖା ଦେବେ କି ? ସେ ରାଜପୁତ୍ର । ଦୁଃଖିନୀ ଶାନ୍ତିର କଥା ତାଙ୍କ ମନେ ପଡ଼ିବ କି ? ତାଙ୍କ ବୀର-ମୂର୍ତ୍ତିକୁ ଶାନ୍ତି ଏକାଗ୍ରଚିତ୍ତରେ ପୂଜାକରୁଛି ବୋଲି ସେ ଜାଣି ପାରିବେ କି ? ଯଦି ସେ ଶାନ୍ତିକୁ ଘୃଣା କରନ୍ତି, ଶାନ୍ତିକି ପାଶୋରିଯାନ୍ତି, ତାହାହେଲେ ତାହାର ଦଶା କଣ ହେବ ? ଏହି ଭାବନା ମଧ୍ୟେ ମଧ୍ୟେ ଶାନ୍ତିର ମନରେ କଷ୍ଟ ଦିଏ । କିନ୍ତୁ ପରେ ସେ ଭାବେ, ତା’ର ହୃଦୟେଶ୍ୱର ନିର୍ଦ୍ଦୟ ନୁହନ୍ତି । ସେ ରାଜବଂଶ-ଜାତ ହେଲେ ସୁଦ୍ଧା ଉଦାର ଓ ମହାନ୍‌ । ଶାନ୍ତିର କ୍ଷୁଦ୍ର ସ୍ମୃତିକୁ ସେ କଦାପି ଭୁଲିବେନାହିଁ ।

 

ଶାନ୍ତିର ଏ ଭାବନା, ଏ ବିରହ-ଚିନ୍ତା କେବଳ ଜଣେ ଲକ୍ଷ୍ୟ କରିଥିଲା । ସେ ତା’ ଭାଉଜ ଗୁଞ୍ଜମଣି । ଶାନ୍ତିକୁ ଏପରି ଚିନ୍ତା କରୁଥିବାର ଦେଖି ତା’ ମନରେ ଦୟା ହେଲା । ସେ ଶାନ୍ତିର ମନର ଭାବ ବୁଝିପାରିଲା । ଦିନେ ସେ ଶାନ୍ତି ନିକଟକୁ ଯାଇ କହିଲା, ‘‘ଶାନ୍ତି, ଆଜିକାଲି ତୁମ ମନରେ ସୁଖ ନାହିଁ କାହିଁକି ? ତୁମେ ସବୁବେଳେ ଏକୁଟିଆ ବସି କଣ ଭାବୁଛ ? ଆହା, ସୁନାମୁହଁଟି କଳା ପଡ଼ିଗଲାଣି ! ମୋ’ ରାଣ ତୁମର କଣ ହେଲା, କହ ।’’ ଶାନ୍ତି ଛନ୍ଦକପଟ କିଛି ଜାଣେନାହିଁ । ବୋହୂର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଧରା ପଡ଼ିଲା ।

 

ଗୁଞ୍ଜମଣି ଶାଶୁଙ୍କ ନିକଟକୁ ଯାଇ ଶାନ୍ତିର ଦୁଃଖ-କାହାଣୀ କହିଲା । ଗୁଞ୍ଜମଣି ମୁଖରୁ ସେ ଶାନ୍ତିର ହୃଦୟ ବିକ୍ରୟ ବିଷୟ ଶୁଣି ମନେ ମନେ ସୁଖୀ ହେଲେ । ଶାନ୍ତି ରାଜରାଜେଶ୍ୱରୀ ହେବ, ଏଥିରୁ ବଳି ସୁଖର କଥା ଆଉ କଣ ହୋଇପାରେ ?

 

ପୂର୍ବେ ଗୁଞ୍ଜମଣି ଶାନ୍ତିକୁ ଶୁଭ ଦୃଷ୍ଟିରେ ଦେଖୁ ନ ଥିଲା; କିନ୍ତୁ ଯେଉଁଦିନ ସେ ଶାନ୍ତିର ମନର ଭାବ ବୁଝିପାରିଲା, ସେହି ଦିନଠାରୁ ନଣନ୍ଦ-ଭାଉଜଙ୍କର ଭାରି ମନ ମିଳିଲା । ହୃଦୟ ସମଭାବାପନ୍ନ ନ ହେଲେ ସମବେଦନାର ଉଦ୍ରେକ ଅସମ୍ଭବ । ଗୁଞ୍ଜମଣି ନିଜେ ଯେ ସ୍ୱାମୀ-ବିରହରେ ଅଧୀର ! ଏଥିପାଇଁ ଦୁହେଁ ଏକାଠି ବସି ଗଳ୍ପ କରନ୍ତି, ଏକାଠି ବସି କାନ୍ଦନ୍ତି । ଶାନ୍ତିର ମନକୁ ଭୁଲାଇବା ସକାଶେ ଗୁଞ୍ଜମଣି ଅନେକ ଚେଷ୍ଟା କରେ-ନାନା ବୀରତ୍ୱ-କାହାଣୀ କହେ । ଶାନ୍ତି ବୀରମାନଙ୍କ ସ୍ୱାର୍ଥତ୍ୟାଗ ବିଷୟ ଶୁଣି ଆହ୍ଲାଦିତ ହୁଏ ଏବଂ ମନେ ମନେ ଅଜିତସିଂହଙ୍କ ସ୍ୱାର୍ଥତ୍ୟାଗ କାମନା କରେ ।

 

ଏହିପରି ଅନେକ ଦିନ ଅତୀତ ହେଲା; କିନ୍ତୁ ଅଜିତସିଂହ ଶାନ୍ତି ନିକଟକୁ ଆସିଲେ ନାହିଁ-। ଗୁଞ୍ଜମଣିର ମୁଖରୁ ଶାନ୍ତି ଶୁଣିଥିଲା ଯେ ମରହଟ୍ଟାମାନେ ଓଡ଼ିଆମାନଙ୍କ କର୍ତ୍ତୃକ ଦୁଇଥର ପରାଜିତ ହେଲେ । ସେଥି ମଧ୍ୟରୁ ଗୋଟିଏ ଯୁଦ୍ଧରେ ସ୍ୱୟଂ ଅଭୟ ସିଂହ (୧) ସେନାପତି ଥିଲେ ଏବଂ ଅପର ଯୁଦ୍ଧରେ ଅଜିତସିଂହ ସେନାପତି ଥିଲେ । ପ୍ରାଣକାନ୍ତଙ୍କ ବିଜୟ-ବାର୍ତ୍ତା ଶୁଣି ଶାନ୍ତି ପୁଲକିତ ହେଲା । ତାହାର ପତିଦର୍ଶନେଚ୍ଛା ବଳବତୀ ହେଲା । କିନ୍ତୁ ଅଜିତସିଂହ ଯୁଦ୍ଧରେ ଜୟଲାଭ କଲେ ସୁଦ୍ଧା ଶାନ୍ତି ନିକଟକୁ ଆସିଲେ ନାହିଁ, ତା’ ଜୀବନର ପ୍ରଧାନ ସ୍ପୃହା ମେଣ୍ଟାଇଲେ ନାହିଁ । ଶାନ୍ତି ନୀରବରେ କ୍ରନ୍ଦନ କରିବାକୁ ଲାଗିଲା । ତାହାର କ୍ଷୁଦ୍ର ହୃଦୟଖଣ୍ଡିକ ଦୁଃଖରେ ଅବସନ୍ନ ହୋଇଗଲା-

 

(୧)

ସମ୍ବଲପୁରର ନୃପତି ବିଶେଷ । ଏହାଙ୍କ ସମୟରେ ମରହଟ୍ଟାମାନେ ଓଡ଼ିଆମାନଙ୍କ ଦ୍ୱାରା ପରାଜିତ ହୋଇଥିଲେ । ବିସ୍ତୃତ ବିବରଣ ଇତିହାସରେ ଅନୁସନ୍ଧେୟ ।

•••

 

ଚତୁର୍ଥ ପରିଚ୍ଛେଦ

ପୂର୍ଣ୍ଣପ୍ରଭା

 

ମରହଟ୍ଟାମାନେ ଯୁଦ୍ଧରେ ପରାଜିତ ହେଲେ । ସେମାନଙ୍କ ଦର୍ପ ଏକାବେଳକେ ଚୂର୍ଣ୍ଣ ହୋଇଗଲା । ମା’ ସମଲେଶ୍ୱରୀଙ୍କ ବିଜୟ-ପତାକା ବାରପାହାଡ଼ର ଶିଖର-ଦେଶରେ ସଂସ୍ଥାପିତ ହେଲା । ଦେଶରେ ଆନନ୍ଦର ସ୍ରୋତ ପ୍ରବାହିତ ହେବାକୁ ଲାଗିଲା । କିନ୍ତୁ ଦୁଃଖିନୀ ଶାନ୍ତିର ଦୁଃଖ ମେଣ୍ଟିଲା ନାହିଁ । ଦିନକୁ ଦିନ ସେ କ୍ଷୀଣ ହେବାକୁ ଲାଗିଲା ।

 

ଗୁଞ୍ଜମଣି ନଣନ୍ଦର ଦୁଃଖ ଦେଖି ସହି ପାରିଲାନାହିଁ । ତା’ ମନରେ ସୁଦ୍ଧା କଷ୍ଟ । ହରିହର ସାଏ ଯୁଦ୍ଧ-କ୍ଷେତ୍ରରେ ଜୟଲାଭ କରି ସୁଦ୍ଧା ଫେରିଲେ ନାହିଁ । ସେମାନଙ୍କ ଆଗମନରେ ବିଳମ୍ବ ହେବାରୁ ଦୁଇ ନଣନ୍ଦ-ଭାଉଜଙ୍କ ମନରେ ମର୍ମାନ୍ତିକ କଷ୍ଟ ହେଲା । କିନ୍ତୁ ଗୁଞ୍ଜମଣି ଶାନ୍ତିଠାରୁ ବୟସରେ ବଡ଼ । ସେ ଏଥିପୂର୍ବେ ଅନେକ ଥର ଏପରି ବିରହ-ବେଦନା ସହିଥିଲା । ବୀର-ପତ୍ନୀର ଭାଗ୍ୟରେ ବିଧାତା ଏହି କଷ୍ଟ ଲେଖିଛନ୍ତି–ବୀର-ରମଣୀ ଅକାତରେ ସେ କଷ୍ଟ ସହିପାରେ । ତାହାର ସ୍ୱାମୀ ଦେଶ-ସେବାରେ ନିଯୁକ୍ତ ବୋଲି ସେ ମନରେ ଗର୍ବ ଅନୁଭବ କରେ ।

 

ଶାନ୍ତିକୁ ସୁଖୀ କରିବାପାଇଁ ଗୁଞ୍ଜମଣି ଅନେକ ଚେଷ୍ଟାକରେ, ତାକୁ ଅନେକ ସାନ୍ତ୍ୱନା ଦିଏ; କିନ୍ତୁ ଶାନ୍ତିର ମନମାନେ ନାହିଁ । ସେ ନିଜେ ନିଜ ମନକୁ ପ୍ରବୋଧିତ କରିବାକୁ ଚେଷ୍ଟା କରେ ମଧ୍ୟ; କିନ୍ତୁ ତାହାର ସକଳ ଚେଷ୍ଟା ବିଫଳ ହୁଏ । ଶାନ୍ତି ପୂର୍ବେ କେବେ ଏପରି କଷ୍ଟ ପାଇ ନ ଥିଲା; କିନ୍ତୁ ଯେଉଁଦିନ ସେ ପ୍ରେମ-ପଥର ପଥିକ ହେଲା, ସେହିଦିନ ତା’ର କଷ୍ଟର ସୃଷ୍ଟି ହେଲା । ବିଧାତା ପବିତ୍ର ପ୍ରେମର-ପଥକୁ କାହିଁକି କଣ୍ଟାକିତ କରନ୍ତି, କିଏ କହିପାରେ ?

 

ଦିନେ ଶାନ୍ତି ଓ ଗୁଞ୍ଜମଣି ମନର ବେଦନା ସମ୍ଭାଳି ନ ପାରି ଘରବଗିଚାରେ ଯାଇ ବସିଲେ । ଘୋର ତମୋମୟୀ ନିଶିଥିନୀ । ଚନ୍ଦ୍ର-ବିହୀନ ନକ୍ଷତ୍ରଗୁଡ଼ିକ ଆନନ୍ଦିତ ହୋଇ ଆକାଶରେ ଝଲସୁଛନ୍ତି । ସେମାନଙ୍କ ଆଲୋକ ଉଦ୍ୟାନର ବୃକ୍ଷଗୁଡ଼ିକର କଷ୍ଟ ଦୂର କରିପାରୁ ନାହିଁ-। ସ୍ଫୁଟନୋନ୍ମୁଖ ଫୁଲଗୁଡ଼ିକ ଚନ୍ଦ୍ରର ଅଭାବରେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି । ଶାନ୍ତି ଓ ଗୁଞ୍ଜମଣି ଉଦ୍ୟାନକୁ ଯାଇ ଗୋଟିଏ ବୃକ୍ଷତଳେ ଉପବେଶନ କଲେ । ବୃକ୍ଷତଳେ ବସି ଦୁହେଁ ଦୁହିଁଙ୍କୁ ନିଜ ନିଜ ହୃଦୟର ଦ୍ୱାର ଉନ୍ମୁକ୍ତ କରି ଦେଖାଇଲେ । ଦୁଃଖରେ, କ୍ଷୋଭରେ ଉଭୟଙ୍କ ଚକ୍ଷୁ ଲୋତକାର୍ଦ୍ର ହେଲା । ପରେ ଉଦ୍ୟାନର ମଲ୍ଲିକା ଉପରେ ସେମାନଙ୍କ ଦୃଷ୍ଟି ପଡ଼ିଲା । ସେମାନେ ଦେଖିଲେ, କଳିକାଗୁଡ଼ିକ ଜ୍ୟୋତ୍ସ୍ନା ଅଭାବରେ ଝୁରି ମରୁଛନ୍ତି । ସେମାନଙ୍କୁ ଦେଖି ଶାନ୍ତିର ମନରେ ଦୟା ହେଲା । ସେ ସେମାନଙ୍କୁ ଚୁମ୍ବନକରି କହିଲା, ‘‘ଆହା, ଫୁଲଗୁଡ଼ିକ ମୋ’ପରି କେତେ କଷ୍ଟ ପାଉଛନ୍ତି !’’ ଶାନ୍ତିର ନୟନ ଲୋତକରେ ପୂର୍ଣ୍ଣ ହୋଇଗଲା ।

 

ନଣନ୍ଦ-ଭାଉଜ ଏପରି ଅନେକ ବେଳଯାଏ ସେଠାରେ ବସି ରହିଲେ । ରଜନୀ ଗାଢ଼ରୁ ଗାଢ଼ତର ହେବାକୁ ଲାଗିଲା । ଗ୍ରାମର ଚୌକିଦାର ଘରେ ଘରେ ବୁଲି ପହରା ଦେଇଗଲା । ଚୌକିଆର ଡ଼ାକ ଶୁଣି ଗ୍ରାମଯାକ ସଭିଏ ସତର୍କ ହୋଇ ଶୋଇଲେ । ସେମାନଙ୍କ କୋଳାହଳରେ ରଜନୀର ନିସ୍ତବ୍ଧତା ଟିକିଏ ଭଗ୍ନ ହେଲା । କିଛିକ୍ଷଣ ପରେ ଗ୍ରାମ ପୁଣି ନିଃଶବ୍ଦ ହେଲା । ଝିଙ୍କାରିମାନେ ‘‘ଝିଁ ଝିଁ’’ ଶବ୍ଦ କରିବାକୁ ଲାଗିଲେ । ସର୍ବତ୍ର ଶାନ୍ତିର ରାଜ୍ୟ ପ୍ରତିଷ୍ଠିତ ହେଲା ।

 

ଶାନ୍ତି ଓ ଗୁଞ୍ଜମଣି ଏ ନିସ୍ତବ୍ଧତାମୟୀ ରଜନୀରେ ଉପରୋକ୍ତ ବୃକ୍ଷମୂଳେ ବସି ନାନା ବିଷୟରେ ଗଳ୍ପ କରିବାକୁ ଲାଗିଲେ । ଗୁଞ୍ଜମଣିର କ୍ରୋଡ଼ରେ ମସ୍ତକ ରଖି ଶାନ୍ତି ଅନେକ ବିଳାପ କଲା, କାନ୍ଦି କାନ୍ଦି କୋଳଉପରେ ଶୋଇପଡ଼ିଲା । ଗୁଞ୍ଜମଣି ନଣନ୍ଦର ଏ ଅବସ୍ଥା ଦେଖି ବ୍ୟଥିତ ମନରେ ଚିନ୍ତା କରିବାକୁ ଲାଗିଲା । ଶାନ୍ତିର ବ୍ୟାକୁଳ-ପ୍ରାଣକୁ ଶୀତଳ କରିବାର ଉପାୟ ତାକୁ ଦିଶିଲା ନାହିଁ । ନିଜ ଦୁଃଖଉପରେ ନଣନ୍ଦର ଦୁଃଖ ତା’ ହୃଦୟକୁ ଆକ୍ରମଣ କରି ତାକୁ ଅବସନ୍ନ କରିପକାଇଲା । ସେ ମଧ୍ୟ ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲା ।

 

ଗୁଞ୍ଜମଣିର ଚକ୍ଷୁର ଲୋତକ ଯାଇ ଶାନ୍ତିର ଦେହ ଉପରେ ପଡ଼ିଲା ଶାନ୍ତି ଚମକିପଡ଼ି କହିଲା, ‘‘ବୋହୂ, ତୁମେ କାନ୍ଦୁଛ ?’’

 

ଶାନ୍ତିର ସେ କରୁଣ ପ୍ରଶ୍ନ ଶୁଣି ଗୁଞ୍ଜମଣିର ହୃଦୟ ଆହୁରି ଉଦ୍‌ବେଳିତ ହେବାକୁ ଲାଗିଲା । ସେ କି ଉତ୍ତର ଦେବ, କିଛି ସ୍ଥିର କରିପାରିଲା ନାହିଁ । ତାକୁ ଚତୁର୍ଦ୍ଦିଗ ଶୂନ୍ୟ ପ୍ରତୀତ ହେଲା । ଶାନ୍ତିକୁ କୁଣ୍ଢେଇକରି କାନ୍ଦିବାକୁ ଲାଗିଲା । ପରେ ବହୁ କଷ୍ଟରେ ଲୋତକ ସମ୍ବରଣ କରି, କ’ଣ କହିବାକୁ ଯାଉଥିଲା । ଏମନ୍ତ ସମୟରେ ହଠାତ୍‌ ଗ୍ରାମର ପୂର୍ବ ପ୍ରାନ୍ତରେ ଗୋଟିଏ ଭୟଙ୍କର ଶବ୍ଦ ଶୁଣାଗଲା । ସେ ଶବ୍ଦ ଶୁଣି ନଣନ୍ଦ-ଭାଉଜ ଚମକି ପଡ଼ିଲେ । ପୂର୍ବ ଦିଗକୁ ନିରୀକ୍ଷଣ କରି ଦେଖିଲେ ଯେ, ଦିଗ୍‌ବଳୟ ରକ୍ତବର୍ଣ୍ଣ ଧାରଣ କରିଅଛି । ସେମାନେ ବ୍ୟାକୁଳ ନୟନରେ ସେ ଅସମ୍ଭାବନୀୟ ଘଟଣା ଦେଖିବାକୁ ଲାଗିଲେ । ଦେଖୁ ଦେଖୁ ପୂର୍ବ ଦିଗ ଆହୁରି ଭୟଙ୍କର ହେବାକୁ ଲାଗିଲା । ପ୍ରବଳ ଶିଖାରେ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇ ପୂର୍ବ ଦିଗର ଭୟଙ୍କରତା ଆହୁରି ବୃଦ୍ଧିକଲା । ଗୃହପରେ ଗୃହ ସେ ଅଗ୍ନିରେ ଭସ୍ମସାତ୍‌ ହେବାକୁ ଲାଗିଲା । ଗ୍ରାମରେ କ୍ରନ୍ଦନର ରୋଳ ଉଠିଲା । ଗ୍ରାମବାସୀ ସଭିଏ ନିଜ ନିଜ ଗୃହ ପରିତ୍ୟାଗ କରି ଚତୁର୍ଦ୍ଦିଗରେ ହାହାକାର କରିବାକୁ ଲାଗିଲେ ।

 

ଦେଖୁ ଦେଖୁ ଶାନ୍ତିର ଗୃହରେ ସୁଦ୍ଧା ଅଗ୍ନିର ଲେଲିହ୍ୟମାନ ଜିହ୍ୱା ପରିଦୃଷ୍ଟ ହେଲା । ବାଉଁଶର ‘କଟ୍‌ କଟ୍‌’ ‘ଫଟ୍‌ ଫଟ୍‌’ ଶବ୍ଦରେ ଆକାଶ ପ୍ରତିଧ୍ୱନିତ ହେବାକୁ ଲାଗିଲା । ଶାନ୍ତିର ଜନନୀ ଭୟବିହ୍ୱଳା ହୋଇ ଚାରିଆଡ଼େ ଅଣ୍ଡାଳି ହେଲେ; କିନ୍ତୁ କୌଣସିଠାରେ ଶାନ୍ତି ଓ ଗୁଞ୍ଜମଣିକୁ ପାଇଲେ ନାହିଁ । ପରିଶେଷରେ ଅତିଶୟ କାତର ହୋଇ ଉଦ୍ୟାନକୁ ଆସି ଦେଖିଲେ ଯେ, ଶାନ୍ତି ଓ ଗୁଞ୍ଜମଣି ଗୋଟିଏ ବୃକ୍ଷତଳେ ଛିଡ଼ା ହୋଇ ସେ ଭୟାବହ ଦୃଶ୍ୟ ଦେଖୁଛନ୍ତି । ସେମାନଙ୍କୁ ଦେଖି ତାଙ୍କ ଜୀବନ ପଲ୍ଲବିତ ହେଲା । ତିନିହେଁଯାକ ବୃକ୍ଷାନ୍ତରାଳରେ ଯାଇ ଲୁଚି ରହିଲେ ।

 

ସେମାନଙ୍କ ଘର ପୋଡ଼ିବା ସଙ୍ଗେ ଅନେକଗୁଡ଼ିଏ ମୁଣ୍ଡ ଆଲୋକରେ ଦେଖାଗଲା । ଦସ୍ୟୁମାନଙ୍କ ‘‘ଧର ଧର’’ ‘‘ମାର ମାର’’ ଶବ୍ଦରେ ଆକାଶ ବିକମ୍ପିତ ହେବାକୁ ଲାଗିଲା । ଦସ୍ୟୁମାନେ ଘରକୁ ତନ୍ନ ତନ୍ନ କରି ଖୋଜି ଉଦ୍ୟାନକୁ ଆସିଲେ, ଏବଂ ବୃକ୍ଷାନ୍ତରାଳରେ ଶାନ୍ତି ପ୍ରଭୃତିଙ୍କୁ ଦେଖି ଭୟଙ୍କର ଗର୍ଜନସହ ସେମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେଲେ ।

 

ସେମାନେ ସତୀଉପରେ ଅତ୍ୟାଚାର କରିବାକୁ ଯାଉଛନ୍ତି, ଏପରି ସମୟରେ ପଶ୍ଚାତ୍‌ଦିଗରୁ ‘‘ଜୟ ମହାରାଜ ଅଭୟ ସିଂହଙ୍କର ଜୟ’’ ଶବ୍ଦ ଶୁଣାଗଲା । ସୁପ୍ତୋତ୍ଥିତ ସିଂହପ୍ରାୟେ ବହୁସଂଖ୍ୟକ ଓଡ଼ିଆ ସୈନିକ ଆସି ଦସ୍ୟୁମାନଙ୍କୁ ଆକ୍ରମଣ କଲେ । ମରହଟ୍ଟାମାନେ ଓଡ଼ିଆମାନଙ୍କ ବୀର୍ଯ୍ୟ ସମ୍ଭାଳି ନ ପାରି ଧରାଶାୟୀ ହେଲେ । ଯେଉଁମାନେ ବଞ୍ଚିଲେ, ସେମାନେ ପ୍ରାଣଭୟରେ ପଳାୟନ କଲେ । ଓଡ଼ିଆ ସତୀର ମାନରକ୍ଷା ହେଲା ।

 

x            x            x            x

 

ଶାନ୍ତି ଏ ଗୋଳମାଳରେ ସଂଜ୍ଞାବିହୀନ ହୋଇ ପଡ଼ିଥିଲା । ଚେତନା ପାଇ ଦେଖିଲା ଯେ, ତା’ ମସ୍ତକକୁ କ୍ରୋଡ଼ରେ ରଖି କିଏ ବାରମ୍ବାର ତା’ର ମୁଖ ଚୁମ୍ବନ କରୁଛନ୍ତି । ତାଙ୍କୁ ଚିହ୍ନିବାକୁ ଶାନ୍ତିର ବେଶି ବିଳମ୍ବ ହେଲା ନାହିଁ । ଯାହାଙ୍କ ବିରହରେ ସେ ଅଧୀର ହୋଇଥିଲା, ସେହି ଅଜିତସିଂହ ତାକୁ କୋଳରେ ଧରିଛନ୍ତି । ପ୍ରାଣକାନ୍ତଙ୍କୁ ଦେଖି ଶାନ୍ତିର ଚକ୍ଷୁରୁ ଅବିରଳ ଅଶ୍ରୁଧାରା ବହିବାକୁ ଲାଗିଲା । ତା’ ମୁଖରୁ କଥା ବାହାରି ପାରିଲା ନାହିଁ । ଅଜିତ ସିଂହଙ୍କର ମଧ୍ୟ ସେହି ଦଶା-। ସେ କେବଳ ନୀରବରେ ଶାନ୍ତିର ମୁଖକୁ ଚୁମ୍ବନ କରିବାକୁ ଲାଗିଲେ । ସେ ଚୁମ୍ବନରେ କୃତାର୍ଥ ହୋଇ ଶାନ୍ତି ହୃଦୟେଶ୍ୱରଙ୍କ ଅଙ୍କରେ ଶୟନ କଲା ।

•••

 

Unknown

ଅରୁଣା

ପ୍ରଥମ ପରିଚ୍ଛେଦ

ଶତ୍ରୁ-ଶିବିରରେ

 

‘‘କଥଂ ନିଗଡ଼–ସଂକ୍ଷତାଽସିା ଦ୍ରୁତଂ

ନୟାମି ଭବତିମିତଃ–’’ରତ୍ନାବଳୀ ।

 

ପ୍ରାୟ ଅଢ଼ାଇଶବର୍ଷ ପୂର୍ବେ ସମ୍ବଲପୁର ଦୁର୍ଗଭ ଉତ୍ତର-ପଶ୍ଚିମ-ସୀମାନ୍ତ ବର୍ତ୍ତୀ ସିଙ୍ଘୋରା ଗିରିସଙ୍କଟ ନିକଟରେ ଜଣେ ଅଶ୍ୱାରୋହୀ ସତର୍କଭାବରେ ଚତୁର୍ଦ୍ଦିଗ ନିରୀକ୍ଷଣ କରି ଅଶ୍ୱ-ଚାଳନା କରୁଥିଲେ । ଅଶ୍ୱାରୋହୀଙ୍କ ବୟସ ୩୫ ବର୍ଷ ହେବ । ତାଙ୍କ ବେଶଭୂଷାରୁ ଜଣା ଯାଉଥିଲା, ସେ ଜଣେ ମରହଟ୍ଟା ସୈନିକ । ତାଙ୍କ ସର୍ବାଙ୍ଗ ଲୌହ ବର୍ମାଚ୍ଛାଦିତ; ମସ୍ତକରେ ହୀରକ-ଖଚିତ ଉଷ୍ଣୀଷ । ମୁଖ ବୀରତ୍ୱ-ବ୍ୟଞ୍ଜକ ଓ ଉତ୍ସାହପୂର୍ଣ୍ଣ; ଶରୀର ସୌଷ୍ଠବାନ୍ୱିତ ଓ ପୂର୍ଣ୍ଣାୟତନ । ଅଶ୍ୱାରୋହୀ ଗିରିସଙ୍କଟ ନିକଟକୁ ଯାଇ କିଛିକ୍ଷଣ ଅଶ୍ୱର ଗତିରୋଧ କଲେ ଏବଂ ମନ ମଧ୍ୟରେ କ’ଣ ଭାବି ଥରେ ଚାରିଆଡ଼କୁ ଅନାଇଲେ । ସେତେବେଳକୁ ସୂର୍ଯ୍ୟ ଅସ୍ତପ୍ରାୟ । ଅସ୍ତାଚଳ-ଗମନୋନ୍ମୁଖ ସୂର୍ଯ୍ୟଦେବ ସ୍ୱର୍ଣ୍ଣ କିରଣରେ ପର୍ବତଗାତ୍ରକୁ ରସାଣି ବୃକ୍ଷ-ଲତା-ପରିଶୋଭିତ ଭୂଧରକୁ ଅପୂର୍ବ ଶୋଭାରେ ବିଭୂଷିତ କରୁଅଛନ୍ତି । ସନ୍ଧ୍ୟାଗମ ଦେଖି ପକ୍ଷୀମାନେ ସ୍ୱ ସ୍ୱ କୁଲାୟ ଅଭିମୁଖରେ ପ୍ରତ୍ୟାବୃତ୍ତ ହେଉଛନ୍ତି । ମୃଗମାନେ ଚଞ୍ଚଳ ପଦବିକ୍ଷେପରେ ଅରଣ୍ୟରେ ମର୍ମର ଶବ୍ଦ ସୃଷ୍ଟି କରି ଭୟାକୁଳ-ଚିତ୍ତରେ ବିଚରଣ କରୁ ଅଛନ୍ତି ।

 

ଅଶ୍ୱାରୋହୀ ଅଶ୍ୱ-ପୃଷ୍ଠରେ ଆରୂଢ଼ ହୋଇ କିଛିକ୍ଷଣ ପ୍ରକୃତିର ସାୟନ୍ତନୀ ଲୀଳା ଦେଖିବାକୁ ଲାଗିଲେ । ପରେ ଅରଣ୍ୟକୁ ଲକ୍ଷ୍ୟ କରି ଶଙ୍ଖଧ୍ୱନି କଲେ । ଶଙ୍ଖଧ୍ୱନି ହେବା ମାତ୍ରକେ ଅରଣ୍ୟ ମଧ୍ୟରୁ ବହୁସଂଖ୍ୟକ ଅଶ୍ୱାରୋହୀ ଓ ପଦାତିକ ନିର୍ଗତ ହେଲେ ଏବଂ ସତୃଷ୍ଣ ନୟନର ଉପରୋକ୍ତ ଅଶ୍ୱାରୋହୀଙ୍କ ଆଡ଼େ ଅନାଇବାକୁ ଲାଗିଲେ । ଅଶ୍ୱାରୋହୀ ନୀରବରେ ଅଗ୍ରସର ହେଲେ । ତାଙ୍କ ମୁଖ ଅଧୁନା ଗମ୍ଭୀର; ମନ ଚିନ୍ତାକୁଳ । ନବାଗତ ସୈନିକମାନେ ତାହାଙ୍କର ଅନୁସରଣ କରିବାକୁ ଲାଗିଲେ । ସେମାନଙ୍କ ପଛେ ପଛେ ଭାରବାହୀ ଗର୍ଦ୍ଦଭାଦି ଏବଂ ମହିଳାମାନେ ରକ୍ଷି-ପରିବେଷ୍ଟିତ ହୋଇ ଯିବାକୁ ଲାଗିଲେ । କିଛିଦୂର ଗଲାପରେ ଅଶ୍ୱାରୋହୀ ପୁଣି ଅଶ୍ୱର ଗତିରୋଧ କଲେ । ସେତେବେଳକୁ ସୂର୍ଯ୍ୟାସ୍ତ ହୋଇ ସାରିଲାଣି । ନିଶା ଆଗମନ ଦେଖି ଅଶ୍ୱାରୋହୀଙ୍କ ମନ ଆହୁରି ଚିନ୍ତାକୁଳ ହେଲା । ସେ କିଛିକ୍ଷଣ ନୀରବରେ ରହି କର୍ତ୍ତବ୍ୟ ସ୍ଥିର କରିବାକୁ ଲାଗିଲେ ।

 

ହଠାତ୍‌ ପଶ୍ଚାଦ୍ଦେଶରୁ ‘‘ଜୟ ସମଲାଇର ଜୟ’’ ଶବ୍ଦ ଶ୍ରୁତିଗୋଚର ହେଲା । ବହୁସଂଖ୍ୟକ ଅଶ୍ୱାରୋହୀ ପର୍ବତରୁ ଅବତରଣ କରି ମରହଟ୍ଟା ସେନା ଆକ୍ରମଣ କଲେ । ମରହଟ୍ଟାମାନେ ଏପରି ଅତର୍କିତଭାବରେ ଶତ୍ରୁ ଦ୍ୱାରା ଆକ୍ରାନ୍ତ ହୋଇ ପ୍ରମାଦ ଗଣିଲେ । ବିଶେଷତଃ ସେତେବେଳକୁ ସେମାନେ ଗିରିସଙ୍କଟ ଭିତରକୁ ଆସି ସାରିଥିଲେଣି । ଏଆଡ଼େ ଘୋର ତାମସୀ ରଜନୀ; ତା’ପରେ ପୁଣି ଅଜ୍ଞାତ ପ୍ରଦେଶ । ଏପରି ଅବସ୍ଥାରେ ସେମାନେ ହଠାତ୍‌ ଶତ୍ରୁର ସମ୍ମୁଖୀନ ହୋଇ କ’ଣ କରିବେ, କିଛି ଠିକ୍‌ କରି ପାରିଲେ ନାହିଁ । କିନ୍ତୁ ମରହଟ୍ଟା ଜାତି ସହଜରେ ଭୀତ ହେବାର ଜାତି ନୁହନ୍ତି । ସେମାନେ କପଟ-ଯୁଦ୍ଧରେ ପଟୁ । ଶତ୍ରୁର ଏପରି ରୀତି ଦେଖି ସେତେବେଳେ ଯୁଦ୍ଧ କରିବା ଅନୁଚିତ ମନେ କରି ସେମାନେ ପୃଷ୍ଠଭଙ୍ଗ ଦେବାର ସ୍ଥିର କଲେ-। ଅଗ୍ରଗାମୀ ମରହଟ୍ଟା ଅଶ୍ୱାରୋହୀଙ୍କ ସଙ୍କେତ ମତେ ସେମାନେ ମରହଟ୍ଟା-ଜାତି ସୁଲଭ ଚଞ୍ଚଳ ପଦବିକ୍ଷେପରେ ଅରଣ୍ୟ ମଧ୍ୟରେ ପ୍ରବେଶ କଲେ । ଶତ୍ରୁମାନେ ସେମାନଙ୍କୁ ପଳାୟନ-ତତ୍ପର ଦେଖି ପଶ୍ଚାଦ୍ଧାବନ କଲେ ଏବଂ ଅବିରତ ତୀରନିକ୍ଷେପ ଦ୍ୱାରା ଅନେକଙ୍କୁ ହତାହତ କଲେ-। କିନ୍ତୁ ମରହଟ୍ଟାମାନେ ଶର-ନିକ୍ଷେପପ୍ରତି ଭ୍ରୁକ୍ଷେପ ନକରି ଗନ୍ତବ୍ୟ ପଥରେ ଅଗ୍ରସର ହେଲେ । ସେମାନେ ନିଜେ ପଳାଇବାକୁ ସମର୍ଥ ହେଲେ ସୁଦ୍ଧା ପଶ୍ଚାତ୍‌ଗାମୀ ମହିଳା ପ୍ରଭୃତିଙ୍କୁ ରକ୍ଷା କରି ପାରିଲେ ନାହିଁ । ସେ ସବୁ ଶତ୍ରୁମାନଙ୍କ ହସ୍ତଗତ ହେଲା । ଶତ୍ରୁମାନେ ମରହଟ୍ଟାମାନଙ୍କ ସମ୍ପତ୍ତି ଲୁଟ୍ କରିବାକୁ ଲାଗିଲେ ।

 

କିଛିକ୍ଷଣ ପରେ ଜଣେ ପଞ୍ଚବିଂଶତିବର୍ଷୀୟ ଯୁବକ ଅଶ୍ୱ-ପୃଷ୍ଠରେ ପର୍ବତମଧ୍ୟରୁ ବାହାରି ସେମାନଙ୍କୁ ଲୁଣ୍ଠନ-କାର୍ଯ୍ୟରୁ ନିବୃତ୍ତ କଲେ । ତାଙ୍କ ଆଦେଶମତେ ତାଙ୍କ ଅନୁଚରମାନେ ଶତ୍ରୁର ପଶ୍ଚାଦ୍ଧାବନ-କାର୍ଯ୍ୟରୁ ବିରତ ହୋଇ ଅରଣ୍ୟ-ଭିତରକୁ ଚାଲିଗଲେ । ଯୁବକ କେତେଜଣ ବିଶ୍ୱସ୍ତ ଅନୁଚରଙ୍କୁ ଡ଼ାକି ଆପନ୍ନ ମରହଟ୍ଟାରମଣୀମାନଙ୍କୁ ସେମାନଙ୍କ ତତ୍ତ୍ୱାବଧାନରେ ମରହଟ୍ଟା-ସେନାପତିଙ୍କ ନିକଟକୁ ପ୍ରେରଣ କଲେ । କିନ୍ତୁ ଜଣେ ପଞ୍ଚଦଶବର୍ଷୀୟା ଯୁବତୀକୁ ବନ୍ଦୀକରି ରକ୍ଷିଗଣ ସମଭିବ୍ୟାହାରରେ ନିଜ ଦୁର୍ଗକୁ ପଠାଇ ନିଜେ ଦୁର୍ଗାଭିମୁଖରେ ଅଗ୍ରସର ହେଲେ । ଉକ୍ତ ଯୁବତୀ ସଙ୍ଗେ ଜଣେ ଦାସୀ ସୁଦ୍ଧା ଇଚ୍ଛାପୂର୍ବକ ବନ୍ଦୀ ହେଲା ।

 

ଗିରି-ଶିଖରାବସ୍ଥିତ ଦୁର୍ଗଭିତରକୁ ଯାଇ ଯୁବକ ଉପରୋକ୍ତ ଯୁବତୀକୁ ସ୍ୱ ଶିବିରକୁ ଡକାଇଲେ । ଯୁବତୀ ସଙ୍ଗରେ ଦାସୀ ମଧ୍ୟ ଆସିଲା । ଯୁବତୀକୁ ଦେଖି ଯୁବକ କହିଲେ, ‘‘ସେନାପତିନନ୍ଦିନୀ, ଓଡ଼ିଆମାନଙ୍କ ଆଚରଣ ଦେଖି ରୁଷ୍ଟ ହେବେ ନାହିଁ । କ୍ଷତ୍ରିୟମାନେ ଯୁଦ୍ଧରେ ଜୟଲାଭ କରି ଶୂନ୍ୟ ହସ୍ତରେ ପ୍ରତ୍ୟାବୃତ୍ତ ହୁଅନ୍ତି ନାହିଁ । ଏଣୁ ଆଜି ସେନାପତିନନ୍ଦିନୀ ଏ ଦୁର୍ଗରେ ବନ୍ଦିନୀ । କିନ୍ତୁ ତୁମ୍ଭର ଭୟ କରିବାର କୌଣସି କାରଣ ନାହିଁ । ଦୁର୍ଗରେ ତୁମ୍ଭଙ୍କୁ ସମୁଚିତ ସମ୍ମାନ ଦିଆଯିବ ।’’

 

ଯୁବକଙ୍କ କଥା ଶୁଣି ଯୁବତୀ ନୀରବରେ ତଳକୁ ମୁହଁ କରି କାନ୍ଦିବାକୁ ଲାଗିଲା । ଦାସୀ କହିଲା, ‘‘ଆପଣ ଆପଣଙ୍କ କାର୍ଯ୍ୟ କରିଛନ୍ତି । ସେଥିପାଇଁ ଆମେମାନେ ଆପଣଙ୍କୁ ନିନ୍ଦା କରୁନାହୁଁ-। କିନ୍ତୁ ମରହଟ୍ଟାଶିବିରରେ କି ଆଉ କିଛି ନ ଥିଲା ?’’

 

‘‘ଥାଇପାରେ । କିନ୍ତୁ ସେଥିରେ ଆମର ଲୋଭ ନାହିଁ । କ୍ଷତ୍ରିୟ-ଜାତି ଚୋରି କରେ ନାହିଁ-।’’

 

‘‘ସେନାପତି–ନନ୍ଦିନୀଙ୍କୁ ଏପରି ବଳପୂର୍ବକ ଆଣିବା ଚୋରର କାର୍ଯ୍ୟ ନୁହେଁ କି ? ଆପଣ ବୀର-ଯୁଦ୍ଧରେ ଶତ୍ରୁକୁ ପରାସ୍ତ କରିଛନ୍ତି । କିନ୍ତୁ ରମଣୀ ଉପରେ ଅତ୍ୟାଚାର ବୀରର କାର୍ଯ୍ୟ ନୁହେଁ ।’’

 

‘‘ରମଣୀ ଉପରେ କୌଣସି ଅତ୍ୟାଚାର ହୋଇନାହିଁ । ବୀର-ନାରୀ ବୀର-ଭୋଗ୍ୟା । ସେନାପତି-ନନ୍ଦିନୀ ବୀର ରମଣୀ; ସେ ବୀର ପୁରୁଷର ଯୋଗ୍ୟା । ତାଙ୍କୁ ବୀରପୁରୁଷ-ହସ୍ତରେ ନ୍ୟସ୍ତ ହେବାର ଦେଖିଲେ ସୁଖୀ ହେବି ।’’

 

‘‘ତାଙ୍କ ହୃଦୟ-ରାଜ୍ୟରେ ରାଜା ହେବା ପାଇଁ ମରହଟ୍ଟା ବୀର ଅଛନ୍ତି । ଏଠାରେ ରହିଲେ ତାଙ୍କ ମନରେ ଦୁଃଖଛଡ଼ା ସୁଖ ହେବ ନାହିଁ ।’’

 

‘‘ଯଦି ସେପରି ହୁଏ, ତାଙ୍କ ମନରେ କଷ୍ଟ ଦେବା ମୋର ଉଦ୍ଦେଶ୍ୟ ନୁହେଁ । ମୁଁ ଏଇକ୍ଷଣି ତାଙ୍କୁ ନିରାପଦରେ ତାଙ୍କ ପିତାଙ୍କ ନିକଟକୁ ପଠାଇ ଦେବି । ଓଡ଼ିଆଜାତି ଅବଳାପ୍ରତି ସମ୍ମାନ ଦେଖାଇ ଜାଣେ । ସେନାପତିନନ୍ଦିନୀ ପିତୃ-ଶିବିରରେ ଥାଇ ଦେଖିବେ ଯେ, ଓଡ଼ିଆବୀର ମରହଟ୍ଟାବୀର ଅପେକ୍ଷା ନିକୃଷ୍ଟ ନୁହେଁ ।’’

 

ଯୁବକଙ୍କ ଶେଷ ବାକ୍ୟ ଶୁଣି ଯୁବତୀ ଲୋତକ ସମ୍ବରଣ କରି ତାଙ୍କ ଆଡ଼କୁ ଅନାଇଲା-। ଯୁବକଙ୍କ ମୁଖରେ ଉଦାରତାର ସ୍ପଷ୍ଟ ଚିହ୍ନ ଦେଖି ସେ ମୁଗ୍ଧ ହୋଇଗଲା । ଇତ୍ୟବସରରେ ଯୁବକଙ୍କ ଚକ୍ଷୁସହିତ ତାହାର ଚକ୍ଷୁ ମିଳିତ ହେଲା । ସେ ଲଜ୍ଜାରେ ତଳକୁ ଅନାଇବାକୁ ଲାଗିଲା । ଯୁବକଙ୍କ ପ୍ରତି ପୂର୍ବେ ଯେ ବିରକ୍ତି ଜନ୍ମିଥିଲା, ତାହା କେଉଁଆଡ଼େ ଉଭେଇଗଲା । ତାହାର ଶରୀରର ପ୍ରତ୍ୟେକ ଶିରାରେ ଅନନ୍ତଭୂତ ତଡ଼ିତପ୍ରବାହ ବହିବାକୁ ଲାଗିଲା-। ଯୁବତୀର ଭାବାନ୍ତର ଦେଖି ଯୁବକ କହିଲେ, ‘‘ଯଦି ସେନାପତି-ନନ୍ଦିନୀଙ୍କ ଇଚ୍ଛାହୁଏ, ତାହାହେଲେ ତାଙ୍କୁ ଅନତିବିଳମ୍ବେ ପିତୃ-ସମୀପକୁ ପଠାଇବାର ବନ୍ଦୋବସ୍ତ କରିବି ।’’

 

ଦାସୀ ଉତ୍ତର ଦେବାକୁ ଅସମର୍ଥ ହୋଇ ଯୁବତୀର ମୁଖ ଆଡ଼କୁ ଅନାଇଲା । ତାହାର ମନର ଭାବ ବୁଝିପାରି ଯୁବତୀ ବିପଦରେ ପଡ଼ିଲା । ଯୁବକଙ୍କ ପ୍ରତି ଅଲକ୍ଷିତରେ ତା’ର ଆନ୍ତରିକ ଶ୍ରଦ୍ଧା ଜାତ ହୋଇଛି । ତାଙ୍କୁ ଛାଡ଼ିଯିବା ଅଧୁନା ଏକାବେଳକେ ଅସମ୍ଭବ । ଏଆଡ଼େ ପୁଣି ଶତ୍ରୁ ଦୁର୍ଗରେ ବନ୍ଦୀ ହୋଇ ରହିବା ଅସହ୍ୟ । ଯୁବତୀକୁ ଆଉ ବୁଦ୍ଧିବାଟ କିଛି ଦିଶିଲାନାହିଁ ! ପରେ ସେ ବହୁ କଷ୍ଟରେ କହିଲା, ‘‘ଯଦି ମରହଟ୍ଟା ସେନାପତିଙ୍କ ବାହୁରେ ବଳଥାଏ; ସେ ନିଜେ ଆସି ମତେ ମୁକୁଳାଇବେ । ମରହଟ୍ଟା-ରମଣୀ ଶତ୍ରୁର କୃପାର ପାତ୍ର ହେବାକୁ ସୁଖକର ମଣେନାହିଁ ।’’

 

ତାହାର ଏ କଥା ଶୁଣି ଯୁବକ ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ । ସେ ମନେ ମନେ ତାକୁ ପ୍ରଶଂସା କରିବାକୁ ଲାଗିଲେ । ପରେ ଉଭୟଙ୍କ ରହିବାର ସୁବନ୍ଦୋବସ୍ତ କରି ଦୁର୍ଗ ରକ୍ଷାର୍ଥ ଦୁର୍ଗ-ଦ୍ୱାରଆଡ଼େ ଅଗ୍ରସର ହେଲେ ।

•••

 

ଦ୍ୱିତୀୟ ପରିଚ୍ଛେଦ

ସଂକ୍ଷିପ୍ତ ପରିଚୟ

 

‘‘–ନପାରିଲେ ଜିଣି,

ଯୁଦ୍ଧକ୍ଷେତ୍ରେ ମରିବାତ ନିଜ ହାତ କଥା ।’’–ମହାଯାତ୍ରା ।

 

ମରହଟ୍ଟା-ସେନାପତି-ନନ୍ଦିନୀଙ୍କୁ ଗିରିଦୁର୍ଗରେ ଛାଡ଼ି ସମ୍ବଲପୁରର ତଦାନୀନ୍ତନ ଇତିହାସ ବିଷୟରେ ଆଲୋଚନା କଲେ, ବୋଧହୁଏ, ଅସଙ୍ଗତ ହେବନାହିଁ । ଉପନ୍ୟାସ-ରସିକ ପାଠକମାନେ ନିରସ ଇତିବୃତ୍ତ ବୃତ୍ତାନ୍ତ ଜାଣିବାକୁ ଅନିଚ୍ଛୁକ ହୋଇ ପାରନ୍ତି । କିନ୍ତୁ ଲେଖକ ନାଚାର-। ଗଳ୍ପକୁ ପୂର୍ଣ୍ଣାଙ୍ଗ କରିବାକୁ ଗଲେ ଇତିହାସ ବିଷୟରେ ଦୁଇଚାରି କଥା କହିବା ଦରକାର, ନୋହିଲେ ଏ ଗଳ୍ପର ଐତିହାସିକ ବ୍ୟକ୍ତିମାନେ ଆଶିଂକରୂପେ ଅପରିଚିତ ହୋଇ ରହିଯିବେ । ଏଣୁ ପାଠକମାନେ ଅନୁଗ୍ରହ କରି କ୍ଷମା କରିବେ ।

 

ଅଷ୍ଟାଦଶ ଶତାବ୍ଦୀରେ ଭାରତରେ ମରହଟ୍ଟାମାନଙ୍କ ଅପ୍ରତିହତ ପ୍ରଭାବ ବିସ୍ତାରିତ ହୋଇଥିଲା । ସେମାନେ ଭାରତର ଏକ ପ୍ରାନ୍ତରୁ ଅପରପ୍ରାନ୍ତ ଯାଏ ସମର ଘୋଷଣା କରି ଭାରତରେ ହିନ୍ଦୁ ସାମ୍ରାଜ୍ୟ ସଂସ୍ଥାପନ କରିବାକୁ ପ୍ରୟାସୀ ହୋଇଥିଲେ । କିନ୍ତୁ ଏ ସମୟରେ ସେମାନଙ୍କ ପତନର ସୂତ୍ରପାତ ହୋଇଥିଲା ମଧ୍ୟ । ମରହଟ୍ଟା-ରାଜ୍ୟ-ପ୍ରତିଷ୍ଠାତା ଶିବାଜୀଙ୍କ ନୀତି ଛାଡ଼ି ସେମାନେ ହିନ୍ଦୁରାଜ୍ୟରେ ସୁଦ୍ଧା ନୃଶଂସ ଦସ୍ୟୁବୃତ୍ତି ଆଚରଣ କରୁଥିଲେ । ଅର୍ଥ-ଲୋଭରେ ପଡ଼ି ସେମାନେ ଭାରତର ପବିତ୍ର ବକ୍ଷରେ ରକ୍ତର ନଦୀ ପ୍ରବାହିତ କରୁଥିଲେ ।

 

ଏହି ସମୟରେ ସମ୍ବଲପୁର ରାଜ୍ୟର ପ୍ରଶାନ୍ତ ମୁଖରେ ସ୍ୱାଧୀନତାର ସୁମଧୁର ହାସ୍ୟ ପ୍ରତିଭାତ ହେଉଥିଲା । ସମ୍ବଲପୁର ବାଣିଜ୍ୟରେ, ବୀର୍ଯ୍ୟରେ ଐଶ୍ୱର୍ଯ୍ୟରେ ଭାରତର ଅନ୍ୟାନ୍ୟ ସ୍ୱାଧୀନ ରାଜ୍ୟମାନଙ୍କ ସମକକ୍ଷ ହୋଇ ସଭ୍ୟ ଜଗତରେ ମୁଖ ଦେଖାଇବାକୁ ସମର୍ଥ ହୋଇଥିଲା । ସମ୍ବଲପୁରର ହୀରକ-ବାଣିଜ୍ୟ ଭାରତବର୍ଷର ତଦନୀନ୍ତନ ଗଭର୍ଣ୍ଣର ଲର୍ଡ କ୍ଳାଇବଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସମ୍ବଲପୁର ହୀରା ପାଇଁ ଚିରକାଳ ପ୍ରସିଦ୍ଧ । Ptolemy, Pliny ପ୍ରଭୃତି ବୈଦେଶିକ ଲେଖକମାନେ ଏହି ହୀରା ବିଷୟରେ ଅନେକ କଥା ଲେଖିଅଛନ୍ତି । ପ୍ରସିଦ୍ଧ ଇତିହାସ-ଲେଖକ Gibbon ଲେଖିଅଛନ୍ତି–‘‘As Well as We can compare ancient with modern geography, Home was Supplied with diamond from the mine of sambalpur in Bengal’’ ସେ ତ ପୁରାତନ ଯୁଗର କଥା । ଆମ୍ଭେମାନେ ଯେଉଁ ସମୟର କଥା କହୁଅଛୁ, ସେହି ସମୟରେ ମଧ୍ୟ ସମ୍ବଲପୁରର ହୀରକ-ବାଣିଜ୍ୟ ପ୍ରସିଦ୍ଧି ଲାଭ କରିଥିଲା । ହାୟ ! ଆଜି ସେ ହୀରାକୁଦ ଅଛି; ସେହି ସମ୍ବଲପୁର ଅଛି; ସେହି ମହାନଦୀ କଳକଳ ରବରେ ସମ୍ବଲପୁରବାସୀଙ୍କୁ ମୁଗ୍ଧ କରି ମାତୃ-ସ୍ତନ୍ୟ-ଧାରାପ୍ରାୟେ ସମ୍ବଲପୁରର ବକ୍ଷରେ ପ୍ରବାହିତ ହେଉଅଛି । କିନ୍ତୁ ସେ ହୀରକ କାହିଁ ! ସେ ବୀରପୁରୁଷମାନେ କାହାନ୍ତି ! ହାୟ, ସେ ଦିନ ଆଉ ଏ ଦିନ !

ଖ୍ରୀଷ୍ଟାବ୍ଦ ୧୭୭୦ ସାଲଯାଏ ସମ୍ବଲପୁରରେ ଶତ୍ରୁର ନାମ ସୁଦ୍ଧା ଶୁଣା ନଥିଲା । କିନ୍ତୁ ଯେତେବେଳେ ମରହଟ୍ଟାମାନେ ଓଡ଼ିଶାର ବିପୁଳ ଐଶ୍ୱର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ଓଡ଼ିଶାରୁ ଚଉଥ ସଂଗ୍ରହ କରିବା ଆଶାରେ ହିନ୍ଦୁ- ରାଜ୍ୟରେ ସୁଦ୍ଧା ଲୁଣ୍ଠନ ଆରମ୍ଭ କଲେ, ଓଡ଼ିଶାର ଦକ୍ଷିଣ ବାହୁରୂପୀ ସମ୍ବଲପୁର ରାଜ୍ୟ ମରହଟ୍ଟା ବର୍ଗୀମାନଙ୍କଦ୍ୱାରା ଆକ୍ରାନ୍ତ ହୋଇଥିଲା । ସମ୍ବଲପୁରର ବିଖ୍ୟାତ ନରପତି ଅଭୟ ସିଂହଙ୍କ ଶାସନକାଳରେ ମରହଟ୍ଟାମାନଙ୍କ ଆକ୍ରମଣର ସୂତ୍ରପାତ ହେଲା-। କେତେଗୋଟି ମରହଟ୍ଟା ପୋତ ତୋପଦ୍ୱାରା ବୋଝାଇ ହୋଇ କଟକରୁ ମହାନଦୀ-ବକ୍ଷରେ ନାଗପୁର ଅଭିମୁଖରେ ଯାତ୍ରା କରୁଥିଲା । ଯେତେବେଳେ ପୋତଗୁଡ଼ିକ ସମ୍ବଲପୁରର ନିକଟବର୍ତ୍ତୀ ହେଲା, ଅଭୟସିଂହ ତାଙ୍କ ପ୍ରଧାନ ମନ୍ତ୍ରୀ ଆକବର ରାୟଙ୍କ ପରାମର୍ଶ ଅନୁସାରେ ଉକ୍ତ ପୋତଗୁଡ଼ିକୁ ମହାନଦୀ-ବକ୍ଷରେ ନିମଜ୍ଜିତ କରି ତୋପସବୁ ଅଧିକାର କଲେ । ନାଗପୁରାଧିପତି ଏ ସମ୍ବାଦ ପାଇ କ୍ରୋଧରେ ଅଧୀର ହୋଇଗଲେ । ଅଭୟସିଂହଙ୍କୁ ସମୁଚିତ ଶାସ୍ତି ଦେବା ସକାଶେ ସେ ତାଙ୍କ ବିରୁଦ୍ଧରେ ବିପୁଳ ବାହିନୀ ପ୍ରେରଣ କଲେ । ଉକ୍ତ ବାହିନୀକୁ ପାଠକମାନେ ସିଙ୍ଘୋରା ଗିରିସଙ୍କଟରେ ଦେଖିଅଛନ୍ତି, ଏବଂ ସେଠାରେ ଯାହା ଯାହା ଘଟିଲା, ତହିଁର ବିସ୍ତୃତ ବିବରଣ ପୂର୍ବ ପରିଚ୍ଛେଦରେ ପ୍ରଦତ୍ତ ହୋଇଅଛି ।

ମରହଟ୍ଟାମାନଙ୍କ ତୋପସବୁ ଅଧିକାର କରି ଅଭୟସିଂହ ଦୁର୍ଗରକ୍ଷାର ସୁବନ୍ଦୋବସ୍ତ କରିବାକୁ ଲାଗିଲେ । ଅଠର ଗଡ଼ଜାତରୁ (୧) ସୁଶିକ୍ଷିତ ଓଡ଼ିଆ ସୈନିକମାନେ ଆସି ସମ୍ବଲପୁର ଦୁର୍ଗରେ ସମବେତ ହେଲେ । ସମ୍ବଲପୁରରେ ଉତ୍ସାହର ଲହରୀ ନାଚି ଉଠିଲା । ଗ୍ରାମେ ଗ୍ରାମେ ସମର-ସମ୍ବାଦ ପ୍ରଚାରିତ ହେଲା । ମା’ ସମଲେଶ୍ୱରୀଙ୍କ ରାଜ୍ୟରେ ଶାନ୍ତି-ସଂସ୍ଥାପନ ସକାଶେ ଦୃଢ଼ପ୍ରତିଜ୍ଞ ହୋଇ ସମ୍ବଲପୁରବାସୀ ପ୍ରାଣର ମମତା ଭୁଲି ‘‘ହୀରାଖଣ୍ଡ ଛତ୍ରପତି ମହାରାଜ’’ (୨) ଅଭୟସିଂହଙ୍କ ଛତ୍ରତଳେ ସମବେତ ହେବାକୁ ଲାଗିଲେ । ସେମାନଙ୍କ ଆୟୋଜନ କୋଳାହଳରେ ସମଗ୍ର ସମ୍ବଲପୁର ନିନାଦିତ ହୋଇ ସୁପ୍ତ ପ୍ରାଣରେ ସୁଦ୍ଧା ଜାଗରଣ-ମନ୍ତ୍ର ପଢ଼ିବାକୁ ଲାଗିଲା । ମା’ ସମଲେଶ୍ୱରୀଙ୍କ ରଣ-ରଙ୍ଗିନୀ ମୂର୍ତ୍ତି ଭୟଙ୍କର ହେଲା ।

(୧)

କଳାହାଣ୍ଡି, ପାଟଣା, ସୋନପୁର, ରେଢ଼ାଖୋଲ, ବଉଦ, ବାମଣ୍ଡା, ଆଠମଳିକ, ଗାଙ୍ଗପୁର, ବଣାଇ, ଶକ୍ତି, ସାରଙ୍ଗଡ଼, ରାୟଗଡ଼ ପ୍ରଭୃତି ଅଠର ଗୋଟି ରାଜ୍ୟ ସମ୍ବଲପୁରର ଅଧୀନରେ ଥିଲା ।

(୨)

ସମ୍ବଲପୁରର ନରପତି ବଳୀୟାର ସିଂହ ସ୍ୱୟଂ ବୁଦ୍ଧିମତ୍ତା ଓ ଶକ୍ତିର ପରିଚୟ ଦେଇ ଓଡ଼ିଶାର ଗଜପତି ମହାରାଜଙ୍କଠାରୁ ଏ ଉପାଧି ସହ ତାଙ୍କ କନ୍ୟାରତ୍ନ ଲାଭ କରିଥିଲେ-। ଇତିହାସରେ ସମ୍ବଲପୁରର ଅଧିପତିମାନେ ଏହି ଉପାଧିରେ ପରିଚିତ ।

ସ୍ଥଳ-ପଥରେ ମରହଟ୍ଟାମାନଙ୍କ ଗତିରୋଧ କରିବାର ଉପଯୁକ୍ତ ସ୍ଥାନ ମଣି ଅଭୟସିଂହ ସିଙ୍ଘୋରା ଗିରି-ସଙ୍କଟକୁ ବହୁସଂଖ୍ୟକ ସୈନିକ ପ୍ରେରଣ କଲେ । ବହୁ-ଗିରି-ପରିଶୋଭିତ ସମ୍ବଲପୁର ରାଜ୍ୟରେ ସିଙ୍ଘୋରା ଅନେକ ଥର ସମ୍ବଲପୁରର ମାନରକ୍ଷା କରିଅଛି । ଆଜି ଅଭୟସିଂହ ନିଜେ ସମ୍ବଲପୁର-ଦୁର୍ଗ-ରକ୍ଷାର ଭାର ନେଇ ତାଙ୍କ ସେନାପତି ପୃଥ୍ୱୀସିଂହଙ୍କ ଅଧୀନରେ ଅନେକ ସୈନ୍ୟ ସିଙ୍ଘୋରାରେ ମରହଟ୍ଟାମାନଙ୍କ ଗର୍ବ ଚୂର୍ଣ୍ଣ କରିବା ସକାଶେ ପଠାଇଲେ ।

ପୃଥ୍ୱୀସିଂହ ସିଙ୍ଘୋରାକୁ ଆସି ପ୍ରଥମେ ଗିରି-ଶିଖର-ସ୍ଥିତ ଗୋଟିଏ ପାର୍ବତ୍ୟ ଦୁର୍ଗର ଆଶ୍ରୟ ଗ୍ରହଣ କଲେ । ସେଠାରେ ବହୁ ଦିନର ଖାଦ୍ୟ ସଂଗୃହୀତ ହେବା ସଙ୍ଗେ ସଙ୍ଗେ ଦୁର୍ଗ-ରକ୍ଷାର ମଧ୍ୟ ସୁବନ୍ଦୋବସ୍ତ ହେବାକୁ ଲାଗିଲା । ଦୁର୍ଗରେ ଅଳ୍ପସଂଖ୍ୟକ ସୈନିକ ରଖି ଅବଶିଷ୍ଟ ସୈନିକମାନଙ୍କ ପୃଥ୍ୱୀସିଂହ ଗିରିସଙ୍କଟର ସ୍ଥାନେ ସ୍ଥାନେ ଲୁଚାଇ ରଖିଲେ ଓ ଦୁର୍ଗ ପ୍ରାଚୀରରେ ଲତା-ଗ୍ରଥିତ ପ୍ରସ୍ତର ଗୁଡ଼ିକୁ ଝୁଲାଇ ରଖିଲେ । ନିଜେ ଦକ୍ଷତାସହକାରେ ସର୍ବତ୍ର ସେନା-ନିବେଶ ପର୍ଯ୍ୟବେକ୍ଷଣ କରି ସେ ମରହଟ୍ଟାମାନଙ୍କ ଆଗମନର ପ୍ରତୀକ୍ଷା କରିବାକୁ ଲାଗିଲେ ।

ମରହଟ୍ଟାମାନେ ଇତିହାସରେ କପଟ-ଯୁଦ୍ଧ ନିମନ୍ତେ ବିଖ୍ୟାତ । ସେମାନେ ସମ୍ମୁଖ-ସମରରେ କଦାପି ଶତ୍ରୁ ସଙ୍ଗେ ଯୁଦ୍ଧ କରନ୍ତି ନାହିଁ ! ଏହି ନୀତି ସେମାନଙ୍କୁ ଭାରତରେ ଏକାଧିପତ୍ୟ ଦେଇଥିଲା । କିନ୍ତୁ ଯେଉଁ ଦିନ ସେମାନେ ଏ ନୀତି ପରିତ୍ୟାଗ କଲେ, ସେହି ଦିନଠାରୁ ସେମାନଙ୍କ ପତନର ଆରମ୍ଭ ହେଲା । ଯଦି ୧୭୬୩ ଖୀଷ୍ଟାବ୍ଦରେ ସେମାନେ ପାଣିପଥ ଯୁଦ୍ଧକ୍ଷେତ୍ରରେ ସମ୍ମୁଖ-ସମରରେ ପ୍ରବୃତ୍ତ ହୋଇ ନ ଥାନ୍ତେ, ତାହାହେଲେ ଅହମ୍ମଦଶାହ ଅବ୍‌ଦଲି ଭାରତକୁ ପଦଦଳିତ କରିପାରି ନ ଥାନ୍ତେ । ଆଜି ଭାରତବର୍ଷରେ ମରହଟ୍ଟାମାନଙ୍କ ସାମ୍ରାଜ୍ୟ ପ୍ରତିଷ୍ଠିତ ହୋଇଥାନ୍ତା । କିନ୍ତୁ ବିଧାତାଙ୍କ ଇଚ୍ଛା କିଏ ଏଡ଼ିପାରେ ?

ମରହଟ୍ଟା ସେନାପତି ରଘୁଜିରାଓ କପଟ-ଯୁଦ୍ଧରେ ପାରଦର୍ଶୀ ଥିଲେ । ସେ ସିଙ୍ଘୋରା ନିକଟକୁ ଆସି ଦେଖିଲେ ଯେ, ସାବଧାନଭାବରେ ଗିରିସଙ୍କଟ ପାର ନ ହେଲେ ବିପଦ ଅବଶ୍ୟମ୍ଭାବୀ । ତାଙ୍କ ସଙ୍ଗେ ବହୁସଂଖ୍ୟକ ସୈନିକ ଥିଲେ । ତାଙ୍କ ପରିବାର ମଧ୍ୟ ତାଙ୍କ ସଙ୍ଗେ ଯୁଦ୍ଧକୁ ଆସିଲେ ।

ଅରୁଣା ରାଘୁଜିରାଓଙ୍କ ଏକମାତ୍ର କନ୍ୟା । ରଘୁଜି ତାକୁ ଅତିଶୟ ସ୍ନେହ କରୁଥିଲେ ଏବଂ ତାକୁ ଘଡ଼ିଏ ନ ଦେଖିଲେ ତାଙ୍କ ଆଖି ଅନ୍ଧାର ହୋଇ ଯାଉଥିଲା । ପିତାଙ୍କ ସଙ୍ଗେ ରହି ଅରୁଣା ଯୁଦ୍ଧବିଦ୍ୟାରେ ନିପୁଣତା ଲାଭ କରିଥିଲା । ବୀରପ୍ରାଣା ଅରୁଣାର ହୃଦୟ ରଣ-ଯାତ୍ରାର ନାମ ଶୁଣି ନାଚି ଉଠୁଥିଲା । ରଣ କୋଳାହଳ, ରଣ-ବାଦ୍ୟ, ରଣ-ନୃତ୍ୟ ତାହାର ହୃଦୟକୁ ପ୍ରବଳ ବେଗରେ ଆକର୍ଷଣ କରୁଥିଲା । ବୟଃପ୍ରାପ୍ତା ହେବା ପରେ ସୁଦ୍ଧା ସେ ପିତାଙ୍କ ସଙ୍ଗେ ଯୁଦ୍ଧକୁ ଯାଉଥିଲା । ଏପରି ରଣ-ସଙ୍ଗିନୀ କନ୍ୟାର ପିତୃତ୍ୱରେ ରଘୁଜିରାଓ ଆପଣାକୁ ଯତ୍ପରୋନାସ୍ତି ଗୌରବାନ୍ୱିତ ମନେ କରୁଥିଲେ । ଯେତେବେଳେ ରଘୁଜି ଅରୁଣା ସଙ୍ଗେ ଅଶ୍ୱାରୋହଣରେ ଯୁଦ୍ଧ କ୍ଷେତ୍ରକୁ ଯାଉଥିଲେ, ସେତେବେଳେ କନ୍ୟାର ଅପୂର୍ବ କାନ୍ତି ଦେଖି ଆପଣାକୁ ଭାଗ୍ୟବାନ ମଣୁଥିଲେ । ଅରୁଣାର ଅରୁଣ-ନିଭ୍‌-ଆନନ, ସୁଗୋଲ ବାହୁଯୁଗଳ, ପ୍ରଶସ୍ତ ଲଲାଟ, ନିତମ୍ବସ୍ପର୍ଶୀ କେଶପାଶ ରଘୁଜିଙ୍କ ମନରେ ଦଶପ୍ରହରଧାରିଣୀ ମହିଷାସୁରମର୍ଦ୍ଦିନୀ ଜଗଦମ୍ବାଙ୍କ ମୂର୍ତ୍ତି ଅଙ୍କିତ କରୁଥିଲା । ତାଙ୍କ ଚକ୍ଷୁରୁ ସ୍ନେହାଶ୍ରୁ ନିର୍ଗତ ହେଉଥିଲା ।

ଯେଉଁଦିନ ରଘୁଜିରାଓ ସିଙ୍ଘୋରା ଗିରିସଙ୍କଟରେ ଶତ୍ରୁଦ୍ୱାରା ଆକ୍ରାନ୍ତ ହେଲେ, ସେ ଦିନ ପ୍ରଭାତରେ ପୃଥ୍ୱୀସିଂହ ଅନ୍ତରାଳରେ ଥାଇ ଅରୁଣାଲୋକ ବିଭାସିତ ଅରୁଣାର ମୁଖ-କମଳ ଦେଖି ଚିତ୍ରପୁତ୍ତଳିକାବତ୍‌ ଛିଡ଼ା ହୋଇ ରହିଲେ । ଏପରି ସ୍ୱର୍ଗୀୟ କାନ୍ତି ସେ ଜୀବନରେ କେବେ ଦେଖି ନ ଥିଲେ । ଆଜି ମରହଟ୍ଟା-ଶିବିରରେ ମୂର୍ତ୍ତିମତୀ ସୌନ୍ଦର୍ଯ୍ୟ-ରାଶି ଦେଖି ତାଙ୍କ ଚକ୍ଷୁ ଲାଖି ରହିଗଲା । ସେ ବିସ୍ମିତ ନେତ୍ରରେ ଅରୁଣାର ରୂପରାଶିର ପ୍ରଶଂସା କରିବାକୁ ଲାଗିଲେ । ଅରୁଣା-ପ୍ରାପ୍ତି-ଆଶା ତାଙ୍କ ହୃଦୟରେ ବଳବତୀ ହେଲା । ଏଣୁ କରି ଯେତେବେଳେ ଓଡ଼ିଆ ବୀରମାନେ ମରହଟ୍ଟାମାନଙ୍କୁ ପରାସ୍ତ କଲେ, ପୃଥ୍ୱୀସିଂହ କୌଣସି ପଦାର୍ଥକୁ ସ୍ପର୍ଶ ନ କରି କେବଳ ଅରୁଣାକୁ ଦୁର୍ଗଭିତରକୁ ଆଣିଲେ ।

ଶତ୍ରୁ-ଦୁର୍ଗରେ ଅରୁଣାର ବନ୍ଦୀ ହେବାର ସମ୍ବାଦ ଶୁଣି କନ୍ୟା-ବତ୍ସଳ ରଘୁଜିରାଓ ଅତିଶୟ କାତର ହୋଇ ପଡ଼ିଲେ । ଯାକୁ ଘଡ଼ିଏ ନ ଦେଖିଲେ ସେ ଜଗତକୁ ବିଷମୟ ମଣୁଥିଲେ, ଆଜି ସେ ପ୍ରାଣପ୍ରତିମା ଅରୁଣା ଶତ୍ରୁହସ୍ତରେ ବନ୍ଦୀ ! ପୃଥ୍ୱୀସିଂହଙ୍କ ଏତାଦୃଶ ଆଚରଣ ଦେଖି ତାଙ୍କ ମନରେ ଅତିଶୟ କ୍ରୋଧ ଜାତ ହେଲା । ପୃଥ୍ୱୀସିଂହଙ୍କୁ ସମୁଚିତ ଶାସ୍ତି ଦେଇ କନ୍ୟାକୁ ନିଷ୍କୃତି କରିବାର ସ୍ଥିର କଲେ । ତାଙ୍କ ଆଦେଶ ଅନୁସାରେ ମରହଟ୍ଟା ଅଶ୍ୱାରୋହୀମାନେ ଦଳ ଦଳ ହୋଇ ଓଡ଼ିଆମାନଙ୍କ ରକ୍ତରେ ସ୍ୱୟଂ ତରବାରୀ ରଞ୍ଜିତ କରିବା ଆଶୟରେ ଗିରିସଙ୍କଟରେ ପ୍ରବେଶ କଲେ । କିନ୍ତୁ ଗିରିସଙ୍କଟ ଏଡ଼େ ସଙ୍କୀର୍ଣ୍ଣ ଯେ, କେବଳ ଅଳ୍ପ ସଂଖ୍ୟକ ସୈନିକ ଭିତରକୁ ଯାଇ ପାରୁଥିଲେ । ସଙ୍କଟର ସ୍ଥାନେ ସ୍ଥାନେ ପ୍ରଚ୍ଛନ୍ନ ଓଡ଼ିଆ ସୈନିକମାନେ ସେମାନଙ୍କୁ ଅତର୍କିତ ଭାବରେ ଆକ୍ରମଣ କରି ପରାସ୍ତ କରୁଥିଲେ । ଗିରିଦୁର୍ଗ ମରହଟ୍ଟାମାନଙ୍କ ଦୁର୍ଗମ ହୋଇପଡ଼ିଲା । ରଘୁଜିରାଓ ଅନେକ ଥର ସୈନ୍ୟ ପ୍ରେରଣ କଲେ, କିନ୍ତୁ ତାହାଙ୍କର ସକଳ ଚେଷ୍ଟା ବିଫଳ ହେଲା । ମରହଟ୍ଟାମାନେ ଶତ୍ରୁ-ଦୁର୍ଗକୁ ଯିବାର ତେଣେ ଥାଉ, ଦୁର୍ଗକୁ ଦେଖି ସୁଦ୍ଧା ପାଇଲେ ନାହିଁ ।

ପୃଥ୍ୱୀସିଂହଙ୍କ ଅପୂର୍ବ ରଣପାଣ୍ଡିତ୍ୟ ଦେଖି ବୀରହୃଦୟ ରଘୁଜିରାଓ ତାହାଙ୍କର ଭୂୟସୀ ପ୍ରଶଂସା କରିବାକୁ ଲାଗିଲେ । ସେ ଜାଣନ୍ତି ଯେ ଓଡ଼ିଆ ସୈନ୍ୟ ଅପେକ୍ଷା ତାଙ୍କ ସୈନ୍ୟ ଅନେକ ଗୁଣରେ ବେଶି; କିନ୍ତୁ ପୃଥ୍ୱୀସିଂହ ଏପରି କୌଶଳରେ ବ୍ୟୂହ ରଚନା କରୁଥିଲେ ଯେ, ବ୍ୟୂହ ଭେଦ କରିବା ରଘୁଜିରାଓଙ୍କ ସାଧ୍ୟତୀତ ହୋଇପଡ଼ିଲା । ସେ ଶତ ଚେଷ୍ଟାକଲେବି ଦୁର୍ଗନିକଟକୁ ଯାଇପାରିଲେ ନାହିଁ । ଦୁର୍ଗର ଏପରି ଦୁର୍ଗମତା ଦେଖି ତାଙ୍କ ମନରେ ଅତିଶୟ କଷ୍ଟହେଲା । ସେ ଯୁଦ୍ଧରେ କେବେ ପରାଜୟ ସ୍ୱୀକାର କରିନଥିଲେ, ଆଜି ପୃଥ୍ୱୀସିଂହଙ୍କ ସଙ୍ଗେ ଅବିଶ୍ରାନ୍ତ ପାଞ୍ଚମାସ କାଳ ଯୁଦ୍ଧ କରି ସୁଦ୍ଧା ସେ ଶତ୍ରୁଦୁର୍ଗ ଆକ୍ରମଣ କରିପାରିଲେ ନାହିଁ । ଏ ଅଭାବନୀୟ ଘଟଣା ତାଙ୍କ ବୀରହୃଦୟକୁ ଭୟଙ୍କର ଭାବରେ ଆଘାତ କଲା । ଜୀବନ ତାଙ୍କୁ ଆଉ ଭଲ ଲଗିଲାନାହିଁ । ସବୁବେଳେ ଅରୁଣାର ମୂର୍ତ୍ତି ତାଙ୍କ ଚକ୍ଷୁସମକ୍ଷରେ ନାଚିବାକୁଲାଗିଲା । ଯେତେବେଳେ ରଘୁଜି ଭାବନ୍ତି ଯେ, ଅରୁଣା ଶତ୍ରୁହସ୍ତରେ ବନ୍ଦିନୀ, ସେତେବେଳେ ତାଙ୍କ ହୃଦୟ ଶୋକାକୁଳ ହୋଇଯାଏ । ଅରୁଣା-ମୁକ୍ତି-ସଙ୍କଳ୍ପ ତାଙ୍କ ହୃଦୟରେ ଜାଗ୍ରତ ହୁଏ । ଜୀବନର ସକଳ ଆଶା, ସକଳ ଭରସା ବିଲୁପ୍ତ ହୋଇଯାଏ ।

ଯୁଦ୍ଧର ଏପରି ଗତି ଦେଖି ରଘୁଜିରାଓ ଠିକ୍‌ କଲେ ଯେ, ଏଥର ସେ ନିଜେ ଯାଇ ଗିରି-ସଙ୍କଟ ଭେଦ କରିବେ; ପ୍ରାଣର ମମତା ଭୁଲି ଶତ୍ରୁର ଆଚରଣର ପ୍ରତିହିଂସା ନେବେ । ପୃଥ୍ୱୀସିଂହ ରଘୁଜିଙ୍କ ବାସନା ଚାରିମୁଖରୁ ଶୁଣି ବିଶେଷ ସତର୍କଭାବରେ ଅବସ୍ଥାନ କରିବାକୁ ଲାଗିଲେ । ଗିରି-ସଙ୍କଟର ସ୍ଥାନେ ସ୍ଥାନେ ଓଡ଼ିଆ ସୈନିକମାନେ ପ୍ରଚ୍ଛନ୍ନ ଭାବରେ ରହି ଶତ୍ରୁର ଆଗମନ ପ୍ରତୀକ୍ଷା କରିବାକୁ ଲାଗିଲେ ।

•••

 

ତୃତୀୟ ପରିଚ୍ଛେଦ

ପୃଥ୍ୱୀସିଂହ ଓ ଅରୁଣା

 

‘‘ତା’ ହୃଦକୁ ଆସେ ଯେବେ ନୈରାଶ୍ୟ ଦଉଡ଼ି,

ମାୟାବିନୀ ଆଶା ଦିଏ ତୁରିତେ ଘଉଡ଼ି ।’’ –କୀଚକବଧ

 

‘‘ମାଧବୀ, ଆଜିକାଲି ଯୁଦ୍ଧର ଖବର ତ କିଛି ଜଣା ଯାଉନାହିଁ !’’

 

‘‘ଭାରି ଯୁଦ୍ଧ ତ ଲାଗିଛି । ମରହଟ୍ଟାମାନେ ଯେତେଥର ଆସୁଛନ୍ତି, ସେତେଥର ପରାସ୍ତ ହେଉଛନ୍ତି । ଏ ଯୁଦ୍ଧ କେବେ ସରିବ, ଭଗବାନ ଜାଣନ୍ତି ।’’

 

‘‘ଅତି ଅଦ୍ଭୁତ ବୀରପୁରୁଷ ।’’

 

‘‘ମୁଁ ବି ସେଇୟା ଭାବୁଛି । ଇମିତି ଯୋଦ୍ଧା ମୁଁ କେବେ ଦେଖିନାହିଁ । କେତେ ମରହଟ୍ଟା ସୈନ୍ୟ ! ତଥାପି ଖାତିର୍ ନାହିଁ–ଖାଲି ଯୁଦ୍ଧ ! ଯୁଦ୍ଧ ଦେଖି ଦେଖି ମନ ବିରକ୍ତ ହୋଇଗଲାଣି ।’’

 

‘‘ଓଡ଼ିଆଜାତିରେ ଏପରି ବୀର ଅଛନ୍ତି ବୋଲି ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି ।’’

 

‘‘ତାଙ୍କ ବୀରତ୍ୱରେ ଯଦି ମୁଗ୍ଧ ହୋଇଥାଅ, ତାଙ୍କ ବୀରମୂର୍ତ୍ତିକୁ ହୃଦୟରେ ସ୍ଥାପନ କର ନା !’’

 

‘‘ଛି, ମାଧବୀ ! ସେପରି କଥା କୁହନା ।’’

‘‘କାହିଁକି ? କହିଲେ ଦୋଷ କଣ ?’’

‘‘ସେ ବୀର ହେଲେ ସୁଦ୍ଧା ମୁଁ ତାଙ୍କୁ ସ୍ଥାନ ଦେବି କାହିଁକି ?’’

 

‘‘ଦାସୀ ଯେତେ ନୀଚ ହେଲେ ବି ସବୁ ବୁଝିପାରେ ଯେ ! ଏ କେତେଦିନ ଏଠାରେ ରହି ମୁଁ କ’ଣ ତୁମ ଗତିରୀତି ଦେଖୁନାହିଁ ?

 

ପୃଥ୍ୱୀସିଂହଙ୍କ ସଙ୍ଗେ କଥାବାର୍ତ୍ତା କଲାବେଳେ ତୁମ ମୁହଁର ରଙ୍ଗଟା ଦେଖିଛି ଯେ ! ମୁଁ ଭଲକରି ଜାଣେ, ତାଙ୍କ ପ୍ରତି ତୁମର ଆଉ ବିରାଗ ନାହିଁ ।’’

 

‘‘ବିରାଗ ନ ଥିଲେ ଯେ ଅନୁରାଗ ଅଛି, ଏ କଥା କିଏ କହିଲା ?’’

 

‘‘ଅନ୍ତତଃ ଏ ସ୍ଥଳରେ ବିରାଗ ନଥିଲେ ଅନୁରାଗ ଅଛି ବୋଲି ଭାବିବାକୁ ହେବ । ଆଉ ବୃଥାରେ କାହିଁକି ଡେରି କରୁଛ ? ଉଭୟ କୁଳର କ୍ଷତି ହେଉଛି ସିନା ! ତୁମେ ଯଦି ପୃଥ୍ୱୀସିଂହଙ୍କୁ ପତିତ୍ୱରେ ବରଣ କର, ସବୁ ଗୋଳ ମେଣ୍ଟିଯିବ । ଆଉ ନିରର୍ଥକ ଲୋକକ୍ଷୟ ହେବନାହିଁ ।’’

 

‘‘ପିତାଙ୍କ ଶତ୍ରୁକୁ, ଜାତିର ଶତ୍ରୁକୁ ମୁଁ କେବେ ହୃଦୟ ଦେବିନାହିଁ । ଯଦି ପିତା ଯୁଦ୍ଧରେ ଜୟଲାଭ କରି ମତେ ଉଦ୍ଧାର କରନ୍ତି–’’

 

‘‘କିନ୍ତୁ ଯଦି ଯୁଦ୍ଧରେ ପୃଥ୍ୱୀସିଂହଙ୍କ ମୃତ୍ୟୁ ହୁଏ, ତାହାହେଲେ ତୁମକୁ ଆଜୀବନ ବୈଧବ୍ୟ ଭୋଗିବାକୁ ପଡ଼ିବ ।’’

 

‘‘ଆଜିଯାଏ ମୁଁ ଅବିବାହିତା । କାହାରି ମୃତ୍ୟୁରେ ମୋର କିଛି ଯାଏଆସେ ନାହିଁ । ବରଂ–’’

‘‘ତାହାହେଲେ ଜୀବନଯାକ କୁମାରୀ ହୋଇ ରହିବ ?’’

 

‘‘ଫେରେ ସେହି କଥା ! ଯୁଦ୍ଧରେ କାହିଁକି କିଏ ମରିବ ? ଯୁଦ୍ଧରେ ଶତ୍ରୁ ନ ମଲେ କ’ଣ ଜୟଲାଭ ହୁଏ ନାହିଁ ? ଯଦି ଦୁର୍ଗାଧୀଶଙ୍କୁ ପରାସ୍ତ କରି ପିତା ମତେ ଉଦ୍ଧାର କରନ୍ତି, ତାହାହେଲେ ପିତାଙ୍କ ଇଚ୍ଛାଅନୁସାରେ ମୋର ବିବାହ ହେବ । ହିନ୍ଦୁର ବିବାହରେ ବରକନ୍ୟାର ସ୍ୱାଧୀନ ମତ ନାହିଁ । ପିତା ସତ୍‌ପାତ୍ର ଦେଖି କନ୍ୟାର ବିବାହ ଦେବେ । ଯୌବନରେ ମନୁଷ୍ୟର ମନର ଗତି ଜଳଧାରା ପ୍ରାୟ । ପିତା ଯାହା କରିବେ–’’

 

‘‘ପିତା ଯଦି ପୃଥ୍ୱୀସିଂହଙ୍କ ସଙ୍ଗେ ତୁମ୍ଭର ବିବାହ ନ ଦିଅନ୍ତି ।’’

 

‘‘ସେ କଥା ଥାଉ । ଯୁଦ୍ଧର ଖବର କହ । ଯୁଦ୍ଧ ପାଇଁ ମୋ ମନ ଘାଣ୍ଟି ହେଉଛି । ପାଞ୍ଚମାସକାଳ ଯୁଦ୍ଧ ଲାଗିଲାଣି । ମରହଟ୍ଟାମାନଙ୍କ ପକ୍ଷରୁ କେତେ ବୀର ଧରାଶାୟୀ ହେଲେଣି ! ନିଜ ଜାତିର ଏପରି ଦୁରବସ୍ଥା ଦେଖି କିଏ ସହି ପାରିବ ? ମୋର ଇଚ୍ଛା, ମୁଁ ନିଜେ ଯାଇ ଯୁଦ୍ଧ କରନ୍ତି ?’’

 

‘‘କିନ୍ତୁ ପୃଥ୍ୱୀସିଂହ ଛାଡ଼ି ଦେବେ କି ?’’

‘‘ସେ ମୁକ୍ତି ଦେଲେ ସୁଦ୍ଧା ମୁଁ ଯିବିନାହିଁ । ପିତା ନିଜେ ଆସି ଉଦ୍ଧାର କରିବେ ।’’

 

‘‘ଯଦି କରି ନପାରନ୍ତି ?’’ ଏହା କହି ପୃଥ୍ୱୀସିଂହ ପ୍ରକୋଷ୍ଠ ମଧ୍ୟରେ ପ୍ରବେଶ କଲେ । ପୃଥ୍ୱୀସିଂହଙ୍କୁ ସେପରି ଅପ୍ରତ୍ୟାଶିତଭାବରେ ସେଠାରେ ଉପସ୍ଥିତ ହେବାର ଦେଖି ସେମାନେ ଟିକିଏ ଘୁଞ୍ଚିଗଲେ । କିନ୍ତୁ ଆଜି ଆଉ ପୂର୍ବପରି ସେମାନଙ୍କ ସଙ୍କୋଚ ନାହିଁ । ଦୁର୍ଗରେ ଅନେକ ଦିନ ରହି ପୃଥ୍ୱୀସିଂହଙ୍କ ସଙ୍ଗେ ସେମାନଙ୍କ ଘନିଷ୍ଠତା ଜନ୍ମିଅଛି । ଅରୁଣା ତାଙ୍କ ସଙ୍ଗେ କଥାବାର୍ତ୍ତା କରିବା ପାଇଁ ଆଉ ଲଜ୍ଜା ବୋଧ କରୁନାହିଁ । ସେ ପୃଥ୍ୱୀସିଂହଙ୍କୁ ଭଲକରି ଜାଣେ । ପୃଥ୍ୱୀସିଂହ ଉଦାର ଓ ମହାନ୍‌ । ସେ ଶତ୍ରୁସଙ୍ଗେ ମଧ୍ୟ ଶିଷ୍ଟାଚରଣ କରନ୍ତି । ତାଙ୍କ ମଧୁର ଆଳାପରେ ମୁଗ୍ଧ ହୋଇ ଦିନେ ଦିନେ ଅରୁଣା ଅନେକ ବେଳଯାଏ ତାଙ୍କ ସଙ୍ଗେ କଥାବାର୍ତ୍ତା କରେ । ଏଣୁକରି ତାଙ୍କ କଥା ଶୁଣି ନିର୍ବିକାର ଚିତ୍ତରେ କହିଲା, ‘‘ଯଦି ପିତାଙ୍କ ବାହୁରେ ବଳ ନାହିଁ, ଯଦି ମରହଟ୍ଟାଜାତି ହୀନବଳ ହୋଇଗଲାଣି, ତାହାହେଲେ ମୁଁ ମୁକ୍ତି ପାଇପାରିବି ନାହିଁ । କିନ୍ତୁ ଏଠାରେ ଆଉ ଆପଣ ମତେ ଦେଖି ପାରିବେ ନାହିଁ । ହିନ୍ଦୁ ରମଣୀ ନିକଟରେ ସବୁବେଳେ ବିଷ ଥାଏ ।’’

 

‘‘ନା, ମୁଁ ଆଉ ରଘୁଜିରାଓଙ୍କ ସଙ୍ଗେ ଯୁଦ୍ଧ କରିବି ନାହିଁ, ତାଙ୍କୁ ଯଥେଷ୍ଟ କଷ୍ଟ ଦେଇ ସାରିଛି । ତୁମ୍ଭଙ୍କୁ ନେଇ ତାଙ୍କ ହସ୍ତରେ ସମର୍ପଣ କରି ଆସିବି । ପରେ ଯଦି ଯୁଦ୍ଧ ହୁଏ, ଦେଖାଯିବ-।’’

 

‘‘ଆପଣ ଯଦି ପରାଜୟ ସ୍ୱୀକାର କରନ୍ତି, ତାହାହେଲେ ମୁଁ ଦୁର୍ଗରୁ ଯିବି । ସ୍ୱଜାତିର ମୁଖରେ କଳଙ୍କ ଲେପି ମୁଁ ସ୍ୱାଧୀନତା ପାଇବାକୁ ଚାହେଁ ନା ।’’

 

‘‘ଧନ୍ୟ ମରହଟ୍ଟାରମଣୀ ! ଆଜି ତୁମ୍ଭ ନିକଟରେ ମୁଁ ପରାଜୟ ସ୍ୱୀକାର କରୁଛି । ପୂର୍ବ ଜନ୍ମର ସୁକୃତିବଳରେ ତେଜସ୍ୱିନୀ ରମଣୀଙ୍କ ସଙ୍ଗେ ମୋର ସାକ୍ଷାତ୍‌କାର ହୋଇଛି; କିନ୍ତୁ ରଘୁଜିରାଓଙ୍କ ବିରୁଦ୍ଧରେ ମୋର ଖଡ୍ଗ ସର୍ବଦା ନିଷ୍କୋସିତ । ଏ ଦେହରେ ପ୍ରାଣ ଥିବାଯାଏ ମୁଁ କଦାପି ତାଙ୍କ ସମକ୍ଷରେ ନତମସ୍ତକ ହେବିନାହିଁ । ଜୟ-ପରାଜୟ ଈଶ୍ୱରଙ୍କ ଇଚ୍ଛାଧୀନ-ମୁଁ ଯୁଦ୍ଧ କରିବି । ଯୁଦ୍ଧରେ ଶତ୍ରୁକୁ ପରାସ୍ତ କରି ମା’ ସମଲେଶ୍ୱରୀଙ୍କ ବିଜୟପତାକା ବାରପାହାଡ଼ର ଶିଖର-ଦେଶରେ ଉଡ଼ାଇବି ! ଏଇଟା ଓଡ଼ିଆଜାତିର ପଣ ।’’

 

ପୃଥ୍ୱୀସିଂହଙ୍କ କଥା ଶୁଣି ଅରୁଣା ନିର୍ବାକ୍‌, ନିଷ୍ପନ୍ଦଭାବରେ ତାଙ୍କ ମୁଖକୁ ଅନାଇଲା । ପୃଥ୍ୱୀସିଂହଙ୍କ ମୁଖ ବର୍ତ୍ତମାନ ତେଜୋମୟ । ଅରୁଣା ଅନେକ ଥର ଯୁଦ୍ଧକ୍ଷେତ୍ରକୁ ଯାଇଥିଲା, ଅନେକ ବୀର ଦେଖିଥିଲା; କିନ୍ତୁ ଏପରି ତେଜ, ଏପରି ଉଦାରତା ସେ କୌଣସିଠାରେ ଦେଖି ନ ଥିଲା । ଦୁର୍ଗକୁ ଆସିଲାଦିନୁ ସେ ସମ୍ବଲପୁରକୁ ତୀର୍ଥକ୍ଷେତ୍ର ମଣି ମା’ ସମ୍ବଲେଶ୍ୱରୀଙ୍କ ଚରଣପ୍ରାନ୍ତରେ ଆନ୍ତରିକ ଭକ୍ତି ଅର୍ପଣ କରୁଥିଲା । ସମ୍ବଲପୁରର ଜଳରେ, ସମ୍ବଲପୁରର ପବନରେ, ପର୍ବତରେ, ନଦୀରେ, ବୃକ୍ଷରେ ସେ ଗୋଟିଏ ସ୍ୱର୍ଗୀୟ ଦୃଶ୍ୟର ସତ୍ତା ଅନୁଭବ କରି ମୁଗ୍ଧ ହୋଇଗଲା । ପର୍ବତମୟ ମହାରାଷ୍ଟ୍ର ଦେଶରେ ସୁଦ୍ଧା ସେ ଏ ଦୃଶ୍ୟ ଦେଖିନାହିଁ । ହାୟ, ମା’ ସମ୍ବଲପୁର ! ଆଜି ସେ ଗୌରବ କାହିଁ ! ସେ ବୀରତ୍ୱ କାହିଁ !

 

ଅରୁଣାକୁ ନିରୁତ୍ତର ଦେଖି ପୃଥ୍ୱୀସିଂହ ପୁନର୍ବାର କହିଲେ, ‘‘କହ, ସେନାପତି ନନ୍ଦିନୀ, ଯଦି ଦୁର୍ଗରେ ରହିବାକୁ ତୁମ୍ଭର କଷ୍ଟ ହେଉଥାଏ, ତାହାହେଲେ ଏହି ମୁହୂର୍ତ୍ତରେ ତୁମ୍ଭଙ୍କୁ ପିତୃସମୀପରେ ଛାଡ଼ି ଆସିବି ।’’

 

‘‘ନା, ଦୁର୍ଗରେ ମୁଁ ଅତି ସୁଖରେ ଅଛି । ପିତୃ-ଶିବିରକୁ ଯିବି ନାହିଁ ।’’

 

‘‘ମୁଁ ଶୁଣିଛି, ତୁମେ ପିତାଙ୍କ ସଙ୍ଗେ ଯୁଦ୍ଧକ୍ଷେତ୍ରକୁ ଯାଅ । ଯୁଦ୍ଧର ନାମ ଶୁଣିଲେ ତୁମ ହୃଦୟ ଉତ୍ସାହରେ ନାଚିଉଠେ । ଏଥର ମୋ ସଙ୍ଗେ ତୁମକୁ ଯୁଦ୍ଧକ୍ଷେତ୍ରକୁ ଯିବାକୁ ହେବ । ଯୁଦ୍ଧକ୍ଷେତ୍ରରେ ତୁମର ରଣ-ରଙ୍ଗିନୀ ମୂର୍ତ୍ତି ଦେଖି ସୈନିକମାନେ ଅପୂର୍ବ ଉତ୍ସାହରେ ମାତି ଯୁଦ୍ଧ କରିବେ ।’’

 

‘‘ଦୁର୍ଗାଧିପଙ୍କ ଯେପରି ଅତିରୁଚି । ବୀରପୁରୁଷଙ୍କ ସମର-ସଙ୍ଗିନୀ ହେବା ସୌଭାଗ୍ୟର କଥା । ବୀରପୁରୁଷଙ୍କ ସଙ୍ଗେ ରହି ଯୁଦ୍ଧ ଦେଖିବି ଯୁଦ୍ଧ ଦେଖି ନୟନ ସାର୍ଥକ କରିବି । ଏଥିରୁ ବଳି ଆଉ ସୁଖ କ’ଣ ହୋଇପାରେ ?’’

 

‘‘ଶୁଣି ସୁଖୀ ହେଲି । ଅରୁଣା-ମୂର୍ତ୍ତି ପ୍ରାଚୀଦିଗରେ ଅରୁଣରୂପେ ଉଦିତ ନ ହେବାଯାଏ ଏ ଯୁଦ୍ଧର ଅବସାନ ହେବନାହିଁ ।’’

 

ଏହା କହି ଉପସ୍ଥିତ କାର୍ଯ୍ୟ ପର୍ଯ୍ୟବେକ୍ଷଣ କରିବା ସକାଶେ ପୃଥ୍ୱୀସିଂହ ପ୍ରକୋଷ୍ଠରୁ ବହିର୍ଗତ ହେଲେ । ଅରୁଣା ସ୍ଥିର ନେତ୍ରରେ ତାଙ୍କ ବୀରମୂର୍ତ୍ତି ଦେଖି ମନୋମଧ୍ୟରେ ତାଙ୍କୁ ଶତବାର ଧନ୍ୟବାଦ ଦେଲା । ପୃଥ୍ୱୀସିଂହଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବାଯାଏ ସେ ନୟନ-ସମକ୍ଷରେ ସ୍ୱର୍ଗର ଦୃଶ୍ୟ ଦେଖୁଥିଲା ! ପୃଥ୍ୱୀସିଂହ ଅପସାରିତ ହୁଅନ୍ତେ ତାହାର ହୃଦୟ ବ୍ୟାକୁଳ ହୋଇ ପଡ଼ିଲା । ସେ ନୀରବରେ ବାତାୟନ ସମୀପକୁ ଯାଇ ବାହାରରେ ପ୍ରକୃତିର ସୌନ୍ଦର୍ଯ୍ୟ ଦେଖିବାକୁ ଲାଗିଲା ।

•••

 

ଚତୁର୍ଥ ପରିଚ୍ଛେଦ

ମିଳନ

 

‘‘Till pride be quelled and love be free’’

–Scott.

ଆଜି ରଘୁଜିରାଓ ନିଜେ ସୈନିକମାନଙ୍କୁ ସଙ୍ଗରେ ନେଇ ଯୁଦ୍ଧକ୍ଷେତ୍ରକୁ ଆସିଛନ୍ତି । ତାହାଙ୍କର ଏକମାତ୍ର ଲକ୍ଷ୍ୟ–‘‘ମନ୍ତ୍ରର ସାଧନ ଅବା ଶରୀର ପାତନ !’’ ଏଥର ସେ ଶତ୍ରୁକୁ ପରାସ୍ତ କରିବେ, ଅଥବା ନିଜ ରକ୍ତରେ ସମର-ପ୍ରାଙ୍ଗଣକୁ ପ୍ଳାବିତ କରି ସମର-ସ୍ପୃହା ମେଣ୍ଟାଇବେ । ଜୀବନ ପ୍ରତି ଆଉ ସେ ତାଙ୍କର ମମତା ନାହିଁ । ମରହଟ୍ଟା ଜାତିକୁ ଓଡ଼ିଆମାନଙ୍କ ହସ୍ତରେ ଅପମାନିତ ଦେଖି ସେ କିପରି ପିଣ୍ଡରେ ପ୍ରାଣ ଧରିବେ ? ସ୍ୱଜାତିର ମାନରକ୍ଷା କରିବା ସକାଶେ ଏଥର ସେ ଯୁଦ୍ଧକୁ ବାହାରିଛନ୍ତି । ପ୍ରାଣପ୍ରତିମା ଅରୁଣା ଶତ୍ରୁ-ଦୁର୍ଗରେ ବନ୍ଦିନୀ ! ମରହଟ୍ଟାଜାତିର ଗୌରବ-ଲକ୍ଷ୍ମୀ ଶତ୍ରୁର ପଦଦଳିତା ! ଆଜି ସେ ପ୍ରାଣର ବିନିମୟରେ ସ୍ୱଜାତିର ମାନ ରଖିବେ । ଯୁଦ୍ଧକ୍ଷେତ୍ରରେ ଦେଖିବେ, ଓଡ଼ିଆ ଜାତି କିପରି ଯୁଦ୍ଧ କରିପାରେ ।

ରଘୁଜିରାଓ ନିଜ ବିରାଟ ବାହିନୀକୁ ବହୁଭାଗରେ ବିଭକ୍ତ କରି ନାନା ଦିଗକୁ ସୈନ୍ୟ ପଠାଇଲେ । ତାଙ୍କ ଇଚ୍ଛା, ଦୁର୍ଗକୁ ଚତୁର୍ଦ୍ଦିଗରୁ ଆକ୍ରମଣ କରି ଶତ୍ରୁର ବଳ ପରୀକ୍ଷା କରିବେ । ଏଣୁକରି ସେ ସୈନିକମାନଙ୍କୁ ବିଭିନ୍ନ ଦିଗକୁ ପ୍ରେରଣ କଲେ । ନିଜେ ପ୍ରାୟ ବିଂଶତି ସହସ୍ର ଅଶ୍ୱାରୋହୀ ସୈନିକ ନେଇ ଗିରିସଙ୍କଟ ମଧ୍ୟରେ ପ୍ରବେଶ କଲେ । ମରହଟ୍ଟାମାନଙ୍କ ‘‘ବମ୍‌ ବମ୍‌ ମହାଦେଓ’’ ରବରେ ସିଙ୍ଘୋରା ଗିରିସଙ୍କଟ ବିକମ୍ପିତ ହେବାକୁ ଲାଗିଲା । ସେମାନଙ୍କ ତେଜରେ ଚତୁର୍ଦ୍ଦିଗ ବିଭାସିତ ହୋଇଗଲା ।

ପୃଥ୍ୱୀସିଂହ ଅଲକ୍ଷିତଭାବରେ ଥାଇ ମରହଟ୍ଟାମାନଙ୍କ ଗତିବିଧି ନିରୀକ୍ଷଣ କରୁଥିଲେ । ରଘୁଜିରାଓଙ୍କ ଉଦ୍ୟମ ଦେଖି ସେ ପୂର୍ବବତ୍‌ ପର୍ବତର ସ୍ଥାନେ ସ୍ଥାନେ ସୈନିକମାନଙ୍କୁ ପ୍ରଚ୍ଛନ୍ନଭାବରେ ରଖିଲେ ଏବଂ ନିଜେ ଅଳ୍ପ-ସଂଖ୍ୟକ ସୈନିକ ନେଇ ପର୍ବତର ଚତୁର୍ଦ୍ଦିଗରେ ପରିକ୍ରମଣ କରିବାକୁ ଲାଗିଲେ । ଓଡ଼ିଆ ସୈନିକମାନେ ଲୁକ୍କାୟିତଭାବରେ ଥାଇ ଅପ୍ରତ୍ୟାଶିତଭାବରେ ମରହଟ୍ଟାମାନଙ୍କୁ ଆକ୍ରମଣ କରନ୍ତି ଏବଂ ସେମାନଙ୍କୁ ସମ୍ପୂର୍ଣ୍ଣରୂପେ ପରାସ୍ତ କରି ପଛକୁ ଘୁଞ୍ଚାଇ ଦିଅନ୍ତି । ଏପରି ବାରମ୍ବାର ଆକ୍ରାନ୍ତ ହୋଇ ଚତୁର୍ଦ୍ଦିଗକୁ ପ୍ରେରିତ ମରହଟ୍ଟାମାନେ ହତାହତ ହେବାକୁ ଲାଗିଲେ । ସେମାନଙ୍କ ସକଳ ଆଶାଭରସା ବିଲୁପ୍ତ ହେଲା । ଜୟଶ୍ରୀ ସେମାନଙ୍କୁ ଛାଡ଼ି ବହୁଦୂରକୁ ଚାଲିଗଲା ।

କିନ୍ତୁ ରଘୁଜିରାଓଙ୍କର ସେଥିପ୍ରତି ଲକ୍ଷ୍ୟ ନାହିଁ । ଆଜି ତାଙ୍କ ଜୀବନ ମାୟା-ମମତା-ବିହୀନ । ନିର୍ବାସିତ ବିଜୟ-ଲକ୍ଷ୍ମୀଙ୍କୁ ଶତ୍ରୁର କରାଳ କବଳରୁ ମୁକ୍ତ କରି ଆଣିବା ନିମନ୍ତେ ସେ ପ୍ରାଣ ସୁଦ୍ଧା ଦେବାକୁ ପଶ୍ଚାତ୍‌ପଦ ନୁହନ୍ତି । ପରାଜିତ, ଅପମାନିତ ଜୀବନ ଘେନି ସେ କଦାପି ପ୍ରତ୍ୟାବୃତ୍ତ ହେବେନାହିଁ । ଏଥିପାଇଁ ସେ ନିର୍ଭୀକଭାବରେ ଗନ୍ତବ୍ୟ ପଥରେ ଅଗ୍ରସର ।

ବହୁ ସାବଧାନତା ସହକାରେ ରଘୁଜିରାଓ ଗିରିସଙ୍କଟ ମଧ୍ୟରେ ପ୍ରବେଶ କଲେ । ସେ ଏପରି ସତର୍କଭାବରେ ଯିବାକୁ ଲାଗିଲେ ଯେ, ପୃଥ୍ୱୀସିଂହ ତାଙ୍କ ଗତି ଆଦୌ ଲକ୍ଷ୍ୟ କରିପାରିଲେ ନାହିଁ । ରଘୁଜିରାଓ ଅବାଧରେ ଗିରିସଙ୍କଟ ଉତ୍ତୀର୍ଣ୍ଣ ହୋଇ ଗିରିଦୁର୍ଗ ନିକଟରେ ଉପନୀତ ହେଲେ-। ପୃଥ୍ୱୀସିଂହ ବର୍ତ୍ତମାନ ଦେଖିଲେ ଯେ, ବିଷମ ସମସ୍ୟା ଉପସ୍ଥିତ । କିନ୍ତୁ ତଥାପି ତାଙ୍କ ମନ ନିର୍ଭୀକ ଓ ଅଟଳ । ରଘୁଜିରାଓଙ୍କୁ ନିକଟବର୍ତ୍ତୀ ଦେଖି ସେ ବିପୁଳ ଆୟୋଜନରେ ତତ୍ପରହେଲେ । ଦୁର୍ଗ-ପ୍ରାଚୀରରେ ପୂର୍ବବତ୍‌ ବହୁ ପ୍ରସ୍ତର ଲତା-ଗ୍ରଥିତ ହୋଇ ଝୁଲାଗଲା । ସମଗ୍ର ଓଡ଼ିଆ-ସେନା ଏକତ୍ରିତ ହାଇ ଦୁର୍ଗମଧ୍ୟରେ ଅବସ୍ଥାନ କଲେ ।

ଦୁର୍ଗ ନିକଟକୁ ଯାଇ ମରହଟ୍ଟାମାନେ ଅବିଶ୍ରାନ୍ତ ଗୋଳାବର୍ଷଣ କରିବାକୁ ଲାଗିଲେ । ସେମାନଙ୍କ ‘ବମ୍‌ ବମ୍‌ ମହାଦେଓ’ ରବରେ ଦୁର୍ଗବାସୀମାନେ ଶଙ୍କା ପାଇବାକୁ ଲାଗିଲେ । କିନ୍ତୁ ପୃଥ୍ୱୀସିଂହ ନିଃଶଙ୍କ ଓ ସତର୍କ । ସେ କୌଶଳରେ ସୈନିକମାନଙ୍କୁ ଦୁର୍ଗପ୍ରାଚୀର ଉପରେ ସନ୍ନିବିଷ୍ଟ କଲେ । ମରହଟ୍ଟାମାନଙ୍କ ଗୋଳାବର୍ଷଣରେ ବହୁସଂଖ୍ୟକ ବୀର ଧରାଶାୟୀ ହେଲେ । କିନ୍ତୁ ଓଡ଼ିଆମାନଙ୍କ ଜୀବନ ପ୍ରତି ଭ୍ରୁକ୍ଷେପ ନାହିଁ । ସେମାନେ ‘‘ଜୟ ସମଲାଇର ଜୟ’’ ରବ କରି ଲତା-ଗ୍ରଥିତ ପ୍ରସ୍ତରସବୁ ମରହଟ୍ଟାମାନଙ୍କ ଉପରେ ନିକ୍ଷେପ କରିବାକୁ ଲାଗିଲେ । ସେ ପ୍ରସ୍ତରର ଆଘାତ ମରହଟ୍ଟାମାନେ ସମ୍ଭାଳି ପାରିଲେ ନାହିଁ । ଯୁଦ୍ଧରୁ ପଛଘୁଞ୍ଚା ଦେଇ ପ୍ରାଣଭୟରେ ପଳାଇବାକୁ ଲାଗିଲେ । ଓଡ଼ିଆମାନେ ପ୍ରାଚୀର ଡେଇଁ ‘‘ଜୟ ସମଲାଇର ଜୟ’’ ରବ କରି ସେମାନଙ୍କର ପଶ୍ଚାଦ୍ଧାବନ କଲେ ।

ପର୍ବତ ଉପରେ ଓଡ଼ିଆ ଓ ମରହଟ୍ଟାମାନଙ୍କ ମଧ୍ୟରେ ଭୀଷଣ ସମ୍ମୁଖ-ସଂଗ୍ରାମ ଆରମ୍ଭ ହେଲା । ଉଭୟ ପକ୍ଷରୁ ଅନେକ ହତାହତ ହେଲେ; କିନ୍ତୁ ମରହଟ୍ଟାମାନଙ୍କର ଆଉ ଉତ୍ସାହ ନାହିଁ । ସେମାନଙ୍କୁ ଅଗତ୍ୟା ପରାଜୟ ସ୍ୱୀକାର କରିବାକୁ ପଡ଼ିଲା ।

ପୃଥ୍ୱୀସିଂହ ଶତ୍ରୁ-ବ୍ୟୂହରେ ପ୍ରବେଶ କରି ଭୟଙ୍କର ଯୁଦ୍ଧ ଆରମ୍ଭ କଲେ । ତାଙ୍କ ଅଦମ୍ୟ ପରାକ୍ରମରେ ମରହଟ୍ଟା-ବାହିନୀ ଛିନ୍ନବିଛିନ୍ନ ହୋଇଗଲା । ତାଙ୍କ ବୀର୍ଯ୍ୟ ସମକ୍ଷରେ ସ୍ୱୟଂ ରଘୁଜିରାଓଙ୍କ ଉତ୍ସାହ ମଧ୍ୟ ନତମସ୍ତକ ହେଲା । *ପୃଥ୍ୱୀସିଂହ ତରବାରୀ ଉତ୍ତୋଳନ କରି ତାଙ୍କ ପ୍ରତି ସିଂହ-ବିକ୍ରମରେ ଧାବମାନ ହୁଅନ୍ତେ, ପଛକୁ କିଏ ଆସି ତାଙ୍କ ହସ୍ତକୁ ଦୃଢ଼ଭାବରେ ମୁଷ୍ଟିବନ୍ଧ କଲା । ପୃଥ୍ୱୀସିଂହ ପଛକୁ ଅନାଇ ଦେଖିଲେ ଯେ, ଜଣେ ପ୍ରହରଣ-ଧାରିଣୀ ମୁକ୍ତକେଶା ରମଣୀ-ମୂର୍ତ୍ତି ତାଙ୍କ ପଶ୍ଚାତ୍‌ଭାଗରେ ଦଣ୍ଡାୟମାନ । ତାହାର ସେ ରୂପ, ସେ ତେଜ ଦେଖି ତାଙ୍କ ହସ୍ତ ଆଉ ଅଗ୍ରସର ହୋଇ ପାରିଲା ନାହିଁ । ସେ ନୀରବ ଓ ନିଷ୍ପନ୍ଦ ଭାବରେ ଛିଡ଼ା ହୋଇ ଉକ୍ତ ରମଣୀ-ମୂର୍ତ୍ତିକୁ ଦେଖିବାକୁ ଲାଗିଲେ । ରଘୁଜିରାଓ ମଧ୍ୟ ତାଙ୍କ ଜୀବନ-ରକ୍ଷା-କାରିଣୀକୁ ଦେଖି ବିସ୍ମୟାତ୍ତିଭୂତ ହୋଇଗଲେ । ତାଙ୍କ ମୁଖରୁ ବାକ୍-ନିଷ୍ପତ୍ତ ହୋଇ ପାରିଲା ନାହିଁ । ଉଭୟ ପକ୍ଷର ସୈନିକମାନେ ସେ ରଣରଙ୍ଗିନୀର ମୂର୍ତ୍ତି ଦେଖି ପଛକୁ ଘୁଞ୍ଚିଗଲେ । ସେ ଦେବୀ ନା ମାନବୀ, କେହି ଠିକ୍‌ କରି ପାରିଲେ ନାହିଁ । ଉକ୍ତ ରମଣୀ ପୃଥ୍ୱୀସିଂହଙ୍କୁ କହିଲା ‘‘ଧନ୍ୟ ବୀର ! ଏ ଅଦ୍ଭୁତ ସାହାସ ଏଥର ମୁଁ ପ୍ରଥମ ଦେଖିଲି । କିନ୍ତୁ ହେଲା । ଆଉ ନାହିଁ । ଯଥେଷ୍ଟ ହୋଇ ସାରିଛି । ଆଉ ଯୁଦ୍ଧରେ ପ୍ରୟୋଜନ ନାହିଁ । ପିତାଙ୍କୁ ମୁକ୍ତି ଦିଅନ୍ତୁ ।’’ ପରେ ରଘୁଜିରାଓଙ୍କ ନିକଟକୁ ଯାଇ କହିଲା, ‘‘ପିତା, ଦାସୀର ଅପରାଧ କ୍ଷମା କରନ୍ତୁ । ଦାସୀ ଆପଣଙ୍କୁ ଅନେକ କଷ୍ଟ ଦେଇଛି । ଦାସୀପାଇଁ ମରହଟ୍ଟା ଜାତିକୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି । କିନ୍ତୁ ଏ ବୀର ପୁରୁଷ–’’ ସେ ଆଉ କହି ପାରିଲା ନାହିଁ । ତାର ବାକ୍‌ଶକ୍ତି ରୁଦ୍ଧ ହୋଇଗଲା ଓ ଲଜ୍ଜାରେ ମୁଖ ଲାଲ ହୋଇଗଲା ।

*

‘‘Akbar Raya, the minister of Abhaya Singh, thinking this a good opportunity to strengthen the Sambalpur fort, caused the boatmen to scuttle the boats in deep water, so that the guns all sunk, and many Marhatta artilley-men were drowned. He then recovered eight of the guns and mounted them on the fort. The Raja of Nagpur sent a strong ditachment to avenge the insult and recover the guns; but it was repulsed with slaughter.....’’

 

P. 23. Bengal District Gazateer (Sambalpur)

ଏ ଗରିମାମୟ ଦୃଶ୍ୟ ଦେଖି ରଘୁଜିଙ୍କ ହୃଦୟ ଦ୍ରବିଭୂତ ହୋଇଗଲା । ସେ ଦୁହିତାକୁ ଆଲିଙ୍ଗନ କରି କହିଲେ ‘‘ଅରୁଣା ! ମା !’’ ଆଉ କହିପାରିଲେ ନାହିଁ । ତାଙ୍କ ଚକ୍ଷୁରୁ ଅବିରଳ ସ୍ନେହାଶ୍ରୁ ନିର୍ଗତ ହେବାକୁ ଲାଗିଲା । ପରେ ଆତ୍ମସମ୍ୱରଣ କରି ଅରୁଣାର ମୁଖର ଭାବ ଦେଖି ସେ ସବୁ ବୁଝିପାରିଲେ । ଅରୁଣାର ହସ୍ତଧରି ପୃଥ୍ୱୀସିଂହଙ୍କ ନିକଟକୁ ଯାଇ କହିଲେ, ‘‘ବୀରଶ୍ରେଷ୍ଠ, ତୁମ୍ଭର ବୀର୍ଯ୍ୟରେ ମୁଁ ମୁଗ୍ଧ ହୋଇଛି । ମୁଁ ତୁମ୍ଭର ଶତ୍ରୁ ଯୁଦ୍ଧରେ ପରାସ୍ତ । ତଥାପି ତୁମ୍ଭର ବୀର୍ଯ୍ୟ ଦେଖି ତୁମ୍ଭପ୍ରତି ମୋର ଆନ୍ତରିକ ଶ୍ରଦ୍ଧା ଜାତ ହୋଇଛି । ଏ ଶ୍ରଦ୍ଧାର ପୁରସ୍କାର ସ୍ୱରୂପ ମୋର ପ୍ରାଣର ପ୍ରାଣ ଅରୁଣାକୁ ତୁମ ହସ୍ତରେ ସମର୍ପଣ କଲି । ବୀର-କନ୍ୟା ବୀର-ପତ୍ନୀ ହେଉ ।’’ ଏହା କହି ସେ ପୃଥ୍ୱୀସିଂହଙ୍କ ହସ୍ତରେ ଅରୁଣାର ହସ୍ତ ସଂସ୍ଥାପିତ କଲେ । ଉଭୟ ପକ୍ଷରୁ ‘‘ବମ୍‌ ବମ୍‌ ମହାଦେଓ’’ ଓ ‘‘ଜୟ ସମଲାଇର ଜୟ’’ ରବ ଉଠି ସେ ନିବିଡ଼ ଅରଣ୍ୟକୁ ପ୍ରତିଧ୍ୱନିତ କଲା । ପୃଥ୍ୱୀସିଂହ ନତମସ୍ତକ ହୋଇ ଏ ସବୁ ଶ୍ରବଣ କଲେ । ରଘୁଜିରାଓ ତାଙ୍କୁ ଆଲିଙ୍ଗନ-ପାଶରେ ଆବଦ୍ଧ କରି ତାଙ୍କ ନିକଟରୁ ବିଦାୟ ଗ୍ରହଣକଲେ, ଏବଂ ସୈନିକମାନଙ୍କୁ ସଙ୍ଗରେ ନେଇ ‘‘ବମ୍‌ ବମ୍‌ ମହାଦେଓ’’ ରବ କରି ଅରଣ୍ୟ ମଧ୍ୟରେ ବିଲୀନ ହୋଇଗଲେ ।

•••

 

ରୂପର ମୂଲ୍ୟ

ପ୍ରଥମ ପରିଚ୍ଛେଦ

ବିଦାୟ

 

‘‘ତଦ୍ଖଚ୍ଛ ସିନ୍ଧ୍ୟୈ କୁରୁ ଦେବ-କାର୍ଯ୍ୟମ୍‌ ।’’

–କୁମାରସମ୍ଭବ

 

ସମ୍ବଲପୁରର ପଶ୍ଚିମଦିଗରେ ସହରରୁ ପ୍ରାୟ ଏକ ମାଇଲ ଦୂରରେ ମଦଲିଆ ମୁହାଣ। ଏଠାରେ ଗୋଟିଏ ପ୍ରାଚୀନ ମନ୍ଦିର ଅଛି । କଳ-ନାଦିନୀ ଚିତ୍ରୋତ୍ପଳା ମନ୍ଦିରର ଚରଣ ପ୍ରକ୍ଷାଳିତ କରି ଶିଳାବନ୍ଧର ମାର୍ଗରେ ଅଗ୍ରସର । ଲୋକେ କହନ୍ତି–ମନ୍ଦିରରେ ପ୍ରଚୁର ଧନରତ୍ନ ଓ ଅସ୍ତ୍ରଶସ୍ତ୍ର ଲୁକ୍କାୟିତ ଅଛି । ଏ ଉକ୍ତିର ସତ୍ୟତା ନିରୂପିତ କରିବାକୁ ଆମ୍ଭମାନଙ୍କର ଶକ୍ତି ନାହିଁ । ଆଜିଯାଏ କେହି ଏ ବିଷୟରେ ଅନୁସନ୍ଧାନ କରି ନାହାନ୍ତି କରିବାର ମଧ୍ୟ ସୂଚନା ମିଳୁନାହିଁ । ଏବମ୍ବିଧ ପ୍ରତ୍ନ-ତତ୍ତ୍ୱ-ସଂଗ୍ରହ ଓଡ଼ିଶାର ଆଧୁନିକ ଜଳବାୟୁର ପ୍ରତିକୂଳ ପରା ! ସେ ଯାହାହେଉ, ମନ୍ଦିରକୁ ଲୋକେ ନୀଳମାଧବଙ୍କ ମନ୍ଦିର ବୋଲି କହନ୍ତି । ଏଠାରେ ଦେବ-ପୂଜାର କୌଣସି ଚିହ୍ନ ପରିଲକ୍ଷିତ ହୁଏନାହିଁ-ମନ୍ଦିରେ କୌଣସି ଦେବ-ବିଗ୍ରହ ମଧ୍ୟ ନାହିଁ । ମନ୍ଦରର ଏପରି ନାମକରଣ କାହିଁକି ହେଲା, ପୁରାଣତ୍ତ୍ୱ ଜିଜ୍ଞାସୁମାନଙ୍କ ଅନୁସନ୍ଧେୟ । ପୁଣି ଏଠାରେ କୌଣସି ନଦୀର ସଙ୍ଗମ-ସ୍ଥଳ ନଥିଲେ ସୁଦ୍ଧା ସ୍ଥାନଟିର ନାମ ମଦଲିଆ ମୁହାଣ କାହିଁକି ହୋଇଅଛି ? ବୋଧହୁଏ କାଳକ୍ରମେ ସେ ନଦୀ ଲୋପ ପାଇଅଛି; କିମ୍ବା ଦୁର୍ଗରକ୍ଷାର୍ଥ ସମ୍ବଲପୁରର ନରପତିମାନେ ନଦୀର ଗତିକୁ ପରିବର୍ତ୍ତିତ କରିଥିବେ । ନଦୀ-ସଙ୍ଗମ-ସୂଚକ ପ୍ରଶସ୍ତତା କେବଳ ମୁହାଣ-ନାମର ସାର୍ଥକତା ସମ୍ପାଦନ କରୁଅଛି-

 

ଜଗତରେ ବିଭବ ହିଁ ସମସ୍ତ ଆକର୍ଷଣର କେନ୍ଦ୍ର, ମନୁଷ୍ୟର ଦୃଷ୍ଟି ଯେପରି ଊର୍ଦ୍ଧ୍ୱକୁ ଚାହିଁ ଚାହିଁ ଊର୍ଦ୍ଧ୍ୱମୁଖୀ ହୋଇଗଲାଣି ! ପ୍ରଜା ଜମିଦାରର ଅନୁସରଣ କରୁଅଛି-ଜମିଦାର ରାଜାର ଅନୁସରଣ କରୁଅଛି । କିନ୍ତୁ ଲୋକ-ଲୋଚନ–ଅଗୋଚରରେ ଯେ କେତେ ଶତ ପ୍ରାଣୀ ଦୁର୍ବିସହ ଯାତନା ଉପଭୋଗ କରୁଛନ୍ତି, ତହିଁର ଖବର ରଖୁଛି କିଏ ?

 

ନୀଳମାଧବ ମନ୍ଦିର ଅଧୁନା ଜୀର୍ଣ୍ଣ-କଳେବର । ତାହାର ସେ ପୁରାତନ ଗୌରବ ଆଉ ନାହିଁ । ମନ୍ଦିରବାଟେ କେତେ ଶତ ଲୋକ ପ୍ରତିଦିନ ଯାତାୟାତ କରୁଛନ୍ତି; କିନ୍ତୁ କେହି ଦିନେ ମନ୍ଦିର ଆଡ଼କୁ ମୁହଁ ଫେରାଇ ଦେଖୁ ନାହାନ୍ତି । ମନ୍ଦିରଟି ପୁରାତନର ଗୋଟିଏ ଅଂଶ; ସେ ବର୍ତ୍ତମାନର କେହି ନୁହେଁ । କିନ୍ତୁ ଏହାର ଅବସ୍ଥା ଚିରକାଳ ଏପରି ନଥିଲା । ଆମ୍ଭେମାନେ ଯେଉଁ ସମୟର କଥା କହୁଅଛୁ, ସେ ସମୟରେ ମନ୍ଦିରର ପୁରାଣ ମହିମା ଜଗତକୁ ମୁଗ୍ଧ, ବିସ୍ମିତ କରୁଥିଲା ।

 

ବିମଳା ପ୍ରତିଦିନ ସନ୍ଧ୍ୟା ସମୟରେ ମନ୍ଦିରକୁ ଆସେ ଓ ନିଜ ମନକୁ ଗୀତ ଗାଇ ପୁଣି ଚାଲିଯାଏ । ସେଠାରେ ସେ ପ୍ରକୃତିର ଚାରୁ ଛବି ଦେଖି, ପ୍ରକୃତିର ସୁମଧୁର ସଙ୍ଗୀତ ଶୁଣି ସଙ୍ଗୀତମୟ ପ୍ରାଣରେ ନିଜେ ଗୀତ ଗାଏ । ସେ ସଙ୍ଗୀତର ତୁଳନା ଜଗତରେ ବିରଳ । ତାହା ମନ୍ଦାକିନୀର ସ୍ୱଚ୍ଛ ସ୍ରୋତ ସଦୃଶ ଆକାଶ-ବକ୍ଷରେ ମୃଦୁମନ୍ଦ ଭାବରେ ନୃତ୍ୟକରେ ।

 

ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା । ପୂର୍ଣ୍ଣଚନ୍ଦ୍ର ପ୍ରାଚୀ-ଲଲାଟରେ ଚନ୍ଦନ-ବିନ୍ଦୁରୂପେ ବିରାଜିତ ହୋଇ ସୁଧାମୟ ଜ୍ୟୋତ୍ସ୍ନାରେ ଜଗତକୁ ସିକ୍ତ କରୁଛନ୍ତି । ଆକାଶର ସ୍ଥାନେ ସ୍ଥାନେ କ୍ଷୁଦ୍ର କ୍ଷୁଦ୍ର ମେଘ ଖଣ୍ଡ । ନଭଃ-ପ୍ରାଙ୍ଗଣରେ ଚନ୍ଦ୍ର ଏହି ମେଘଗୁଡ଼ିକ ସଙ୍ଗେ ଲୁଚକାଳିଖେଳ ଖେଳୁଅଛି । ଏପରି ଆନନ୍ଦ ଓ ନିରାନନ୍ଦର ସନ୍ଧି-ସମୟରେ ଓ ନିର୍ଜନ ସ୍ଥଳରେ ବିମଳା ନୀଳମାଧବ ମନ୍ଦିରରୁ ବହିର୍ଗତ ହୋଇ ସୋପାନାବଳୀ ଉପରେ ଯାଇ ବସିଲା । ବିମଳାର ବୟସ ପ୍ରାୟ ଚଉଦବର୍ଷ ହେବ । ପରିଧେୟ ଗୋଟିଏ ନୀଳରଙ୍ଗର ଶାଢ଼ୀ; ନାସିକାରେ ଦଣ୍ଡି ଏବଂ ହସ୍ତରେ ସ୍ୱର୍ଣ୍ଣ-ବଳୟ । ତାହାର କାନ୍ତି ଚମ୍ପକ ପୁଷ୍ପ ସଦୃଶ, ବେଣୀ ଅସଂଯତ । ନୈଶ ସମୀରଣ ବିମଳାର କପୋଳନ୍ୟସ୍ତ ଅଳକସଙ୍ଗେ ନୃତ୍ୟ କରି ତାହାର ମୁଖକୁ ମେଘଦ୍ୱାରା ଅର୍ଦ୍ଧ-ଲୁକ୍କାୟିତ ଚନ୍ଦ୍ରମାର କାନ୍ତିରେ ବିଭୂଷିତ କରୁଛନ୍ତି । ବିମଳାର ମନ ଆଜି ଚିନ୍ତାମଗ୍ନ; ମୁଖ ଗମ୍ଭୀର । ସେ ଯେପରି କାହାକୁ ଖୋଜୁଛି କିନ୍ତୁ ପାଉନାହିଁ । ସେ ହସ୍ତୋପରି ଗଣ୍ଡଦେଶ ନ୍ୟସ୍ତ କରି ଆକାଶର ଚନ୍ଦ୍ରଆଡ଼କୁ ଅନାଇଲା । ଚନ୍ଦ୍ରର ଲୁଚକାଳିଖେଳ ଦେଖି ମନମଧ୍ୟରେ କ’ଣ ଭାବି ଗୀତ ଗାଇବାକୁ ଲାଗିଲା–

 

କର କିମ୍ପା ପ୍ରବଞ୍ଚନା ?

ଆହେ ଶଶଧର ସୁଧାର ଆକର ଶୁଣ ବାରେ ମୋ ପ୍ରାର୍ଥନା । ୦ ।

 

ସରୋବର-ବକ୍ଷେ ନୀର-ଆସନେ

ଖେଳେ କୁମୁଦିନୀ ମନ୍ଦ ପବନେ;

ଲୁଚକାଳିଖେଳେ ମାତି ଅବହେଳେ ଦେଉଛ କିମ୍ପା ଯାତନା । ୧ ।

 

ତବ ଆଲିଙ୍ଗନ ସୁଧା-ନିର୍ଝର,

ଅଟେ କୁମୁଦିନୀ-ହୃଦ-ସମ୍ବଳ;

କାଦମ୍ବିନୀ-କୋଳେ ଲୁଚି ଅନ୍ତରାଳେ ନ ଲୁଚାଅ ସେ ଜୋଛନା । ୨ ।

 

କରୁଛି ମିନତି, କୁମୁଦ-ବନ୍ଧୁ,

ଦେଖାଅ ନିର୍ମଳେ ବଦନ ମଧୁ;

ସୁଧା-ପାରାବାରେ ଭାସି ପ୍ରେମଭୋଳେ ଲଭିବ ଧନୀ ସାନ୍ତ୍ୱନା । ୩ ।

 

ସ୍ୱର-ଲହରୀ ବନ୍ଦ ହେଲା; କିନ୍ତୁ ବିମଳାର ପ୍ରାଣ ଅଧୁନା ସଙ୍ଗୀତମୟ । ସଙ୍ଗୀତ ବନ୍ଦ ହେଲେ ସୁଦ୍ଧା ଜଗତ ତାକୁ ସଙ୍ଗୀତମୟ ଦିଶିବାକୁ ଲାଗିଲା । ରଜନୀର ନିସ୍ତବ୍ଧତା କେଉଁଆଡ଼େ ଉଭେଇଗଲା । ଜଗତର ଅଜ୍ଞାତରେ, ନିସ୍ତବ୍ଧତାର ଅଜ୍ଞାତରେ ଧରଣୀ-ବକ୍ଷରେ ସୁମଧୁର ସଙ୍ଗୀତ-ରାଜ୍ୟ ପ୍ରତିଷ୍ଠିତ ହେଲା ।

 

ବିମଳା ଆବେଗରେ, ଉତ୍ସ୍ୱାସରେ ଆତ୍ମ-ବିସ୍ମୃତ ହୋଇ ନିବିଷ୍ଟଚିତ୍ତରେ ମହାନଦୀ-ବକ୍ଷରେ ଜ୍ୟୋତ୍ସ୍ନାର ସୁମଧୁର ଲାସ୍ୟ ଦେଖିବାକୁ ଲାଗିଲା । କିନ୍ତୁ ଏ କ’ଣ ? ତା ମନ ଏପରି ଚଞ୍ଚଳ କାହିଁକି ? ଏ କାହାର ପଦଶବ୍ଦ ? ଏ କାହାର ଉଷ୍ଣ ନିଃଶ୍ୱାସ ? ବିମଳା ପଛକୁ ଫେରି ଅନାଇଲା-କି ସୁନ୍ଦର ଯୁବାମୂର୍ତ୍ତି, ଯେପରି ନୀଳବ୍ୟୋମ-ପଟରେ ଚିତ୍ରିତ ତରୁଣଅରୁଣ ମୂର୍ତ୍ତି ! ସେ ମୂର୍ତ୍ତି ଦେଖି ବିମଳା ମୁଗ୍ଧ ହୋଇଗଲା । ତାହାର ନୟନ-ସମକ୍ଷରେ ଯେପରି ସୌନ୍ଦର୍ଯ୍ୟ-ଭଣ୍ଡାରର ସର୍ବଶ୍ରେଷ୍ଠ ମଣି ପ୍ରତିଭାତ ହେଲା । ସେ ଯୁବକଙ୍କ ନିକଟକୁ ଯାଇ କମ୍ପିତକଣ୍ଠରେ କହିଲା, ‘‘ଆଜିଯାଏ ତୁମର ଶାରୀରିକ ଦୁର୍ବଳତା ଯାଇନାହିଁ । ତାପରେ ପୁଣି ଏତେ ପରିଶ୍ରମ ! ମୋ ରାଣ, ଦେହରେ ବଳ ହେବାଯାଏ ଆଉ ରାତିରେ ଏପରି ବୁଲ ନାହିଁ ।’’

 

ବିମଳାର କଥା ଶୁଣି ଯୁବକଙ୍କ ସମଗ୍ର ଶରୀର କଣ୍ଟାକିତ ହୋଇଗଲା ବିମଳାର ଅଜ୍ଞାତରେ ତାଙ୍କ ନୟନ-କୋଣରେ ସ୍ୱଚ୍ଛ ଅଶ୍ରୁ-କଣା ବିଲୀନ ହୋଇଗଲା । ସେ ତାହାର ହସ୍ତ ଧରି କହିଲେ, ‘‘କାହିଁକି ବିମଳା ! ମୋ ଦେହ ତ ବେଶ୍‌ ସବଳ ହେଲାଣି । ଆଜି ସଞ୍ଜବେଳେ ମହାନଦୀ ଆର ପାରିରେ ଗୋଟିଏ ନିଆଁ-ହୁଳା ଦେଖାଯାଉଥିଲା । ସେଠାକୁ ଯାଇଁ ଦେଖେ ଯେ ମରହଟ୍ଟାମାନେ ଦଳ ବଳ ବାନ୍ଧି ଆସିଛନ୍ତି । ସେ ଦିନ ନାନା ସାହେବ ଭୋଁସ୍ଳା ଯେ ଅପମାନ ପାଇଥିଲେ, ତହିଁର ପ୍ରତିଶୋଧ ନେବାପାଇଁ ଏ ଆୟୋଜନ । ମୁଁ ଏକ୍ଷଣି ଦୁର୍ଗକୁ ଯାଇ ମହାରାଜାଙ୍କୁ ଏ ସମ୍ବାଦ ଦେବି ।’’

 

ଯୁବକ ନିରବ ହେଲେ । ଯୁବତୀଠାରୁ ଉତ୍ତର ପ୍ରତ୍ୟାଶା କରି ତା’ ମୁଖକୁ ଅନାଇବାକୁ ଲାଗିଲେ । ଅଶ୍ରୁ-ସିକ୍ତ-ଲୋଚନା ବିମଳା ରୁଦ୍ଧକଣ୍ଟରେ କହିଲା, ‘‘କିନ୍ତୁ ତୁମ ଦେହ ଯେ ଭଲ ହୋଇନାହିଁ ।’’

 

ଯୁବକ କହିଲେ, ‘‘ଦେହପାଇଁ ଏତେ ଚିନ୍ତା କାହିଁକି ? ଯଦି ଦରକାର ହୁଏ, ଯୁଦ୍ଧକ୍ଷେତ୍ରକୁ ଯିବାକୁ ହେବ ।’’

 

ବିମଳାର ଜ୍ୟୋତ୍ସ୍ନା-ପ୍ରତିଫଳିତ ଅଶ୍ରୁ ସିକ୍ତ ଗଣ୍ଡୋପରି ଯୁବକଙ୍କ ଦୃଷ୍ଟି ପଡ଼ିଲା । ତାଙ୍କ ହସ୍ତ ଶିଥିଳ ହୋଇଗଲା । ସେ ଆଉ ବିମଳାର ହସ୍ତ ଧରି ପାରିଲେ ନାହିଁ । ବିମଳା ନିରବରେ କ୍ରନ୍ଦନ କରିବାକୁ ଲାଗିଲା । ଏସମୟରେ ଯଦି ଆକାଶର ତାରକା-ଖଚିତ ଚାରୁ ଚନ୍ଦ୍ରାତପ ଭାଙ୍ଗିଯାଇ ଯୁବକଙ୍କ ମସ୍ତକ ଉପରେ ପଡ଼ିଥାନ୍ତା, ତାହାହେଲେ ସେ ତିଳେମାତ୍ର ଦୁଃଖିତ ହୋଇ ନଥାନ୍ତେ । କିନ୍ତୁ ବିମଳାର ହୃଦୟର ଆବେଗ ଦେଖି ସେ ଆଉ ସମ୍ଭାଳି ପାରିଲେ ନାହିଁ । ତାଙ୍କ ଚକ୍ଷୁ ମଧ୍ୟ ଲୋତକପୂର୍ଣ୍ଣ ହୋଇଗଲା । ପରେ ବହୁ କଷ୍ଟରେ ଆତ୍ମ-ସଂଗୋପନ କରି କହିଲେ, ‘‘ଛି, ବିମଳା । ଦେଶରେ ଶତ୍ରୁକୁ ଦାଣ୍ଡଦୁଆରେ ଦେଖି ଏପରି କଥା କହୁଛ ।’’

 

ବିମଳା ମସ୍ତକ ଉତ୍ତୋଳନ କରି ସ୍ଥିର ଦୃଷ୍ଟିରେ ଯୁବକଙ୍କ ମୁଖକୁ ଅନାଇଲା । ତାହାର ମୁଖର ରଙ୍ଗ ଅଧୁନା ପରିବର୍ତ୍ତିତ-ନୟନ ଅଶ୍ରୁ ବିମୁକ୍ତ । ସେ ଯୁବକଙ୍କ ହସ୍ତକୁ ବାରମ୍ବାର ଚୁମ୍ବନ କରି କହିଲା, ‘‘ଦେଶର କାର୍ଯ୍ୟ-ଦେବତାଙ୍କ କାର୍ଯ୍ୟ-ମୁଁ ବାଧା ଦେବିନାହିଁ । ଯାଅ । କିନ୍ତୁ–’’

 

ବିମଳାର କଣ୍ଠରୁଦ୍ଧ ହୋଇଗଲା । ତା’ ମୁଖରୁ ଆଉ କଥା ବାହାରି ପାରିଲା ନାହିଁ । ଯୁବକ ସହାସ୍ୟ ବଦନରେ କହିଲେ, ‘‘ଯଦି ଈଶ୍ୱରଙ୍କ ଇଚ୍ଛା ହୁଏ ନିଶ୍ଚୟ ଦେଖା ହେବ ।’’ ଏହା କହି ସେ ବିମଳାଠାରୁ ବିଦାୟ ନେଇ ବୃକ୍ଷାନ୍ତରାଳରେ ଅଦୃଶ୍ୟ ହୋଇଥିଲେ ।

•••

 

ଦ୍ୱିତୀୟ ପରିଚ୍ଛେଦ

ବିଶ୍ୱାସଘାତକ

 

‘‘I give him curses, yet he gives me love''

–Shakespeare

 

‘‘ଏତେ ରାତ୍ରିରେ ନିର୍ଜନରେ ପରପୁରୁଷ ସଙ୍ଗେ ! ଛି, ବିମଳା ।’’

 

ବିମଳା ପଛକୁ ଅନାଇ ଦେଖିଲା, ଆଉ ଜଣେ ଯୁବକ ଛିଡ଼ା ହୋଇ ତାକୁ ଏପରି କହୁଛନ୍ତି । ଯୁବକଙ୍କୁ ଚିହ୍ନିବା ପାଇଁ ବିମଳାର ବେଶି ବିଳମ୍ବ ହେଲାନାହିଁ । ସେ ଶୈଶବରୁ ପିତୃମାତୃହୀନା । ସମ୍ବଲପୁର ରାଜ୍ୟର ସ୍ୱାଧୀନ ନରପତି ଜୟନ୍ତସିଂହଙ୍କ ସେନାପତି ବୀରେଶ୍ୱର ସିଂହଙ୍କ ଲାଳନପାଳନରେ ବର୍ଦ୍ଧିତା ହୋଇ ସେ ଭକ୍ତିଭାଜନ ପିତା ଓ ସ୍ନେହମୟୀ ମାତାଙ୍କୁ ସୁଦ୍ଧା ଭୁଲିଥିଲା । ବୀରେଶ୍ୱର ତାହାର ପିତା ଓ ମାତା ଦୁହିଁଙ୍କ ସ୍ଥାନ ଅଧିକାର କରିଥିଲେ । ସେ ତାକୁ ନିଜ ଝିଅରୁ ବଳି ସ୍ନେହ କରୁଥିଲେ । ବିମଳା ମଧ୍ୟ ବୀରେଶ୍ୱରଙ୍କ ପରିବାରକୁ ନିଜ ପରିବାର ବୋଲି ଭାବିଥିଲା । ବୀରେଶ୍ୱରଙ୍କ ଏକମାତ୍ର ପୁତ୍ର ଉଦିତପ୍ରତାପ ସିଂହଙ୍କୁ ସେ ନିଜ ଅଗ୍ରଜପ୍ରାୟେ ଭକ୍ତି କରୁଥିଲା । ଉଦିତପ୍ରତାପଙ୍କ କଥା ଶୁଣି ତାଙ୍କ ନିକଟକୁ ଯାଇ କହିଲା, ‘‘ଦାଦା, ବାପା ତ କହିଛନ୍ତି, ରାତିରେ କେବେ କିପରି ଏଠାକୁ ଆସିଥିବୁ ବୋଲି । ମୋ’ ମନରେ କଷ୍ଟ ହେଲେ, ମୁଁ ଏଠିକି ଆସି ଗୀତ ଗାଏ-ଗୀତ ଗାଇ ତାପିତ ପ୍ରାଣକୁ ଶୀତଳ କରେ । ତୋ’ ଦୁଃଖିନୀ ଭଉଣୀ ଉପରେ କାହିଁକି ରାଗୁଛୁ ?’’

 

‘‘କିନ୍ତୁ ପରପୁରୁଷ ସଙ୍ଗେ !’’ ଏହା କହି ଉଦିତପ୍ରତାପ ଜିଭ କାମୁଡ଼ି ବିମଳା ମୁଖ ଆଡ଼କୁ ଅନାଇଲେ । ଲଜ୍ଜାରେ ବିମଳା ମୁଖ ତଳକୁ ହୋଇଗଲା । ଉଦିତପ୍ରତାପ ପୁନରାୟ କହିଲେ, ‘‘ବିମଳା, ତୋ’ ପିଲାଟିଆ ସ୍ୱଭାବ କେବେ ଛାଡ଼ିଲୁ ନାହିଁ । ତୁ ବଡ଼ ହେଲୁଣି, ସଂସାରର ଗତିରୀତି ସବୁ ଦେଖୁଛୁ । ତୋର ଏ ବୟସରେ ଅନ୍ୟ ଲୋକ ସଙ୍ଗେ ନିର୍ଜନରେ କଥାବାର୍ତ୍ତ କରିବା ଠିକ୍ ନୁହେଁ ।’’

 

‘‘କିନ୍ତୁ ପ୍ରସନ୍ନକୁମାର ଯେ ମୋ ପିଲାକାଳ ସଙ୍ଗୀ । ତାଙ୍କ ସଙ୍ଗେ ଏକାନ୍ତରେ କଥାବାର୍ତ୍ତା କଲେ ଦୋଷ କ’ଣ ?’’

 

‘‘ସେ ତୋର ପିଲାକାଳ ସାଥି ହୋଇପାରନ୍ତି । ପିଲାବେଳେ ସେ ସବୁ ଶୋଭା ପାଉଥିଲା । ଆଜି ତୋର ଏ ଆଚରଣ ଶୁଣିଲେ ବାପା କଅଣ କହିବେ ?’’

 

‘‘ଛି, ଦାଦା ! ତୁ କ୍ଷତ୍ରିୟ-ଯୁବକ ହୋଇ ଏପରି କହୁଛୁ !’’

 

‘‘ନା, ବିମଳା ! ତୁ ଏପରି କଲେ ମୋ’ ମନରେ କଷ୍ଟ ହେବ । ପ୍ରସନ୍ନକୁମାରଙ୍କ ଚରିତ୍ର ଭଲ ନୁହେଁ । ଅସଚ୍ଚରିତ୍ର ଲୋକଙ୍କ ସଙ୍ଗେ ତତେ ଦେଖିଲେ ମୁଁ ରାଗିବି ।’’

 

ପ୍ରସନ୍ନକୁମାର ବିମଳାର ଅନ୍ତରଙ୍ଗ ପ୍ରତିବେଶୀ । ପିଲାଦିନୁ ଦୁହେଁଯାକ ଏକାସଙ୍ଗରେ ଖେଳୁଥିଲେ-ଦୁହେଁ ଦୁହିଁଙ୍କ ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ ହେଉଥିଲେ । ଦୁହେଁଯାକ ଗୋଟିଏ ବୃନ୍ତର ଯୁଗଳପୁଷ୍ପ ସଦୃଶ ଶୋଭା ପାଉଥିଲେ । ଦୁହିଁଙ୍କ ପ୍ରାଣ ଏକ, ମନ ଏକ । ପ୍ରସନ୍ନକୁମାରଙ୍କ ନିନ୍ଦା ଶୁଣି ବିମଳା-ମନରେ କଷ୍ଟ ହେଲା । ସେ ଉଦିତପ୍ରତାପଙ୍କ ଉଦ୍ଦେଶ୍ୟ ବୁଝିପାରିଲା । ଉଦିତପ୍ରତାପ ବିମଳାର ସୌନ୍ଦର୍ଯ୍ୟରେ ମୁଗ୍ଧ- ତା’ର ପ୍ରଣୟପ୍ରାର୍ଥୀ । ବିମଳା ତାଙ୍କୁ ଅନେକ ଥର ବୁଝାଇ କହିଥିଲା-ତାଙ୍କୁ ଭଗିନୀର ସ୍ନେହ, ଦୟା, ଭକ୍ତି ସର୍ବସ୍ୱ ଅର୍ପଣ କରିଥିଲା । କିନ୍ତୁ ଉଦିତପ୍ରତାପ ତହିଁରେ ସନ୍ତୁଷ୍ଟ ନ ହୋଇ ତା’ ହୃଦୟ-ରାଜ୍ୟର ରାଜା ହେବାକୁ ଇଚ୍ଛା କରିଥିଲେ । ତାଙ୍କ ଅଭିଳାଷ-ସିଦ୍ଧି-ପଥରେ ପ୍ରସନ୍ନକୁମାରଙ୍କୁ ପ୍ରଧାନ ଅନ୍ତରାୟ ଭାବି ସେ ତାଙ୍କ ବିରୁଦ୍ଧରେ ନାନା ମିଥ୍ୟାପବାଦ ରଚନା କରି ବିମଳା ସଙ୍ଗେ ତାଙ୍କ ଦେଖା-ସାକ୍ଷାତ ବନ୍ଦ କରିଥିଲେ । ଦଗ୍ଧ-ହୃଦୟା ବିମଳା ନୀଳମାଧବଙ୍କ ମନ୍ଦିରକୁ ପ୍ରତିଦିନ ଗୀତ ଗାଇବା ଛଳରେ ଆସି ପ୍ରସନ୍ନକୁମାରଙ୍କ ସଙ୍ଗେ ଦେଖା କରି ଯାଏ । ଏ କଥା ମଧ୍ୟ ଉଦିତପ୍ରତାପଙ୍କୁ ଅସହ୍ୟ ହୋଇପଡ଼ିଲା । ସେମାନଙ୍କର ସେ ମଧୁର ଆଳାପ, ପରସ୍ପର ହୃଦୟ-ଦ୍ୱାର-ଉଦ୍ଘାଟନ ବନ୍ଦ କରିବା ସକାଶେ ସେ ଚେଷ୍ଟା କରିବାକୁ ଲାଗିଲେ । ଆଜି ତାଙ୍କ ମୁଖରୁ ଏ ଅସଙ୍ଗତ, ଅସଂଯତ କଥା ଶୁଣି ବିମଳା କହିଲା, ‘‘ଦାଦା, ମୁଁ ନାନା ଦୋଷରେ ଦୋଷୀ ହୋଇପାରେ; କିନ୍ତୁ ପ୍ରସନ୍ନକୁମାର ନିର୍ଦ୍ଦୋଷ–ମୁଁ ତାଙ୍କୁ ଭଲ କରି ଜାଣେ-। ଯଦି ମତେ ଭଉଣୀ ବୋଲି ସ୍ନେହ କରୁ, ଏପରି କଥା କେବେ କହିକୁ ନାହିଁ ।’’

 

‘‘ମୁଁ ପୁଣି କହୁଛି–ପ୍ରସନ୍ନକୁମାର ଅସଚ୍ଚରିତ୍ର । ବାପା ମଧ୍ୟ ଏ କଥା ଜାଣନ୍ତି । ବାପାଙ୍କ ଆଦେଶମତେ ମୁଁ ଏଠାକୁ ଆସିଛି । ଆଉ ଏଣିକି ତୁ ଘରୁ ବାହାରି ପାରିବୁ ନାହିଁ ।’’

 

ଉଦିତପ୍ରତାପଙ୍କ କଥା ଶୁଣି ବିମଳା ଦଳିତା-ଫଣିନୀ ସଦୃଶ କ୍ରୋଧରେ ଜର୍ଜ୍ଜରିତ ହୋଇଗଲା । ସେ ତାଙ୍କ କୂଟ ବୁଝିପାରିଲା । ଅବଳା ନାରୀ ତଳକୁ ମୁହଁ କରି କାନ୍ଦିବାକୁ ଲାଗିଲା । ବିମଳାର ଏ ଅବସ୍ଥା ଦେଖି ଉଦିତପ୍ରତାପଙ୍କ ନୟନ-କୋଣରେ ଈଷତ୍‌ ଆନନ୍ଦ-ରେଖା ଫୁଟି ଉଠିଲା । ତାଙ୍କ ଓଷ୍ଠ-ପ୍ରାନ୍ତରେ କୁଟିଳ ହାସ୍ୟର ଜ୍ୟୋତି ପ୍ରକଟିତ ହୋଇ ପରମୁହୂର୍ତ୍ତରେ ବିଲୀନ ହୋଇଗଲା । ବିମଳାକୁ ଚତୁର୍ଦ୍ଦିଗ ଘୋର ତମସାଚ୍ଛନ୍ନ ପ୍ରତୀତ ହେଲା । ସେ କମ୍ପିତ-କଣ୍ଠରେ କହିଲା, ‘‘ଦାଦା, ତୋର ଏ କୂଟ ସବୁ ବୃଥା । ମୁଁ ତୋତେ ଭଗିନୀର ସର୍ବସ୍ୱ ଅର୍ପଣ କରି ସାରିଛି । ଏଥିରୁ ବେଶି ତୁ ଆଉ କିଛି ପାଇ ପାରିବୁ ନାହିଁ । ତୁ ମତେ ବାନ୍ଧିପାରୁ; କିନ୍ତୁ ମୋ ହୃଦୟକୁ ବାନ୍ଧି ପାରିବୁ ନାହିଁ । ଉପରେ ଈଶ୍ୱର ଅଛନ୍ତି ।’’

 

ଏହା କହି ସେ ଦ୍ରୁତ-ପଦ-ବିକ୍ଷେପରେ ସେଠାରୁ ଚାଲିଗଲା । ବିମଳାର ଭାବ ଦେଖି ଉଦିତପ୍ରତାପ ପ୍ରମାଦ ଗଣିଲେ । ପାଳିତା କନ୍ୟାର ପୁଣି ଏତେଦୂର ଆସ୍ପର୍ଦ୍ଧା ! ହୀରାଖଣ୍ଡ ଛତ୍ରପତି ମହାରାଜାଙ୍କ ସେନାପତି-ପୁତ୍ରକୁ ଖାତିର କରେ ନାହିଁ । କ୍ରୋଧରେ ତାଙ୍କ ମୁଖ ଲାଲ ହୋଇଗଲା । ଦଶନରେ ଅଧର ଚାପି ବିମଳାର ଏ ଆଚରଣର ପ୍ରତିଶୋଧ ନେବା ନିମନ୍ତେ ସେ ବିମଳାର ଅନୁସରଣ କଲେ ।

•••

 

ତୃତୀୟ ପରିଚ୍ଛେଦ

କ୍ଷୁଦ୍ର ମେଘ

 

‘‘ଶିବିରେ ପ୍ରତୀକ୍ଷା କରି ବହୁଦିନ

ଶତ୍ରୁଯୋଧେ ହୋଇଛନ୍ତି ଧୈର୍ଯ୍ୟହୀନ,

ସ୍ୱଦେଶେ ବାହୁଡ଼ି ଯିବାକୁ ବାସନା-

ବଶୁଁ କରୁଛନ୍ତି ବିଜନେ ମନ୍ତ୍ରଣା ।’’

–ନନ୍ଦିକେଶ୍ୱରୀ ।

 

ଏ କେତେଦିନ ହେଲା ବିମଳାର ମନରେ ଜମା ସୁଖ ନାହିଁ । ଉଦିତପ୍ରତାପଙ୍କ କଟୂକ୍ତି–‘‘ତୁ ଆଉ ଏଣିକି ଘରୁ ବାହିରି ପାରିବୁ ନାହିଁ ।’’ –ସର୍ବଦା ତାହାର କର୍ଣ୍ଣ-କୁହରରେ ପ୍ରତିଧ୍ୱନିତ ହେଉଅଛି । କି–ସରଳା ବାଳିକାର ସ୍ୱାଧୀନ ମତ ଉପରେ ଏ ଅତ୍ୟାଚାର ! ବିମଳା ଉଦିତପ୍ରତାପଙ୍କୁ ସ୍ପଷ୍ଟରୂପେ କହିଅଛି ଯେ ସେ ତାଙ୍କ ପ୍ରଣୟାକାଙ୍‌କ୍ଷିଣୀ ନୁହେଁ । ତଥାପି ତାଙ୍କୁ ଶୃଙ୍ଖଳିତ କରିବା ପାଇଁ ଏ ପ୍ରୟାସ କାହିଁକି ?

 

ପୂର୍ବେ ବିମଳା ନିଜହସ୍ତରେ ଗୃହକର୍ମ ସବୁ କରୁଥାଏ । କିନ୍ତୁ ଆଉ ଏଣିକି ସେ ଆଡ଼କୁ ଜମା ମନ ଗଲାନାହିଁ । ତାହାର ମାନସ-ଚକ୍ଷୁ-ସମକ୍ଷରେ ପ୍ରସନ୍ନକୁମାରଙ୍କ ପ୍ରେମମୟୀ ପ୍ରତିମା ଅହରହ ନୃତ୍ୟ କରିବାକୁ ଲାଗିଲା । ସେ ତାଙ୍କୁ ଛାଡ଼ି କିପରି ଆଉ ଅନ୍ୟ ବିଷୟ ଭାବି ପାରିବ ? ତା’ର ବିମଳା ପ୍ରେମର ପ୍ରବଳ ବନ୍ୟାରେ ଶତ ଉଦିତପ୍ରତାପ ବାଲିବନ୍ଧପ୍ରାୟେ ଭାସିଯିବ ।

 

ପ୍ରଥମେ ପ୍ରଥମେ ବିମଳା ମନଦୁଃଖରେ ଘର କଣେ ବସି ଭାବନା କରୁଥାଏ । ଭାବି ଭାବି ଲୋତକରେ ଗଣ୍ଡଦେଶ ସିକ୍ତ କରେ । ଭୋଜନରେ କିମ୍ବା ଶୟନରେ ତା’ର ଆଉ ଆସ୍ଥା ନାହିଁ-। ଶରୀର ଦିନକୁଦିନ କୃଶ ହୋଇ ଗଲାଣି । ତାହାର ଶାରୀରିକ ଓ ମାନସିକ ପରିବର୍ତ୍ତନ ଦେଖି ପରିବାରସ୍ଥ ସମସ୍ତେ ଚିନ୍ତାକୁଳ ହୋଇପଡ଼ିଲେ । ତାକୁ ସାନ୍ତ୍ୱନା ଦେବା ନିମନ୍ତେ ଅନେକ ଯତ୍ନ କଲେ; କିନ୍ତୁ ସେମାନଙ୍କ ସକଳ ଚେଷ୍ଟା ବ୍ୟର୍ଥ ହେଲା । ଗୃହ ବର୍ତ୍ତମାନ ତାହା ପକ୍ଷରେ କାରାଗାର । ଏ କାରାଗାରରୁ ମୁକ୍ତି ପାଇଲେ ହିଁ ରକ୍ଷା ।

 

କିଛିଦିନ ଗଲା ପରେ ଅକସ୍ମାତ୍‌ ରାଷ୍ଟ୍ର ହେଲା ଯେ ବିମଳା ନିରୁଦ୍ଧିଷ୍ଟା ହୋଇଛି । ସେ କେଉଁଠିକି ଗଲା, କେହି ଜାଣନ୍ତି ନାହିଁ । ତାକୁ ଖୋଜିବାପାଇଁ ବୀରେଶ୍ୱର ଚାରିଆଡ଼କୁ ଲୋକ ପଠାଇଲେ; କିନ୍ତୁ ବିମଳାର ସନ୍ଧାନ ମିଳିଲା ନାହିଁ । ରାଜ୍ୟଯାକ ଚାରିଆଡ଼େ ଚହଳ ପଡ଼ିଗଲା । ସମସ୍ତଙ୍କ ମୁଖରେ ବିଷାଦର କାଳିମା । ବୀରେଶ୍ୱରଙ୍କୁ ଆଉ କିଛି ଭଲ ଲାଗୁନାହିଁ । ସଂସାର ତାଙ୍କୁ ବିଷମୟ ପ୍ରତୀତ ହୋଇଅଛି । ବିମଳା ବିଷୟରେ ଅନେକ ଲୋକ ଅନେକ କଥା କହୁଛନ୍ତି । କିଏ କହେ ବିମଳା ପାଣିରେ ବୁଡ଼ି ମରିଛି । ତାହାର ମତ ସମର୍ଥନ କରିବା ସକାଶେ ଅପର କେହି କହେ ଯେ, ସେ ବିମଳାର ମୃତ ଦେହ ଦେଖି ଆସିଛି । ଏପରି ନାନା ମୁଖରେ ନାନା କଥା ଶୁଣାଗଲା ।

 

ଏ ସମ୍ବାଦ ଯାଇ ଉଦିତପ୍ରତାପଙ୍କ କାନରେ ପଡ଼ିଲା । ସେ ଅଧୁନା ସମ୍ବଲପୁର ଦୁର୍ଗରେ ଥାଇ ମରହଟ୍ଟାମାନଙ୍କ ସଙ୍ଗେ ଭୀଷଣ ସଂଗ୍ରାମରେ ପ୍ରବୃତ୍ତ ହୋଇଛନ୍ତି । କ୍ରମାନ୍ୱୟ ଛ’ମାସ କାଳ ମରହଟ୍ଟାମାନେ ଦୁର୍ଗ ଅଧିକାର କରିବାକୁ ଚେଷ୍ଟା କଲେ; କିନ୍ତୁ ଓଡ଼ିଆମାନଙ୍କ ବୀରତ୍ୱ ସମ୍ଭାଳି ନ ପାରି ପ୍ରତିଥର ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲେ । *ଦୁର୍ଗ ମଧ୍ୟରେ ଆଦୌ ପ୍ରବେଶ କରି ପାରିଲେ ନାହିଁ । ଏ ଆଡ଼େ ଉଦିତପ୍ରତାପଙ୍କର ଆଉ ପୂର୍ବପରି ଉତ୍ସାହ ନାହିଁ । ଯୁଦ୍ଧ କରିବାକୁ ଆଉ ତାଙ୍କୁ ଭଲ ଲାଗୁନାହିଁ । ତାଙ୍କର ଏପରି ଭାବ ଦେଖି ପ୍ରସନ୍ନକୁମାର ବ୍ୟଥିତ ହେଲେ । ଈର୍ଷାପରବଶ ହୋଇ ଉଦିତପ୍ରତାପ ସମରାଙ୍ଗଣରେ ପ୍ରସନ୍ନକୁମାରଙ୍କ କ୍ଷତି କରିବାକୁ ଚେଷ୍ଟା କରିଥିଲେ; କିନ୍ତୁ ଭଗବାନ ଏ ବିପଦରୁ ତାଙ୍କୁ ରକ୍ଷା କଲେ । ପ୍ରସନ୍ନକୁମାର ଏପରି ଦକ୍ଷତା ସହକାରେ ଯୁଦ୍ଧ କରିବାକୁ ଲାଗିଲେ ଯେ ଜୟନ୍ତସିଂହ ତାଙ୍କ ରଣ-କୌଶଳରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତାଙ୍କୁ ତୋରଣରକ୍ଷୀ ସୈନିକମାନଙ୍କ ଅଧିନାୟକ-ପଦରେ ନିଯୁକ୍ତ କଲେ । ଏ ଗୁରୁଦାୟିତ୍ୱ ମସ୍ତକରେ ବହନ କରି ସଂସାରର ସମସ୍ତ ଚିନ୍ତା ଭୁଲି ପ୍ରସନ୍ନକୁମାର କର୍ତ୍ତବ୍ୟ-ପଥରେ ଅଗ୍ରସର ହେଲେ ।

 

*

Vide Bengal District Gazetteer. (Sambalpur)

 

କିନ୍ତୁ ପ୍ରସନ୍ନକୁମାରଙ୍କ ଉନ୍ନତି ଉଦିତପ୍ରତାପଙ୍କୁ ଭଲ ଲାଗିଲା ନାହିଁ । ପ୍ରସନ୍ନକୁମାରଙ୍କୁ ଦେଖିଲେ, କେଜାଣି କାହିଁକି, ତାଙ୍କ ମୁଖ କ୍ରୋଧରେ ଲାଲ ହୋଇଯାଏ । ତାଙ୍କ ଚକ୍ଷୁରୁ ଅଗ୍ନି-ସ୍ଫୁଲିଙ୍ଗ ନିର୍ଗତ ହୁଏ । ଯେଉଁଦିନ ଉଦିତପ୍ରତାପ ବିମଳାର ନିରୁଦ୍ଧିଷ୍ଟା ହେବାର ସମ୍ୱାଦ ଶୁଣିଲେ, ସେହିଦିନ ତାଙ୍କ ମୁଖ ଗମ୍ଭୀର ହୋଇଗଲା, ଯେପରି ସେ ସବୁବେଳେ କ’ଣ ଚିନ୍ତା କରୁଛନ୍ତି ! ରଣ-କୋଳାହଳ ଆଉ ତାଙ୍କ ପ୍ରାଣକୁ ନଚାଇ ପାରିଲା ନାହିଁ । ସେ ନୀରବରେ ନିର୍ଜନରେ ବସି ଚିନ୍ତା କରିବାକୁ ଲାଗିଲେ ।

 

କିଛିଦିନ ପରେ ପୁଣି ଦୁର୍ଗଭିତରେ ହୁରି ପଡ଼ିଗଲା, ଉଦିତପ୍ରତାପ ଦୁର୍ଗରେ ନାହାନ୍ତି । ସରଳ-ହୃଦୟ ପ୍ରସନ୍ନକୁମାର ଏଥିର କାରଣ କିଛି ବୁଝି ପାରିଲେ ନାହିଁ । ଯୁଦ୍ଧସମୟରେ ସେନାପତି-ପୁତ୍ରଙ୍କ ଅଦୃଶ ଆଚରଣ ଦେଖି ସମସ୍ତେ ବ୍ୟଥିତ ହେଲେ । କିନ୍ତୁ ଜଗତର ଦୁଃଖ ହେଉ ବା ସୁଖ ହେଉ, ସଭିଏଁ ନିଜ ନିଜ କାର୍ଯ୍ୟ ନେଇ ବ୍ୟସ୍ତ । ମନୁଷ୍ୟ ଦେବତା ନୁହେଁ–ସମୟେ ସମୟେ ଦେବତା ହେବାକୁ ଚେଷ୍ଟା କରିଥାଏ ମାତ୍ର । ସଂସାରରେ ଏହି ଦେବତ୍ୱ ଭିଳାଷୀ ମନୁଷ୍ୟଙ୍କ ସଂଖ୍ୟା ନିତାନ୍ତ କମ୍‌ ନାହିଁ ବୋଲି କହିଲେ ଚଳେ । ପ୍ରକାଶ୍ୟରେ ହେଉ ବା ଗୋପନରେ ହେଉ, ସଭିଏଁ ନିଜ ନିଜ ସ୍ୱାର୍ଥରେ ମାତିଛନ୍ତି । ଯେଉଁମାନେ ଏହି ନିୟମର ବହିର୍ଭୂତ ସେମାନେ ଜଗତର ନମସ୍କରଣୀୟ ।

 

ଓଡ଼ିଆମାନଙ୍କ ହସ୍ତରେ ବାରମ୍ୱାର ପରାସ୍ତ ହୋଇ ମରହଟ୍ଟାମାନେ ଅତିଶୟ କାତର ହୋଇ ପଡ଼ିଥିଲେ । ଓଡ଼ିଶାକୁ ଜୟ କରିବା ସେମାନେ ଯେପରି ସହଜ ବୋଲି ଭାବିଥିଲେ, କାର୍ଯ୍ୟରେ ତହିଁର ଠିକ୍‌ ବିପରୀତ ଦେଖିବାକୁ ପାଇଲେ । ସ୍ୱାଧୀନ ଜାତିକୁ ପରାଧୀନ କରିବା ସହଜ କଥା ନୁହେଁ ।

 

ସମ୍ୱଲପୁରାଧିପତି ଅଭୟସିଂହଙ୍କ ହସ୍ତରେ ମରହଟ୍ଟାମାନେ ଯେ ପରାଜୟ ସ୍ୱୀକାର କରିଥିଲେ, ତହିଁର ଯନ୍ତ୍ରଣା ଆଜିଯାଏଁ ଯାଇନାହିଁ । ତା’ପରେ ପୁଣି ଜୟନ୍ତସିଂହଙ୍କ ହସ୍ତରେ ଏ ଅପମାନ ! ନାନାସାହେବ ଭୋଁସ୍ଳା (୧) ଏପରି ଅବସ୍ଥାରେ କ’ଣ କରିବେ, କିଛି ଠିକ୍‌ କରି ପାରିଲେ ନାହିଁ । ସମସ୍ତ ସାମନ୍ତମାନଙ୍କୁ ଏକତ୍ରିତ କରି ସେ ମନ୍ତ୍ରଣା କରିବାକୁ ଲାଗିଲେ । ଦୁର୍ଗକୁ ଅଧିକାର କରିବାର ଅନେକ ଉପାୟ ଉଦ୍ଭାବିତ ହେଲା, କିନ୍ତୁ ସେଗୁଡ଼ିକ ଅସମ୍ଭବ-ଜ୍ଞାନରେ ପରିତ୍ୟକ୍ତ ହେଲା । ମରହଟ୍ଟା-ଶିବିରରେ ବିଷାଦର ରାଜ୍ୟ ପ୍ରତିଷ୍ଠିତ ହେଲା ।

 

ନାନାସାହେବ ଚିନ୍ତାକୁଳ ମନରେ ଶିବିର ପରିତ୍ୟାଗ କରି ମହାନଦୀ କୂଳରେ ବିଚରଣ କରିବାକୁ ଲାଗିଲେ । ଜ୍ୟୋତ୍ସ୍ନା-ସ୍ନାତ ଲହଣ୍ଡାପର୍ବତର ସ୍ୱର୍ଗୀୟ କାନ୍ତି ତାହାଙ୍କର ଦୃଷ୍ଟି ପଥାରୂଢ଼ ହେଲା । କି ଆଲୌକିତ ସୌନ୍ଦର୍ଯ୍ୟ ! ସମ୍ମୁଖରେ ସୌନ୍ଦର୍ଯ୍ୟରେ କମ୍ପମାନା କଳନାଦିନୀ ପର୍ବତ-ସ୍ରୋତସ୍ୱତୀ । ମସ୍ତକରେ ନୀଳ ଆକାଶ, ସତେ ଯେପରି ଉପରୁ ନୀଳିମା ଥପ ଥପ ହୋଇ ପଡ଼ୁଛି-। ନାନାସାହେବ ମୁଗ୍ଧ ନେତ୍ରରେ ଏ ଅପରୂପ ସୌନ୍ଦର୍ଯ୍ୟ ଦେଖିବାକୁ ଲାଗିଲେ । କିନ୍ତୁ ପରମୁହୂର୍ତ୍ତରେ ସବୁ ଅନ୍ଧକାର ହୋଇଗଲା । ପ୍ରକୃତିର ସେ ଚାରୁଶିଳ୍ପ କେଉଁଆଡ଼େ ଉଭେଇ ଗଲା । ସେ ବିଷର୍ଣ୍ଣ ମନରେ ରୋଦନ କରିବାକୁ ଲାଗିଲେ ।

 

୧.

ନାଗପୁରାଧିପତି ରଘୁଜି ଭୋଁସ୍ଳାଙ୍କ ଭାଇ (cousin)

 

କିଛିକ୍ଷଣ ପରେ ଚକ୍ଷୁ ଉନ୍ମୀଳନ କରି ଦେଖିଲେ ଯେ, ଜଣେ ଯୁବକ ମହାନଦୀ-ବକ୍ଷରେ ଶିଳା ଉପରେ ବସିଛନ୍ତି । ଯୁବକଙ୍କ ପରିଚ୍ଛଦ ଦେଖି ତାଙ୍କୁ ଶତ୍ରୁପକ୍ଷୀୟ ଭାବି ଭୀଷଣ ଗର୍ଜନ ସହ ତାଙ୍କ ଉପରେ ଲମ୍ଫ ପ୍ରଦାନ କଲେ । କିନ୍ତୁ ଯୁବକ ପର୍ବତ ପ୍ରାୟ ଅଟଳ-ପ୍ରତ୍ୟାକ୍ରମଣର ଚେଷ୍ଟା-ମାତ୍ର-ବିରହିତ । ସେ ନାନାସାହେବଙ୍କ ଆଡ଼କୁ ନୀରବରେ ଅଗ୍ରସର ହୋଇ ତାଙ୍କୁ ଆଲିଙ୍ଗନ-ପାଶରେ ଆବଦ୍ଧ କଲେ । ଯୁବକଙ୍କ ଏପରି ରୀତି ଦେଖି ନାନାସାହେବ ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ-। ସେମାନଙ୍କ ମଧ୍ୟରେ ଅନେକ କଥାବାର୍ତ୍ତା ହେଲା; କିନ୍ତୁ ସେ ଗୁପ୍ତ କଥାବାର୍ତ୍ତା କେହି ଶୁଣି ନାହାନ୍ତି-। ଏଣୁକରି ପାଠକମାନଙ୍କୁ ତାହା ଉପହାର ଦେଇ ନ ପାରି ଆମ୍ଭେମାନେ ଦୁଃଖିତ । କେବଳ ଲୋକଙ୍କ ମୁଖରୁ ଶୁଣିଛୁ ଯେ ଯୁବକଙ୍କ ନାମ ଉଦିତପ୍ରତାପ ।

•••

 

ଚତୁର୍ଥ ପରିଚ୍ଛେଦ

ଘୋର ଅନ୍ଧକାର

 

‘‘ଧନ୍ୟ ସେ ପ୍ରୀତିକି ! ମରଣ-ଭୀତିକି

ପ୍ରୀତି ସେ ପାରଇ ଜିଣି;

ଶିରୀଷ-ମୃଦୁଳା ଲବଣୀ-ପିତୁଳା

ପ୍ରୀତି କଲା ସାହସିନୀ ।’’ –କେଦାରଗୌରୀ

‘‘କିନ୍ତୁ ଏ ରକ୍ତ-ପାତରେ ତୁମ୍ଭର ଲାଭ ?’’

‘‘ଲାଭ ! ଦେଶର ଶତ୍ରୁକୁ ବିନାଶ କରି ଜନ୍ମଭୂମିର ସ୍ୱାଧୀନତା ରକ୍ଷା କରିବି । ଏହା କ’ଣ କ୍ଷତ୍ରିୟ ବୀରର ଚରମ ଲାଭ ନୁହେଁ ?’’

‘‘ଏପରି ଭାବିବା ମୂର୍ଖତା ଭିନ୍ନ ଆଉ କିଛି ନୁହେଁ । ମରହଟ୍ଟାମାନେ ଚିର-ବିଜୟୀ । ସେମାନଙ୍କ ସଙ୍ଗେ ଯୁଦ୍ଧ କରି କାହିଁକି ପରାଜିତ ହେବ ? ବରଂ ସେମାନଙ୍କୁ ସାହାଯ୍ୟ କଲେ ନିଜେ ଜମି-ଜାଗିର ପାଇ ବଡ଼ ଲୋକ ହୋଇପାରିବ ।’’

‘‘ସେ କି, ଉଦିତପ୍ରତାପ ! ତୁମ ମୁଖରେ ଏପରି କଥା ! କ୍ଷମା କରିବ । ମୁଁ ସେ କାର୍ଯ୍ୟ ପାରିବି ନାହିଁ । ଆଜି ସୁଦ୍ଧା ଧର୍ମ ଅଛି । ପୂର୍ବପରି ଆଜି ସୁଦ୍ଧା ଚନ୍ଦ୍ର-ସୂର୍ଯ୍ୟ ଉଦିତ ହେଉଛନ୍ତି । ତୁମେ ସେ କୁଟିଳ ମନ୍ତ୍ରଣା ଛାଡ଼ । ଦେଶର ଶତ୍ରୁକୁ ବିନାଶ କରି ଧନ୍ୟ ହୁଅ ।’’

‘‘ଶତ୍ରୁ-ବିନାଶ ! ଯୁଦ୍ଧ ! ନା-ଜୟପରାଜୟର ଅନିଶ୍ଚିତ ସ୍ଥାନକୁ ଯିବା ଠିକ୍‌ ନୁହେଁ ।’’

‘‘ନା-ହେଲା ! ସେପରି କହନା ।’’ ଏହା କହି ପ୍ରସନ୍ନକୁମାର ତୀକ୍ଷ୍ଣଦୃଷ୍ଟିରେ ଉଦିତପ୍ରତାପଙ୍କ ମୁଖ ଆଡ଼କୁ ଅନାଇବାକୁ ଲାଗିଲେ । କିନ୍ତୁ ଉଦିତପ୍ରତାପ ସ୍ଥିର-ସଂକଳ୍ପ । ସେ ମରହଟ୍ଟାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ ନାହିଁ । ପ୍ରସନ୍ନକୁମାରଙ୍କ କଥା ଶୁଣି ତାଙ୍କ ଭ୍ରୂ-ଯୁଗଳ ଈଷତ୍‌ କୁଞ୍ଚିତ ହେଲା-ନୟନରୁ ବକ୍ର ଜ୍ୟୋତି ନିର୍ଗତ ହେଲା । ସେ କିଛି ନ କହି ବଂଶୀବାଦନ କଲେ । ବଂଶୀବାଦନ ସଙ୍ଗେ ସଙ୍ଗେ ବହୁସଂଖ୍ୟକ ମରହଟ୍ଟା ସୈନିକ ‘‘ବମ୍‌ ବମ୍‌ ମହାଦେଓ’’ ରବ କରି ତୋରଣ ଆଡ଼କୁ ଧାବମାନ ହେଲେ ଓ ପ୍ରସନ୍ନକୁମାରଙ୍କୁ ଘେରି ପକାଇଲେ । ପ୍ରସନ୍ନକୁମାର କିଂକର୍ତ୍ତବ୍ୟବିମୂଢ଼ ହୋଇ ଏ ସବୁ ଦେଖିବାକୁ ଲାଗିଲେ । ଉଦିତପ୍ରତାପ ପ୍ରତିହିଂସା ସାଧନର ଉପଯୁକ୍ତ ସମୟ ପାଇ ଖଡ୍ଗହସ୍ତରେ ପ୍ରସନ୍ନକୁମାରଙ୍କ ଆଡ଼କୁ ଧାବମାନ ହେଲେ । କିନ୍ତୁ ପ୍ରସନ୍ନକୁମାରଙ୍କ ମୁଣ୍ଡ ନ ଛିଣ୍ଡୁଣୁ ପଛରୁ କିଏ ଆସି ତାଙ୍କ ମସ୍ତକକୁ ଶରୀରରୁ ବିଚ୍ଛିନ୍ନ କଲା । ସୈନିକମାନେ ବିସ୍ମୟାବିଷ୍ଟ ନେତ୍ରରେ ଦେଖିଲେ ଯେ, ଜଣେ ସନ୍ୟାସିନୀ ଉଦିତପ୍ରତାପଙ୍କ ଛିନ୍ନ ମସ୍ତକକୁ ହସ୍ତରେ ଧରି କେଉଁଆଡ଼େ ଚାଲିଗଲା । ତାକୁ ଖୋଜିବା ପାଇଁ ସେମାନେ ଅନେକ ଚେଷ୍ଟା କଲେ, କିନ୍ତୁ କୌଣସିଠାରେ ପାଇଲେ ନାହିଁ । ପ୍ରସନ୍ନକୁମାର ବିସ୍ମିତ, ସ୍ତମ୍ଭିତ ହୋଇ ଏହା ଦେଖିବାକୁ ଲାଗିଲେ ।

ଉଦିତପ୍ରତାପଙ୍କ ମସ୍ତକ ଶରୀରରୁ ବିଚ୍ୟୁତ ହେଲା । ସେଥି ସଙ୍ଗେ ସଙ୍ଗେ ସମ୍ୱଲପୁରର ସ୍ୱାଧୀନତା ରବି ମଧ୍ୟ ଅସ୍ତମିତ ହେଲା । ମରହଟ୍ଟାମାନେ ଅପ୍ରତ୍ୟାଶିତଭାବରେ ସମଲାଇ-ଫାଟକ (୧) ବାଟେ ଦୁର୍ଗ ମଧ୍ୟରେ ପ୍ରବେଶ କରି ଜୟନ୍ତ ସିଂହ ଓ ତଦୀୟ ପୁତ୍ର ମହାରାଜ ସାଏଙ୍କୁ ବନ୍ଦୀ କଲେ । ସମ୍ୱଲପୁର-ଦୁର୍ଗ ଶତ୍ରୁମାନଙ୍କ ହସ୍ତଗତ ହେଲା । ପ୍ରସନ୍ନକୁମାର ପ୍ରାଣପଣେ ଚେଷ୍ଟା କରି ସୁଦ୍ଧା ଦୁର୍ଗ ରକ୍ଷା କରିପାରିଲେ ନାହିଁ । ତାଙ୍କ ଆହତ ଶରୀର ଧରାଶାୟୀ ହେଲା । ସମ୍ୱଲପୁର ମୁଖ ବିଷାଦ-କାଳିମା-ରଞ୍ଜିତ ହେଲା । ସ୍ୱାଧୀନ ଜାତି ପରାଧୀନ ହେଲା ! ହାୟ ଉଦିତପ୍ରତାପ ! ଶେଷକୁ ବିମଳାର ରୂପର ମୂଲ୍ୟ ସ୍ୱରୂପ ସ୍ୱଦେଶର ସ୍ୱାଧୀନତା ବିକ୍ରୟ କଲ !!!

(୧)

ସମଲେଶ୍ୱରୀଙ୍କ ମନ୍ଦିର ନିକଟରେ ଏହାର ଭଗ୍ନାବଶେଷ ଆଜିଯାଏ ବିଦ୍ୟମାନ ଅଛି ।

କିନ୍ତୁ ଏ ସନ୍ୟାସିନୀ କିଏ ? ତମୋମୟୀ ରଜନୀରେ ଶ୍ମଶାନରେ ବସି କ’ଣ କରୁଛି ? ସନ୍ୟାସିନୀ ବ୍ୟଥିତ ମନରେ, ଆକୁଳ ପ୍ରାଣରେ ଆକାଶକୁ ଅନାଇ ଗୀତ ଗାଇବାକୁ ଲାଗିଲା ।

କିମ୍ପା ଦୟାମୟ ହୋଇଣ ନିର୍ଦ୍ଦୟ ଦେଲ ଏ ହୀନ ଜନମ;

କାନ୍ଦି କାନ୍ଦି ହରି ଗଲିଣି ତ ସରି ପୋଡ଼ୁ ଏ ହୀନ କରମ । ୦ ।

ହେଲି ମୁଁ ସଂସାରେ ଘୋର ଅଭିଶାପ;

ଯହିଁ ଗଲି ତହିଁ ବିଞ୍ଚିଅଛି ପାପ;

ଜଗତର ତପ୍ତ ଲୋତକ-ପ୍ରବାହେ ହେଉଅଛିଁ ଭାସମାନ । ୧ ।

ଅଶାନ୍ତିର ମନ୍ତ୍ର ପଢ଼ିଲି ଜଗତେ,

ବୁଡ଼ିଅଛି ଏବେ ସ୍ୱଦେଶ-ରକତେ;

ଧିକ ମୋର ରୂପ, ଧିକ ଯଉବନ, ଧିକ ଏ ମୋର ଜୀବନ । ୨ ।

ଅସାର-ସଂସାର-ଅପାର-ଯାତନା

ଦେଉଅଛି ମତେ ବିଷମ ଲାଞ୍ଛନା;

ପ୍ରେମମୟ ହରି, କରୁଣା ବିସ୍ତାରି ପାଦ-ପଦ୍ମେ ଦିଅ ସ୍ଥାନ । ୩ ।

ଶ୍ମଶାନ-କ୍ରୋଡ଼ରେ ଶୟାନ ଯନ୍ତ୍ରଣା-କାତର ପ୍ରସନ୍ନ କୁମାର ଏ ସୁମଧୁର ସଙ୍ଗୀତ ଶୁଣି ମୁଗ୍ଧ ହୋଇଗଲେ । ତାଙ୍କ ରୁଧିରାକ୍ତ ମୁଖରେ ହାସ୍ୟର ବିମଳ ରେଖା ଝଲସି ଉଠିଲା । କେଉଁ ଅଜ୍ଞାତ ପ୍ରଦେଶରୁ ଅମୃତ-ଝଙ୍କାର ଆସି ତାଙ୍କୁ ଗୋଟିଏ ମୋହମୟ ଶାନ୍ତିମୟ ରାଜ୍ୟକୁ ନେଇଗଲା-। ସେଠାରେ ସେ ସ୍ୱର୍ଗର ଚିତ୍ର ଦେଖିବାକୁ ପାଇଲେ । କିଏ ଯେପରି ତାଙ୍କ ନିକଟକୁ ଆସି ଚିର-ପରିଚିତ ବୀଣା-ଜିଣା ସ୍ୱରରେ ତାଙ୍କୁ ଡାକି ଗୋଟିଏ ସ୍ୱପ୍ନମୟ କୁଞ୍ଜରେ ତାଙ୍କୁ ବସାଇ ନିଜେ ତାଙ୍କ ନିକଟରେ ବସିଲା । ପ୍ରସନ୍ନକୁମାରଙ୍କ ଶରୀର ପୁଲକିତ ହୋଇଗଲା । ସେ ଆଲୌକିକ ସୌନ୍ଦର୍ଯ୍ୟ, ଅପ୍‌ସରା ସମ୍ଭବ ଜ୍ୟୋତି, କିନ୍ନର-କଣ୍ଠ ତାଙ୍କ ମନରେ ଯେପରି ପ୍ରାଚୀନ ସ୍ମୃତି ଅଙ୍କିତ କଲା । ସେ ଚକ୍ଷୁ ଖୋଲି ଦେଖିଲେ, ତାଙ୍କ ନିକଟରେ ଜଣେ ମୁକୁଳିତ-କେଶପାଶା, ଗୈରିକ-ବସନା, ଅନିନ୍ଦ୍ୟସୁନ୍ଦରୀ ସନ୍ୟାସିନୀ-ମୂର୍ତ୍ତି ବସିଅଛି । ତାକୁ ଦେଖି ପ୍ରସନ୍ନକୁମାରଙ୍କ ଶରୀରରେ ସିଂହ-ବିକ୍ରମ ଉଦିତ ହେଲା । ସେ ଗାତ୍ରୋଥାନ କରି ସନ୍ୟାସିନୀଙ୍କୁ ଆଲିଙ୍ଗନ କରି କହିଲେ ‘‘ବିମଳା ! ବିମଳା’’ ଆଉ କହି ପାରିଲେ ନାହିଁ । ତାଙ୍କ ଶରୀର ଅବସନ୍ନ ହୋଇଗଲା । ଶରୀରର କ୍ଷତ-ସ୍ଥାନମାନଙ୍କରୁ ପ୍ରବଳ ବେଗରେ ରୁଧିର ବହିବାକୁ ଲାଗିଲା । ପ୍ରାଣ-ହୀନ ପିଣ୍ଡ ଧରା-ଲୁଣ୍ଠିତ ହେଲା-

ବିମଳା ଏହା ଦେଖି ବିକଳରେ ରୋଦନ କରିବାକୁ ଲାଗିଲା । ତାହାର ଜୀବନର ଧ୍ରୁବତାରା ଅସ୍ତମିତ ହେଲା । ସେ ଉତ୍ତରୀୟମଧ୍ୟରୁ ତୀକ୍ଷ୍ଣ ଛୁରୀକା ବାହାର କରି ନିଜ ବକ୍ଷ-ଦେଶରେ ବିଦ୍ଧ କଲା । ଯନ୍ତ୍ରଣାପ୍ରତି ଲକ୍ଷ୍ୟ ନ କରି ରୁଧିରାକ୍ତ-କଳେବରରେ ପ୍ରସନ୍ନ କୁମାରଙ୍କ ରୁଧିରାକ୍ତ ଶରୀରକୁ ଆଲିଙ୍ଗନ କଲା । ଆହା ! ସେ ଅନ୍ତିମ ଆଲିଙ୍ଗନ-ସେ ଅନ୍ତିମ ଚୁମ୍ୱନ-କେଡ଼େ ପବିତ୍ର-କେଡ଼େ ମଧୁର ! ସେ ଲୋତକରେ ଅମୃତ, ରକ୍ତରେ ମନ୍ଦାକିନୀ ! ଏ ସ୍ୱାର୍ଥତ୍ୟାଗର ପବିତ୍ର ତପୋବନ ହିଁ ସ୍ୱର୍ଗ !

•••

 

ପ୍ରଦୀପ-ନିର୍ବାଣ

 

ଆଜି ତ୍ରିବେଣୀ-ଘାଟରେ ଅସଂଖ୍ୟ ଯାତ୍ରୀଙ୍କର ସମାଗମ । ବୀର ଶ୍ରୀ ଗୌଡ଼େଶ୍ୱର ନବକୋଟି-କର୍ଣ୍ଣାଟ-କଳବର୍ଗେଶ୍ୱର ରାଜା ମୁକୁନ୍ଦ ଦେବ ତ୍ରିବେଣୀ ଘାଟ ନିର୍ମାଣ କାର୍ଯ୍ୟ ସମାପନ କରି ମହା ସମାରୋହସହକାରେ ଘାଟର ପ୍ରତିଷ୍ଠା କରୁ ଅଛନ୍ତି । ସେ ସ୍ୱୟଂ ବାହୁବଳରେ ତ୍ରିବେଣୀ ଘାଟ ପର୍ଯ୍ୟନ୍ତ ଦେଶ ଜୟ କରି ସ୍ୱୟଂ ରାଜ୍ୟର ସୀମାନିର୍ଦ୍ଦେଶ ନିମନ୍ତେ ଏହି ଘାଟ ନିର୍ମାଣ କରି ଅଛନ୍ତି । ଏହା ଘାଟ ନିର୍ମାଣର ଐତିହାସିକ ବ୍ୟାଖ୍ୟା । କିନ୍ତୁ ଲୋକେ କହନ୍ତି, ଏହି ଘାଟ ନିର୍ମାଣର ମୂଳରେ ଧର୍ମପ୍ରାଣତା ବିଦ୍ୟମାନ । ଜଗତର ପାପୀ-ତାପିଙ୍କୁ ପାପର କରାଳ କବଳରୁ ରକ୍ଷା କରିବା ନିମନ୍ତେ ରାଜା ମୁକୁନ୍ଦଦେବ ତ୍ରିଲୋକ-ପାବିନୀ ଗଙ୍ଗା-କୂଳରେ ଏ ବିପୁଳ ଆୟୋଜନ; ଘାଟର ପ୍ରତିଷ୍ଠା-କର୍ତ୍ତା ରାଜା ଶ୍ରୀ ମୁକୁନ୍ଦ ଦେବ ।

 

ଆଜି ମୁକୁନ୍ଦ ଦେବଙ୍କର କଳ୍ପତରୁ-ବେଶ । ତୀର୍ଥମାନଙ୍କ ନିମନ୍ତେ ରାଜକୋଷର ଦ୍ୱାର ଉନ୍ମୁକ୍ତ । ମହାରାଜ ପ୍ରତାପରୁଦ୍ରଙ୍କ ସମୟରୁ ଓଡ଼ିଶାର ରାଜାମାନେ ବୈଷ୍ଣବଜଗତରେ ଅଦ୍ୱିତୀୟ ଆଧିପତ୍ୟ ବିସ୍ତାର କରି ଆସୁଅଛନ୍ତି । ଆମ୍ଭେମାନେ ଯେଉଁ ସମୟର କଥା କହୁଅଛୁ, ସେ ସମୟରେ ବୈଷ୍ଣବ ଧର୍ମାବଲମ୍ୱୀମାନେ ପୁରୀ ମହାରାଜାଙ୍କୁ ''Pope'' ରୂପେ ଭକ୍ତି କରୁଥିଲେ । ଅଧୁନା ପୁରୀର ସିଂହାସନ ରାଜନୈତିକ-ଦାୟିତ୍ୱ ଶୂନ୍ୟ ହେଲେ ସୁଦ୍ଧା ଧର୍ମ ଦୃଷ୍ଟିରେ ତାହାର ପ୍ରାଚୀନ ଗୌରବ ଅକ୍ଷୁର୍ଣ୍ଣ ରହିଅଛି । ଆଜିସୁଦ୍ଧା ଧର୍ମପ୍ରାଣ ହିନ୍ଦୁମାନେ ପୁରୀ ରାଜାଙ୍କୁ ପୂର୍ବବତ୍ ସମ୍ମାନ କରନ୍ତି । ମୁକୁନ୍ଦ ଦେବଙ୍କ ସମୟରେ ବୈଷ୍ଣବ ଧର୍ମାବଲମ୍ୱୀମାନେ ଗୂଢ଼ ଆଧ୍ୟାତ୍ମିକ ତତ୍ତ୍ୱର ମୀମାଂସା ନିମନ୍ତେ ପୁରୀ ରାଜାଙ୍କ ଦ୍ୱାରସ୍ଥ ହେଉଥିଲେ । ଧର୍ମ ରାଜ୍ୟରେ କୌଣସି ବିପ୍ଳବ ଘଟିଲେ କିମ୍ୱା କେହି ଧର୍ମରୁ ବିଚ୍ୟୁତ ହେଲେ ପୁରୀ ରାଜାଙ୍କ ନିଷ୍ପତ୍ତି ଉପରେ ସମସ୍ତେ ନିର୍ଭର କରୁଥିଲେ ।

 

ଯୁଦ୍ଧକ୍ଷେତ୍ରରେ ଓ ଧର୍ମକ୍ଷେତ୍ରରେ ସମଭାବରେ ଏତାଦୃଶ ପ୍ରତିଷ୍ଠା କୌଣସି ଜାତି କୌଣସି ଯୁଗରେ ଲାଭକରି ନାହିଁ । ପୃଥିବୀର ଇତିହାସରେ ଶୌର୍ଯ୍ୟର ଉଜ୍ଜ୍ୱଳତର ଚିତ୍ର ଥାଇପାରେ–ଧର୍ମର ମଧ୍ୟ ଉଜ୍ଜ୍ୱଳତର ଚିତ୍ର ଥାଇପାରେ; କିନ୍ତୁ ଯୁଦ୍ଧ ଓ ଧର୍ମର ଏତାଦୃଶ ଏକତ୍ର ସମାବେଶ ପୃଥିବୀରେ ବିରଳ । ଏ ବିଷୟରେ କେବଳ ଓଡ଼ିଆ ଜାତି ପୃଥିବୀରେ ଖ୍ୟାତି ଲଭିଅଛି ଏବଂ ଯେଉଁ ସମୟରେ ଓଡ଼ିଶାର ଗୃହେ ଗୃହେ ଏହି ପବିତ୍ର ଧର୍ମ ପ୍ରଚାରିତ ହେଉଥିଲା, ସେହି ସମୟ ଓଡ଼ିଶାର ସର୍ବଶ୍ରେଷ୍ଠ ଯୁଗ ।

 

 

ଆଜି ତ୍ରିବେଣୀ ଘାଟ ଲୋକାରଣ୍ୟ ହୋଇଅଛି । ସ୍ୱର୍ଣ୍ଣ ସିଂହାସନ ଉପରେ ମୁକୁନ୍ଦଦେବ ଓ ତାହାଙ୍କ ରାଣୀ ସମାସୀନ ହୋଇଛନ୍ତି । ବେଦଜ୍ଞ ବ୍ରାହ୍ମଣମାନେ ନିକଟରେ ଉପବିଷ୍ଟ ହୋଇ ପବିତ୍ର ବେଦମନ୍ତ୍ର ଉଚ୍ଚାରଣ କରୁଛନ୍ତି । ଅଦୂରେ ପୂତ-ସଲିଳା ଜାହ୍ନବୀ ମୃଦୁ-ବାତ-ସଞ୍ଚାଳିତ ଲହରୀ–ଦୋଳାରେ ଦୋଳାୟିତ ହୋଇ ଭୁବନ-ମୋହନ ବେଶରେ ଗମନ କରୁଅଛନ୍ତି ।

 

ପ୍ରତିଷ୍ଠା କାର୍ଯ୍ୟ ସମାପ୍ତ ହେଲାରୁ ଦାନ କାର୍ଯ୍ୟ ଆରମ୍ଭ ହେଲା । ଅର୍ଥି-ପ୍ରତ୍ୟର୍ଥିମାନେ ରାଜାଙ୍କ ଦର୍ଶନ ଲାଭ କରିବାକୁ ଆଦିଷ୍ଟ ହେଲେ । କ୍ରମେ ଅର୍ଥି-ସ୍ରୋତ ପ୍ରବଳବେଗରେ ବହିବାକୁ ଲାଗିଲା । କାହାରି ମୁଖରେ ବିଷାଦର ଚିହ୍ନ ସୁଦ୍ଧା ନାହିଁ । ସମସ୍ତେ ଅଭୀଷ୍ଟ ଫଳ ପ୍ରାପ୍ତ ହୋଇ ହୃଷ୍ଟଚିତ୍ତରେ ପ୍ରତ୍ୟାବୃତ୍ତ ହେଉ ଅଛନ୍ତି ।

 

କିନ୍ତୁ ଗଙ୍ଗା-ଗର୍ଭରେ ଦଣ୍ଡାୟମାନ କିଏ ସେ ଯୁବକ ? ତାଙ୍କ ମୁଖରେ ପ୍ରାର୍ଥନାର ନାମମାତ୍ର ନାହିଁ । ସେ ଗ୍ରୀବା-ସ୍ପର୍ଶୀ ଜଳରେ ଦଣ୍ଡାୟମାନ ହୋଇ ରାଜାଙ୍କ ଆଡ଼କୁ ଅନିମେଷ ନେତ୍ରରେ ଚାହିଁ ଅଛନ୍ତି । ରାଜାଙ୍କ ଦୃଷ୍ଟି ମଧ୍ୟ ଅନେକ ଥର ତାଙ୍କ ଉପରେ ପଡ଼ିସାରିଲାଣି । କିନ୍ତୁ ଏ ପର୍ଯ୍ୟନ୍ତ କେହି କାହାରିକୁ କିଛି କହି ନାହାନ୍ତି ।

 

କ୍ରମେ ଅର୍ଥି-ସ୍ରୋତ ବନ୍ଦ ହେବାକୁ ବସିଲା । ରାଜାଙ୍କ ସମଗ୍ର ଦୃଷ୍ଟି ଜଳମଧ୍ୟସ୍ଥ ଯୁବକଙ୍କ ଉପରେ ନିପତିତ ହେଲା । ରାଜା କହିଲେ, ‘‘ଜଳମଧ୍ୟରେ କାହିଁକି ଛିଡ଼ା ହୋଇଛ, ଯୁବକ ? ତୁମ୍ଭର ଭାବଭଙ୍ଗୀରୁ ଜଣାଯାଏ, ତୁମ୍ଭେ ଯେପରି କିଛି ମାଗିବାକୁ ଆସିଛ । କିନ୍ତୁ ଏତେବେଳ ପର୍ଯ୍ୟନ୍ତ ନୀରବ ରହିଅଛ କାହିଁକି ?’’

 

ରାଜାଙ୍କ ବାଣୀ ଶୁଣି ଯୁବକ ମସ୍ତକ ଅବନତ କଲେ । ତାଙ୍କ ହୃଦୟ ଭିତରେ ସେ ଯେପରି ବିବେକର ତୀବ୍ର ତାଡ଼ନା ଅନୁଭବ କରିବାକୁ ଲାଗିଲେ । ସେ କ’ଣ କହିବାକୁ ଯାଉଥିଲେ-କିଛି କହିପାରିଲେ ନାହିଁ । ପରିଶେଷରେ ରାଜାଙ୍କ ଅଭୟ ବାଣୀରେ ଆସ୍ଥା ସ୍ଥାପନ କରି କହିଲେ, ‘‘ମହାରାଜ, ମୋର ଜିଜ୍ଞାସ୍ୟ ବିଷୟ ଅତି ଗୁରୁତର । ଅଭୟ ପ୍ରଦାନ କଲେ ବକ୍ତବ୍ୟ ଜ୍ଞାପନ କରିବି-।’’

 

ରାଜା ଅଭୟ ପ୍ରଦାନ କଲେ । ଯୁବକ ଜଳମଧ୍ୟରୁ ବହିର୍ଗତ ହୋଇ ରାଜାଙ୍କ ସମୀପରେ ଦଣ୍ଡାୟମାନ ହେଲେ । ସେ ରାଜାଙ୍କୁ ଅଭିବାଦନ କରିବେ ନା ଆଶୀର୍ବାଦ ଦେବେ, ପ୍ରଥମେ କିଛି ସ୍ଥିର କରି ପାରିଲେ ନାହିଁ । ପରେ ମନରେ କ’ଣ ଭାବି ରାଜାଙ୍କୁ ଅଭିବାଦନ କରି କହିଲେ, ‘‘ମହାରାଜ, ମୁଁ ଶୁଣିଅଛି ଓ ସ୍ୱଚକ୍ଷୁରେ ଦେଖିଅଛି ଯେ, ଆପଣ ଆଜି କଳ୍ପତରୁ-ବେଶ ଧାରଣ କରି ଅଛନ୍ତି । ସେଥିପାଇଁ ସାହସ କରି ଆପଣଙ୍କ ନିକଟକୁ ଆସିଅଛି ।’’

 

‘‘ତୁମ୍ଭର ବକ୍ତବ୍ୟ କ’ଣ, ଶୀଘ୍ର ପ୍ରକାଶ କର ।’’

 

‘‘ମହାରାଜ, ମହାତ୍ମା ଚୈତନ୍ୟ ଦେବଙ୍କ ପ୍ରସାଦରୁ ଅନେକ ଯବନ ହିନ୍ଦୁ ଧର୍ମରେ ଦୀକ୍ଷିତ ହୋଇ ଅଛନ୍ତି । କିନ୍ତୁ ଧର୍ମଭ୍ରଷ୍ଟ ହିନ୍ଦୁର ସ୍ୱଧର୍ମରେ ପୁନର୍ଦୀକ୍ଷାର କୌଣସି ବ୍ୟବସ୍ଥା ନାହିଁ କି-?’’

 

‘‘ବିଧର୍ମିକୁ ସ୍ୱଧର୍ମକୁ ଅଣାଯାଇପାରେ । କିନ୍ତୁ ଯେ ସ୍ୱଧର୍ମରେ ଅନାସ୍ଥାଯୁକ୍ତ, ତାହା ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇ ନପାରେ ।’’

 

‘‘ମନୁଷ୍ୟର ଧର୍ମ କ’ଣ ? ଧର୍ମ ନାମରେ କୌଣସି ଦୃଶ୍ୟମାନ ବସ୍ତୁ ନାହିଁ । ଯେ ଯେପରି ଭାବରେ ଧର୍ମ ବିଷୟରେ ଧାରଣା କଲା, ତାହାର ଧର୍ମ ତାହା । ପୁଣି ମନୁଷ୍ୟର ମାନସିକ ଚିନ୍ତାର କ୍ରମବିକାଶ ସଙ୍ଗେ ସଙ୍ଗେ ତାହାର ମନୋଗତ ଭାବର ପରିବର୍ତ୍ତନ ହେଉଅଛି । ଏପରି ସ୍ଥଳରେ ଗୋଟିଏ ଭାବ ଛାଡ଼ି ଭାବାନ୍ତର ଗ୍ରହଣ କଲେ ଦୋଷ କ’ଣ ?’’

 

‘‘ଭାବାନ୍ତର ଗ୍ରହଣ ଦୋଷାବହ ନୁହେଁ । କିନ୍ତୁ ଜାଣିଶୁଣି ଅକାରଣ ଭାବ ପରିବର୍ତ୍ତନ କରିବା ଦୋଷାବହ । ସ୍ୱେଚ୍ଛାଚାର ଓ ସ୍ୱାଧୀନ ଚିନ୍ତା ମଧ୍ୟରେ ଅନେକ ପ୍ରଭେଦ ଅଛି । ସ୍ୱେଚ୍ଛାଚାରଜନିତ ପାପ ନିମନ୍ତେ ଅନୁତାପ ହିଁ ଏକମାତ୍ର ପ୍ରାୟଶ୍ଚିତ୍ତ ।’’

 

‘‘ଭାବାନ୍ତରଗ୍ରହଣ ସ୍ୱଚ୍ଛାଚାର ପ୍ରଣୋଦିତ ହେଉ କିମ୍ୱା ସ୍ୱାଧୀନ-ଚିନ୍ତା-ପ୍ରସୂତ ହେଉ, ତହିଁ ନିମନ୍ତେ ଅନୁତାପ ପ୍ରକାଶ କରିବା କାପୁରୁଷତାର ପରିଚାୟକ । ମନୁଷ୍ୟକୁ ଗୋଟିଏ ବିଷୟ ଭଲ ନ ଲାଗିଲେ ସେ ବିଷୟାନ୍ତର ଗ୍ରହଣ କରିପାରେ । ଏଥିପାଇଁ କେହି କିଛି ଆପତ୍ତି କରିବା ଅସୁନ୍ଦର କଥା ।’’

 

‘‘ଧର୍ମ କ୍ରୀଡ଼ାର ପୁତ୍ତଳିକା ନୁହେଁ, ଯୁବକ, ଯେ ତୁମ୍ଭେ ତାକୁ ଇଚ୍ଛାନୁସାରେ ନଚାଇ ପାରିବ । ପାପୀ ଅନୁତପ୍ତ ହେଲେ ଈଶ୍ୱର ତାକୁ ଗ୍ରହଣ କରନ୍ତି । କିନ୍ତୁ ଏହି ଅନୁତାପ ବଚନ-ସର୍ବସ୍ୱ ନୁହେଁ । ଏହା ହୃଦୟ ଭିତରୁ ବାହାରିଲେ ସ୍ୱୟଂ ଈଶ୍ୱରଙ୍କ ଆସନକୁ ଟଳାଇ ପକାଏ । ଏଥିନିମନ୍ତେ କାହାରିକୁ ପ୍ରାର୍ଥନା କରିବାକୁ ହୁଏ ନାହିଁ । ଯେତେବେଳେ ସମୟ ଆସିବ ଈଶ୍ୱର ନିଜେ ପାପୀକୁ ଗ୍ରହଣ କରିବେ ।’’

 

‘‘ଅନୁତାପ ପୂର୍ବେ ଏ ଗ୍ରହଣ ସମ୍ଭବ ନୁହେଁ କି ?’’

‘‘କଦାପି ନୁହେଁ ।’’

 

ରାଜାଙ୍କଠାରୁ ନିରାଶଜନକ ଉତ୍ତର ପାଇ ଯୁବକ ଅତିଶୟ ବ୍ୟଥିତ ହେଲେ । କିନ୍ତୁ ଏ କ’ଣ ? ସେ ରାଣୀଙ୍କ ଆଡ଼କୁ ବାରମ୍ବାର ଅନାଉଛନ୍ତି କାହିଁକି ? ରାଣୀଙ୍କୁ ଦେଖି ତାଙ୍କ ମନର ଭାବ ପରିବର୍ତ୍ତିତ ହେଉଛି କାହିଁକି ?

 

ଯୁବକଙ୍କୁ ନିରୁତ୍ତର ଦେଖି ରାଜା ପୁନର୍ବାର କହିଲେ, ‘‘ଥାଉ କିଛି ବକ୍ତବ୍ୟ ଥିଲେ କହ ।’’

 

‘‘ମୋର ବକ୍ତବ୍ୟ ମୁଁ ଯୁଦ୍ଧ-କ୍ଷେତ୍ରରେ ବ୍ୟକ୍ତ କରିବି ।’’ ଏହା କହି ଯୁବକ ଉକ୍ତ ସ୍ଥାନ ପରିତ୍ୟାଗ କଲେ !

 

 

ସୁଲତାନ୍‌ ସୁଲେମାନଙ୍କ ସମୟରେ ବଙ୍ଗ ଦେଶରେ ଜଣେ ନୈଷ୍ଠିକ ବ୍ରାହ୍ମଣ ବାସ କରୁଥିଲେ । ତାଙ୍କୁ ଲୋକେ ‘‘କାଲା ପାହାଡ଼’’ ବୋଲି ଡାକୁଥିଲେ । ‘‘କାଲା ପାହାଡ଼’’ ଶବ୍ଦର ଅର୍ଥ ବଧିର ପର୍ବତ । ସେ ଏପରି ସଂଯମଶୀଳ ଥିଲେ ଯେ, ରମଣୀମାନଙ୍କ ପ୍ରଲୋଭନ-ବାକ୍ୟ ତାଙ୍କ କର୍ଣ୍ଣରେ ପ୍ରବେଶ କରି ପାରୁନଥିଲା । ଏଥିପାଇଁ ତାଙ୍କର ‘‘କାଲା ପାହାଡ଼’’ ନାମକରଣ ହୋଇଥିଲା-। ଭ୍ରମକ୍ରମେ ସେ ଓଡ଼ିଶାରେ ‘‘କଳା ପାହାଡ଼’’ ନାମରେ ପରିଚିତ । କିନ୍ତୁ ନାମ ଭୁଲ ହେଉ ବା ନହେଉ, ସେ ଓଡ଼ିଶାରେ ଯେଉଁ ନାମରେ ପରିଚିତ, ଆମ୍ଭେମାନେ ତାଙ୍କୁ ସେହି ନାମରେ ଡ଼ାକିବୁ ।

 

କଳା ପାହାଡ଼ ଯେ କେବଳ ନିଷ୍ଠାପର ବ୍ରାହ୍ମଣ ଥିଲେ, ଏମନ୍ତ ନୁହେଁ । ତାଙ୍କ ରଣ-ନୈପୁଣ୍ୟ ମଧ୍ୟ ଅସାଧାରଣ ଥିଲା । ତାଙ୍କ ସମର-କୌଶଳରେ ପ୍ରୀତ ହୋଇ ସୁଲତାନ ସୁଲେମାନ ତାଙ୍କୁ ସେନାପତି-ପଦରେ ବରଣ କରିଥିଲେ । କଳା ପାହାଡ଼ଙ୍କ ସେନାପତିତ୍ୱରେ ସୁଲତାନ-ବାହିନୀ ଅନେକ ଯୁଦ୍ଧରେ ଜୟଲାଭ କରିଥିଲା । ଓଡ଼ିଶା ବିରୁଦ୍ଧରେ ସମରଯାତ୍ରା କରିବା ନିମନ୍ତେ ସୁଲତନ ବାରମ୍ବାର ଅନୁରୋଧ କଲେ ସୁଦ୍ଧା କଳା ପାହାଡ଼ ସେଥିରେ କର୍ଣ୍ଣପାତ କରି ନ ଥିଲେ । ତାଙ୍କ ସମୟରେ ବିଶାଳ ଭାରତବର୍ଷରେ ସ୍ୱାଧୀନ ହିନ୍ଦୁରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ ଥିଲା । ସ୍ୱାଧୀନ ହିନ୍ଦୁରାଜ୍ୟ ବିରୁଦ୍ଧରେ ଯୁଦ୍ଧ କରିବାକୁ କେଉଁ ହିନ୍ଦୁର ମନ ବଳିବ ?

 

କଳା ପାହାଡ଼ଙ୍କ ବୀର୍ଯ୍ୟ ଓ ସୌର୍ଯ୍ୟରେ ମୁଗ୍ଧ ହୋଇ ସୁଲତାନ ସୁଲେମାନଙ୍କ କନ୍ୟା ତାଙ୍କ ପାଣିଗ୍ରହଣାଭିଳାଷିଣୀ ହୋଇଥିଲେ । ଏ ବିଷୟରେ ସୁଲତାନ ନିଜେ ଯେତେ ଚେଷ୍ଟା କଲେ ସୁଦ୍ଧା କଳା ପାହାଡ଼ ସେଥିରେ ସ୍ୱୀକୃତ ହେଲେ ନାହିଁ । ପରେ ସୁଲତାନ-କନ୍ୟାଙ୍କ ଐକାନ୍ତିକତାର ପରିଚୟ ପାଇପାରୁ ତାଙ୍କ ପର୍ବତ-ସୁଲଭ ବଧିରତା କେଉଁଆଡ଼େ ଉଭେଇଗଲା । ପରିଶେଷରେ ସେ ପାଣିଗ୍ରହଣରେ ସମ୍ମତି ପ୍ରଦାନ କଲେ ।

 

କଳା ପାହାଡ଼ ଏଥିପୂର୍ବେ ବିବାହିତ ଥିଲେ । ନିଜ ଗୃହରେ ବିବାହିତା ହିନ୍ଦୁ-ପତ୍ନୀ ଅଛନ୍ତି; ପୁଣି ସୁଲତାନ ଗୃହରେ ନବୋଢ଼ା ଯବନୀ ପତ୍ନୀ ଅଛନ୍ତି । ଅଧୁନା ସେ କାହାକୁ ଛାଡ଼ି କାହାକୁ ରଖିବେ ? ଉଭୟ ପତ୍ନୀ ସମଧର୍ମାବଲମ୍ୱିନୀ ଥିଲେ ଚିନ୍ତାର କୌଣସି କାରଣ ନ ଥିଲା । ଉପସ୍ଥିତ କ୍ଷେତ୍ରରେ ସ୍ତ୍ରୀଦ୍ୱୟଙ୍କ ଧର୍ମର ବିଭିନ୍ନତା ହେତୁରୁ ସେ ବିଷମ ସଙ୍କଟରେ ପଡ଼ିଥିଲେ ।

 

ପରିଶେଷରେ କଳାପାହାଡ଼ ସ୍ଥିର କଲେ ଯେ, ସେ ପୁନର୍ବାର ହିନ୍ଦୁଧର୍ମ ଗ୍ରହଣ କରି ଯବନୀ ସ୍ତ୍ରୀଙ୍କୁ ମଧ୍ୟ ହିନ୍ଦୁଧର୍ମରେ ଦୀକ୍ଷିତା କରାଇବେ । ତାହାହେଲେ ଆଉ କିଛି ଗୋଳମାଳ ରହିବ ନାହିଁ । ଏଥିପାଇଁ ସେଯୁଗର ପ୍ରଥାନୁସାରେ ସେ ଉତ୍କଳ-ସମ୍ରାଟ ମୁକୁନ୍ଦଦେବଙ୍କ ଶରଣାପନ୍ନ ହେଲେ । ମୁକୁନ୍ଦଦେବଙ୍କ ସହିତ ତ୍ରିବେଣୀ-ଘାଟରେ କଳା ପାହାଡ଼ଙ୍କର ଯେଉଁ କଥୋପକଥନ ହୋଇଥିଲା, ପାଠକମାନେ ତାହା ଜାଣନ୍ତି ।

 

କଳା ପାହାଡ଼ ଭାବିଥିଲେ, ଉଦାର ବୈଷ୍ଣବଧର୍ମ ତାଙ୍କୁ ପୁନର୍ବାର ଗ୍ରହଣ କରିବ । କିନ୍ତୁ ସେ ଯେଉଁ ସର୍ତ୍ତରେ ଆସିବାକୁ ଇଚ୍ଛା କରିଥିଲେ, ମୁକୁନ୍ଦଦେବ ତହିଁରେ ସ୍ୱୀକୃତ ହେଲେ ନାହିଁ । ଏଥିରେ ନିରାଶା ସଙ୍ଗେ ସଙ୍ଗେ କଳା ପାହାଡ଼ଙ୍କ ମନରେ କ୍ରୋଧର ସଞ୍ଚାର ହେଲା । ସେ ସ୍ୱତଃପ୍ରବୃତ୍ତ ହୋଇ ହିନ୍ଦୁଧର୍ମ ପୁନର୍ବାର ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ; କିନ୍ତୁ ହିନ୍ଦୁଧର୍ମ ତାଙ୍କୁ ପ୍ରତ୍ୟାଖ୍ୟାନ କଲା । ଯେଉଁ ଧର୍ମ ଏପରି ଅନୁଦାର, ସେହି ଧର୍ମର ଉଚ୍ଛେଦ ସାଧନ କରିବାକୁ ହେବ । ପୁଣି ରାଜା ମୁକୁନ୍ଦଦେବଙ୍କ ସଙ୍ଗେ କଥୋପକଥନ କରିବା ସମୟରେ କଳା ପାହାଡ଼ ଦେଖିଲେ ଯେ, ତାଙ୍କ ଅନିନ୍ଦ୍ୟସୁନ୍ଦରୀ ରାଣୀ ନିକଟରେ ବସିଅଛନ୍ତି । ଏପରି ତ୍ରିଭୁବନମୋହିନୀ ମୂର୍ତ୍ତି ସେ ପୂର୍ବେ କେବେ ଦେଖି ନଥିଲେ । ଯେ ରମଣୀ ପ୍ରଲୋଭନର ବହିର୍ଭୂତ ଥିବାରୁ ‘‘ବଧିର ପର୍ବତ’’ ଆଖ୍ୟା ପାଇଥିଲେ, ଅଧୁନା ସେହି କଳା ପାହାଡ଼ ମୁକୁନ୍ଦଦେବଙ୍କ ରାଣୀଙ୍କୁ ଦେଖି କାମଶରରେ ପ୍ରପୀଡ଼ିତ ହେଲେ । ଦୁର୍ଦ୍ଦିନ ଉପସ୍ଥିତ ହେଲେ ମୁନିମାନଙ୍କର ମଧ୍ୟ ମତିଭ୍ରମ ଘଟିଥାଏ; କଳାପାହାଡ଼ ଛାର କେତେ ମାତ୍ର ।

 

ମୁକୁନ୍ଦଦେବଙ୍କଠାରୁ ବିଦାୟ ନେଇ କଳା ପାହାଡ଼ ସ୍ଥିର କଲେ ଯେ, ଯେ କୌଣସି ପ୍ରକାରେ ହେଉ ମୁକୁନ୍ଦଦେବଙ୍କ ରାଣୀଙ୍କୁ କରଗତ କରିବାକୁ ହେବ । ଛାର ହିନ୍ଦୁଧର୍ମ ତାଙ୍କ ପ୍ରତାପକୁ ନଡ଼ରି ତାଙ୍କୁ ପ୍ରତ୍ୟାଖ୍ୟାନ କଲା-ଏଥିର ମଧ୍ୟ ପ୍ରତିଶୋଧ ନେବାକୁ ହେବ । ଏହା ଭାବି ସେ ସୁଲତାନଙ୍କ ନିକଟକୁ ଯାଇ ଓଡ଼ିଶା ବିରୁଦ୍ଧରେ ଯୁଦ୍ଧ-ଯାତ୍ରା କରିବାକୁ ଆଦେଶ ଭିକ୍ଷା କଲେ । କଳାପାହାଡ଼ଙ୍କ କଥା ଶୁଣି ସୁଲତାନ୍‌ ସୁଲେମାନ ବିସ୍ମୟାଭିଭୂତ ହେଲେ । ଏହି ଓଡ଼ିଶା ଜୟ କରିବା ନିମନ୍ତେ ସେ କଳାପାହାଡ଼ଙ୍କୁ କେତେ ପ୍ରାର୍ଥନା କରିଛନ୍ତି । କିନ୍ତୁ କଳାପାହାଡ଼ ତାଙ୍କ ପ୍ରାର୍ଥନା ରକ୍ଷା କରି ନାହାନ୍ତି । ଆଜି ସେ ଅପ୍ରତ୍ୟାଶିତଭାବରେ ଏହି ପ୍ରସ୍ତାବ ଉପସ୍ଥାପିତ କଲାରୁ ସୁଲତାନ୍‌ ପ୍ରଥମେ ନିଜ କର୍ଣ୍ଣକୁ ବିଶ୍ୱାସ କରି ପାରିଲେ ନାହିଁ । ପରେ କଳା ପାହାଡ଼ଙ୍କ ଅଟଳ ପ୍ରତିଜ୍ଞା ଦେଖି ସେ ଉକ୍ତ ବିଷୟରେ ସମ୍ମତି ପ୍ରଦାନ କଲେ । ଓଡ଼ିଶା ବିରୁଦ୍ଧରେ ଯୁଦ୍ଧ-ଯାତ୍ରା କରିବା ନିମନ୍ତେ ବିପୁଳ ଆୟୋଜନ ଆରମ୍ଭ ହେଲା ।

 

 

ରାଜା ପ୍ରତାପରୁଦ୍ର ଦେବ ଓଡ଼ିଶାର ଗଙ୍ଗବଂଶୀୟ ପ୍ରକୃତ ଶେଷ ନୃପତି । ତାଙ୍କ ସମୟରେ ମହାତ୍ମା ଚୈତନ୍ୟ ଦେବ ଓଡ଼ିଶାରେ ବୈଷ୍ଣବ ଧର୍ମ ପ୍ରଚାର କରିଥିଲେ । ସ୍ୱୟଂ ପ୍ରତାପରୁଦ୍ର ମଧ୍ୟ ଚୈତନ୍ୟଙ୍କ ଧର୍ମରେ ଦୀକ୍ଷିତ ହୋଇଥିଲେ । ଲୋକ-ମୁଖରେ ପ୍ରକାଶ ଯେ, ଦୀକ୍ଷାଗ୍ରହଣ ସମୟରେ ପ୍ରତାପରୁଦ୍ର ତାଙ୍କ ଅନ୍ତେ ଗଙ୍ଗବଂଶ ଶେଷ ହେବାକୁ ଚୈତନ୍ୟଦେବଙ୍କଠାରେ କାମନା କରିଥିଲେ ।

 

ପ୍ରତାପରୁଦ୍ରଙ୍କ ପରେ ଗଙ୍ଗବଂଶାବତଂସ କୌଣସି ନରପତି ଓଡ଼ିଶାର ସିଂହାସନ ଆରୋହଣ କରି ନାହାନ୍ତି । ତାଙ୍କ ମନ୍ତ୍ରୀମାନେ ଏହି ସିଂହାସନ ଆରୋହଣ କରିଥିଲେ । ରାଜା ମୁକୁନ୍ଦଦେବ ଓଡ଼ିଶାର ଶେଷ ମନ୍ତ୍ରୀ-ନୃପତି ।

 

ଯେପରି ମୂଳ ଦୁର୍ବଳ ହେଲେ ସମଗ୍ର ବୃକ୍ଷ ଦୁର୍ବଳ ହୋଇଯାଏ, ସେହିପରି ସମ୍ରାଟଙ୍କ ସିଂହାସନ ଦୁର୍ବଳ ହେବାରୁ ବିଶାଳ ଉତ୍କଳ ସାମ୍ରାଜ୍ୟ ହୀନବଳ ହୋଇ ପଡ଼ିଲା । ସାମନ୍ତ ନରପତିମାନେ ନିଜ ନିଜ ସ୍ୱାଧୀନତା ଘୋଷଣା କରିବାକୁ ଲାଗିଲେ । ଏତଦ୍ୱାରା ସମଗ୍ର ସାମ୍ରାଜ୍ୟ ଅସଂଖ୍ୟ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହେଲା । ପୂର୍ବୋକ୍ତ ମନ୍ତ୍ରୀମାନେ କେବଳ ନାମମାତ୍ର ଉତ୍କଳର ଅଧୀଶ୍ୱର ହୋଇ ରହିଲେ ।

 

ମୁକୁନ୍ଦଦେବ ଅନେକ ଯୁଦ୍ଧରେ ଜୟଲାଭ କରିଥିବା ଇତିହାସରେ ପ୍ରକାଶ । ସେ ଗଙ୍ଗା ପର୍ଯ୍ୟନ୍ତ ବିସ୍ତୃତ ସମଗ୍ର ଦେଶ ଜୟ କରି ଗଙ୍ଗାନଦୀରେ ପ୍ରସିଦ୍ଧ ତ୍ରିବେଣୀଘାଟ ନିର୍ମାଣ କରିଥିଲେ । ଲୋକେ କହନ୍ତି, ତାଙ୍କ ମାତାଙ୍କ ଅନୁରୋଧ ରକ୍ଷା କରିବା ନିମନ୍ତେ ସେ ଗଙ୍ଗାରୁ ଗୋଟିଏ ଧାର ଆଣି ପୁରୀ ବାଟେ ସମୁଦ୍ରରେ ପକାଇବାକୁ ସ୍ଥିର କରିଥିଲେ । ଈଶ୍ୱର ତାଙ୍କୁ ଦୀର୍ଘାୟୁ କରିଥିଲେ ସେ ଏହି କାର୍ଯ୍ୟ ସମ୍ପନ୍ନ କରିପାରିଥାନ୍ତେ । ତାହାହେଲେ ପୁରୀର ମାହାତ୍ମ୍ୟ ବହୁଗୁଣରେ ବୃଦ୍ଧିପ୍ରାପ୍ତ ହୋଇଥାନ୍ତା । କିନ୍ତୁ ଯେଉଁ କାର୍ଯ୍ୟ କରିବାକୁ ଈଶ୍ୱର ଅନିଚ୍ଛୁକ, ମନୁଷ୍ୟଦ୍ୱାରା ସେ କାର୍ଯ୍ୟ ହୋଇ ପାରେ କି ?

 

କୌଣସି କୌଣସି ଐତିହାସିକଙ୍କ ମତରେ ବୈଷ୍ଣବ-ଧର୍ମ ଓଡ଼ିଶାର ପତନର ମୂଳ କାରଣ । ସେମାନେ କହନ୍ତି, ବୈଷ୍ଣବ-ଧର୍ମ ଗ୍ରହଣ କରିବା ହେତୁରୁ ଲୋକେ ଯୁଦ୍ଧ-ବିଦ୍ୟାରେ ବୀତଶ୍ରଦ୍ଧ ହୋଇ ପଡ଼ିଲେ । ସର୍ବଦା ହରି-ନାମ-ସଂକୀର୍ତ୍ତନରେ ସେମାନଙ୍କ ସମୟ ଅତିବାହିତ ହେଲା । ଐତିହାସିକମାନଙ୍କର ଏ ବ୍ୟାଖ୍ୟା ସଂପୂର୍ଣ୍ଣ ହାସ୍ୟାସ୍ପଦ । ଧର୍ମ କୌଣସି ଯୁଗରେ କୌଣସି ଦେଶର ପତନର କାରଣ ହୋଇନାହିଁ । ପ୍ରକୃତ କଥା ଏହି ଯେ, ଉତ୍କଳଦେଶ ବହୁସଂଖ୍ୟକ କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହେବାଯୋଗୁଁ ଦୁର୍ବଳ ହୋଇ ପଡ଼ିଲା । ପୁଣି ଜଣେ ମନ୍ତ୍ରୀ ସିଂହାସନର ଅଧିକାରୀ ଥିବା କଥା ଅନେକ ସାମନ୍ତ ରାଜାଙ୍କୁ ଅସହ୍ୟ ହେଲା । ଏଣୁକରି ସେମାନେ ବିଦ୍ରୋହାଚରଣ କଲେ-। ଦେଶରେ ଏକତାର ଅଭାବ ହେବାରୁ ପ୍ରକୃତ ଦୁର୍ବଳତା ଜାତ ହେଲା ।

 

ମୁକୁନ୍ଦଦେବଙ୍କ ରାଜତ୍ୱ ସମୟରେ ଉତ୍କଳରେ ସୌର୍ଯ୍ୟର ଅଭାବ ନଥିଲା । ମୁକୁନ୍ଦଦେବ ନିଜେ ଦିଗ୍‌ବିଜୟୀ ବୀରପୁରୁଷ ଥିଲେ । ତାଙ୍କ ସମୟରେ ଧର୍ମ-କ୍ଷେତ୍ରରେ ଓ ଯୁଦ୍ଧ-କ୍ଷେତ୍ରରେ ଉତ୍କଳ ଅନନ୍ୟସାଧାରଣ ଖ୍ୟାତି ଲାଭ କରିଥିଲା । ଆମ୍ଭେମାନେ ଏଥିପୂର୍ବେ ଏଥିର ପରିଚୟ ପ୍ରଦାନ କରିଅଛୁ ।

 

ଯେତେବେଳେ ରାଜା ମୁକୁନ୍ଦଦେବ କଳା ପାହାଡ଼ ମୁଖରୁ ଶୁଣିଲେ ଯେ ସେ ତାଙ୍କ ପ୍ରଶ୍ନର ଉତ୍ତର ଯୁଦ୍ଧ-କ୍ଷେତ୍ରରେ ଦେବେ, ସେତେବେଳେ ତାଙ୍କର ବୁଝିବାକୁ ଆଉ ବାକି ରହିଲା ନାହିଁ ଯେ ସୁଲତାନ୍‌ ସୁଲେମାନଙ୍କ ସଙ୍ଗେ ଯୁଦ୍ଧ କରିବାକୁ ବିପୁଳ ଆୟୋଜନ ଆବଶ୍ୟକ ହେବ । କିନ୍ତୁ ସେ ଏକାକୀ ବିଜୟୀ ଯବନ-ବାହିନୀ ବିରୁଦ୍ଧରେ ଛିଡ଼ା ହୋଇ ପାରିବେ କି ? ସମଗ୍ର ଦେଶର ସମ୍ମିଳିତ ଚେଷ୍ଟା ହୋଇଥିଲେ କଳାପାହାଡ଼ଙ୍କର ସାଧ୍ୟ ନ ଥିଲା ଯେ, ସେ ଉତ୍କଳରେ ପ୍ରବେଶ ଲାଭ କରି ପାରିଥାନ୍ତେ । କିନ୍ତୁ ଉତ୍କଳ ପ୍ରତି ବିଧାତା ବାମ ହୋଇ ସାରିଥିଲେ । ଏଣୁକରି ରାଜା ମୁକୁନ୍ଦଦେବଙ୍କୁ ଏକାକୀ ଯୁଦ୍ଧ କରିବାକୁ ପଡ଼ିଥିଲା । କଳା ପାହାଡ଼ ମାର୍ଗରେ ଯତ୍‌ସାମାନ୍ୟ ବିଘ୍ନ ଅତିକ୍ରମ କରି ଯାଜପୁରରେ ପ୍ରବିଷ୍ଟ ହେଲେ ।

 

କଳା ପାହାଡ଼ ଓ ମୁକୁନ୍ଦଦେବଙ୍କ ମଧ୍ୟରେ ଭୀଷଣ ସଂଗ୍ରାମ ଆରମ୍ଭ ହେଲା । ଯୁଦ୍ଧର ବିସ୍ତୃତ ବିବରଣୀ ଇତିହାସରେ ପ୍ରାପ୍ତବ୍ୟ । ଏଠାରେ କେବଳ ଏତିକି କହିଲେ ଯଥେଷ୍ଟ ହେବ ଯେ, ଯୁଦ୍ଧରେ ମୁକୁନ୍ଦଦେବଙ୍କର ମୃତ୍ୟୁ ହେଲା ଏବଂ ତାଙ୍କ ମୃତ୍ୟୁ ସଙ୍ଗେ ସଙ୍ଗେ ଓଡ଼ିଶାର ଗୌରବ-ରବି ଚିରକାଳ ନିମନ୍ତେ ଅସ୍ତମିତ ହେଲା ।

 

କଳା ପାହାଡ଼ଙ୍କ ଓଡ଼ିଶା ଆକ୍ରମଣ ବିଷୟ ଭାବିଲେ ହୃଦୟ ଅବସାଦରେ ପୂର୍ଣ୍ଣ ହୁଏ । ସେ ଓଡ଼ିଶାରେ ଯେତେ ହିନ୍ଦୁ ମନ୍ଦିର ଓ ଦେବଦେବୀ-ମୂର୍ତ୍ତି ଧ୍ୱଂସ କରିଅଛନ୍ତି, ତାହା ବହୁ ଶତାବ୍ଦୀରେ ସୁଦ୍ଧା ପୂର୍ଣ୍ଣ ହୋଇ ପାରିବ ନାହିଁ । ବିଶେଷତଃ ସେ ପୁରୀ-ମନ୍ଦିରର ବିଗ୍ରହକ୍ରୟର ଯେଉଁ ଦୁରବସ୍ଥା ଘଟାଇଅଛନ୍ତି, ତାହା କଦାପି ଭୁଲି ହେବ ନାହିଁ ।

 

 

ଆଜି ମୁକୁନ୍ଦଦେବଙ୍କ ରାଣୀଙ୍କ ଅନ୍ତଃପୁରରେ ଅତିଥି-ଅଭ୍ୟର୍ଥନାର ବିପୁଳ ଆୟୋଜନ ହୋଇଅଛି । ବିଜୟୀ କଳା ପାହାଡ଼ ଯାଜପୁର ଦୁର୍ଗ ଅଧିକାର କରି ରାଣୀଙ୍କଦ୍ୱାରା ଅଭ୍ୟର୍ଥିତ ହେବାକୁ ଇଚ୍ଛା ପ୍ରକାଶ କରିବାରୁ ରାଣୀ ରାଜୋଚିତ ସମ୍ମାନରେ ତାଙ୍କୁ ସତ୍କାର କରିବା ନିମନ୍ତେ ସକଳ ପ୍ରକାର ବନ୍ଦୋବସ୍ତ କରିଅଛନ୍ତି । କଳା ପାହାଡ଼ଙ୍କ ଆଶା ଫଳବତୀ ହୋଇଅଛି । ସବୁବେଳେ ପ୍ରଥମ ଦର୍ଶନ-କଥା ତାଙ୍କ ସ୍ମୃତି-ପଟରେ ନାଚୁଅଛି । ଆହା ! କି ସୁନ୍ଦର ମୁଖଟି ! ସଂସାର-ମରୁଭୂମିରେ ଏହି ମୁଖ ଏକମାତ୍ର ଆଶା-ମରୀଚିକା । ଏହା ସୌନ୍ଦର୍ଯ୍ୟ ଲୋଭରେ ତ କଳା ପାହାଡ଼ଙ୍କ ସମସ୍ତ କଷ୍ଟସ୍ୱୀକାର । ଲୋକେ ଜାଣନ୍ତି, କଳାପାହାଡ଼ ହିନ୍ଦୁଧର୍ମ-ବିରୁଦ୍ଧରେ ଅଭିଯାନ କରିଥିଲେ । କିନ୍ତୁ ଅସଲ କଥା ଅଧିକାଂଶ ଲୋକ ଜାଣନ୍ତି ନାହିଁ । ହିନ୍ଦୁ ଧର୍ମର ଉଚ୍ଛେଦ-ସାଧନ ଗୋଟିଏ ବ୍ୟପଦେଶ ମାତ୍ର । ଯାହା ହିନ୍ଦୁର ପ୍ରାଣରୁ ଅଧିକ, ଯହିଁ ନିମନ୍ତେ ଅସଂଖ୍ୟ ହିନ୍ଦୁ ନରନାରୀ ଅକାତରରେ ପ୍ରାଣ ବିସର୍ଜନ କରିଅଛନ୍ତି, ସେହି ସତୀତ୍ୱ-ରତ୍ନ ଲୁଣ୍ଠନ କରିବା ନିମନ୍ତେ କଳା ପାହାଡ଼ ଯେ ଓଡ଼ିଶା ବିରୁଦ୍ଧରେ ଖଡ୍ଗ ଉତ୍ତୋଳନ କରିଥିଲେ, ଏ କଥା କିମ୍ବଦନ୍ତୀର କ୍ଷୁଦ୍ର ସୀମାମଧ୍ୟରେ ଆବଦ୍ଧ ରହିଅଛି । ଇତିହାସ ଏ କଥା ଜାଣେ ନାହିଁ କିମ୍ବା ଜାଣିବାକୁ ଚେଷ୍ଟା କରିନାହିଁ-

 

ଆଜି କଳା ପାହାଡ଼ ହୃଦୟ ଆନନ୍ଦରେ ଉଛୁଳି ଉଠୁଅଛି । ସମ୍ମୁଖରେ ଉତ୍କୃଷ୍ଟ ଖାଦ୍ୟଦ୍ରବ୍ୟ ରଖା ଯାଇଅଛି । ଆଉ ପରିବେଶିକା ସ୍ୱୟଂ ମୁକୁନ୍ଦଦେବଙ୍କ ରାଣୀ । ଯେଉଁ ମୁଖ ଦର୍ଶନ ନିମନ୍ତେ କଳାପାହାଡ଼ ଏତେଦୂର ଆସି ଅଛନ୍ତି, ସେହି ସୁନ୍ଦର ମୁଖଟି ଆଜି ତାଙ୍କ ସମ୍ମୁଖରେ-। ସେହି ମୁଖ ଦେଖି ସେ ମନେ ମନେ କେତେ ଆକାଶ-କୁସୁମ ତୋଳୁ ଅଛନ୍ତି । ଏହି ଭୁବନ-ମୋହିନୀ ତାଙ୍କ ଅଙ୍କ-ଶାୟିନୀ ହେବେ, ଏଥିରୁ ବଳି ସୁଖକର କଥା କଳା ପାହାଡ଼ଙ୍କ ପକ୍ଷରେ ଆଉ କ’ଣ ହୋଇପାରେ ?

 

କିନ୍ତୁ ଏ କ’ଣ ? ରାଣୀ ସହସା ଅନ୍ତର୍ହିତା ହେଲେ କାହିଁକି ? କଳା ପାହାଡ଼ ତ ଏହା ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ ! ତେବେ କ’ଣ ତାଙ୍କର ସମସ୍ତ କଷ୍ଟ ବିଫଳ ହେବ ?

 

ରାଣୀଙ୍କ ତିରୋଧାନର ଅବ୍ୟବହିତ ପରେ ଗୋଟିଏ ଦାସୀ ଆସି କଳା ପାହାଡ଼ ସମ୍ମୁଖରେ ଉପସ୍ଥିତ ହେଲା । ତାକୁ ପଚାରି କଳା ପାହାଡ଼ ଅବଗତ ହେଲେ ଯେ, ରାଣୀ ପରିଚ୍ଛଦ ପରିବର୍ତ୍ତନ କରିବାକୁ କକ୍ଷାନ୍ତରକୁ ଯାଇଅଛନ୍ତି । ଉତ୍କଳ-ବିଜୟୀ ବୀରପୁରୁଷଙ୍କୁ ଅଭ୍ୟର୍ଥନା କରିବା ନିମନ୍ତେ ରାଣୀ ତାଙ୍କର ଶ୍ରେଷ୍ଠ ବସନ-ଭୂଷଣ ବ୍ୟବହାର କରିବେ । ଦାସୀଠାରୁ ଏ ସମ୍ବାଦ ପାଇ କଳା ପାହାଡ଼ ଆନନ୍ଦ-ସାଗରରେ ମଗ୍ନ ହେଲେ । ପାପୀ ବାରମ୍ବାର ନୈରାଶ୍ୟର ଚିତ୍ର ଦେଖିଲେ ସୁଦ୍ଧା କଦାପି ହତାଶ ହୁଏ ନାହିଁ । ସାମାନ୍ୟ ଆଶାର କଥାରେ ଆଶ୍ୱସ୍ତ ହୋଇ ମନକୁ ପ୍ରବୋଧ ଦିଏ-। କବି ଗଙ୍ଗାଧର ଏ ସମ୍ୱନ୍ଧରେ ଯଥାର୍ଥ କହିଅଛନ୍ତି–

 

‘‘ତା’ ହୃଦକୁ ଆସେ ଯେବେ ନୈରାଶ୍ୟ ଦଉଡ଼ି,

ମାୟାବିନୀ ଆଶା ଦିଏ ତ୍ୱରିତ ଘଉଡ଼ି ।’’

 

ରାଣୀଙ୍କୁ ଯଥାଯୋଗ୍ୟ ସମ୍ମାନ କରିବା ନିମନ୍ତେ କଳା ପାହାଡ଼ ନିଜକୁ ପ୍ରସ୍ତୁତ କରିବାକୁ ଲାଗିଲେ । କିନ୍ତୁ ରାଣୀ ଆସୁ ନାହାନ୍ତି କାହିଁକି ? ସମଗ୍ର ରାଜପ୍ରାସାଦ ନିଃଶବ୍ଦ ହୋଇଅଛି କାହିଁକି-? କଳା ପାହାଡ଼ଙ୍କୁ ପ୍ରତୀୟମାନ ହେଲା, ଯେପରି ରାଜପ୍ରାସାଦ ଜନ-ମାନବ-ଶୂନ୍ୟ ହୋଇଅଛି ରାଜପ୍ରାସାଦର କାର୍ଯ୍ୟାବଳୀ ଯେପରି କଳଦ୍ୱାରା ପରିଚାଳିତ ହେଉଅଛି । ସେ ବାରମ୍ବାର ଦାସୀକୁ ପଚାରୁଅଛନ୍ତି, ‘‘ରାଣୀ କୁଆଡ଼େ ଗଲେ ?’’ ଦାସୀର ସବୁବେଳେ ଏକମାତ୍ର ଉତ୍ତର, ‘‘ରାଣୀ ବେଶ ବଦଳାଇବାକୁ ଯାଇଅଛନ୍ତି ।’’

 

ବେଶ ବଦଳାଇବା ନିମନ୍ତେ ତ ଏତେ ସମୟ ଆବଶ୍ୟକ ହୁଏ ନାହିଁ । ତେବେ ରାଣୀ ଏତେ ବିଳମ୍ବ କଲେ କାହିଁକି ? କ୍ରମଶଃ ବିଳମ୍ବ ଅସହ୍ୟ ହୋଇ ପଡ଼ିଲା । ନାଗରବର ଅଭିସାର ମନ୍ଦିରରେ ଆଉ କେତେ କାଳ ଅପେକ୍ଷା କରି ରହିବେ ? ଦେଖୁ ଦେଖୁ ତାଙ୍କର ଧୈର୍ଯ୍ୟଚ୍ୟୁତି ସଂଘଟିତ ହେଲା । ସେ ଆଉ ସ୍ଥିର ହୋଇ ରହି ପାରିଲେ ନାହିଁ-ଦାସୀର ନିଷେଧ ସତ୍ତ୍ୱେ ବହିର୍ମନ୍ଦିରକୁ ପ୍ରସ୍ଥାନ କଲେ ।

 

 

ବୈତରଣୀ-ଘାଟରେ ଏ କି କୋଳାହଳ ? ରାଜଅନ୍ତଃପୁରର ରମଣୀଗୁଡ଼ିକ ବହୁମୂଲ୍ୟ ବସନ-ଭୂଷଣ ପରିଧାନ କରି ସପ୍ତମାତୃକା ଘାଟରେ ଦଣ୍ଡାୟମାନ ହୋଇଅଛନ୍ତି । ସମସ୍ତେ ଆକୁଳାୟିତକୁନ୍ତଳା, ସମସ୍ତଙ୍କ ମୁଖରେ ହର୍ଷ ଓ ବିଷାଦର ଚିହ୍ନ ଯୁଗପତ୍‌ ଦେଖା ଯାଉଅଛି । ରମଣୀମାନଙ୍କ ନେତୃତ୍ୱ ଗ୍ରହଣ କରି ରାଣୀ ସ୍ୱୟଂ ତ୍ରିଶୂଳ ହସ୍ତରେ ଛିଡ଼ା ହୋଇ ଅଛନ୍ତି ।

 

ହଠାତ୍‌ ଘାଟରେ ନିସ୍ତବ୍ଧତା ଭଙ୍ଗ କରି ରାଣୀ ସଙ୍ଗୀତ ଆରମ୍ଭ କଲେ । କି ହୃଦୟସ୍ପର୍ଶୀ ସେ ସଙ୍ଗୀତ ! ସଙ୍ଗୀତର ପ୍ରତ୍ୟେକ ମୂର୍ଚ୍ଛନାରୁ ସୁଧା ନିଃସୃତ ହୋଇ ଆକାଶକୁ ଅପୂର୍ବ ରସରେ ପ୍ଳାବିତ କରୁଥିଲା । ରାଣୀଙ୍କ ସଙ୍ଗେ ଅପର ରମଣୀମାନେ ମଧ୍ୟ ସଙ୍ଗୀତରେ ଯୋଗଦାନ କଲେ । ସେମାନେ ଗୀତ ଗାଇ ଗାଇ ବୃତ୍ତାକାରରେ ସାତଥର ପ୍ରଦକ୍ଷିଣ କଲେ ଓ ନଦୀ କୂଳରେ ସରଳରେଖାକ୍ରମେ ଛିଡ଼ା ହେଲେ । ରମଣୀମାନଙ୍କୁ ଲକ୍ଷ୍ୟ କରି ରାଣୀ କହିଲେ–

 

‘‘ଭଉଣୀମାନେ, ଆଜି ଆମ୍ଭମାନଙ୍କର ସୁଦିନ ଉପସ୍ଥିତ । ରମଣୀର କର୍ତ୍ତବ୍ୟ ସାଧନ କରିବାକୁ ଭଗବାନ୍‌ ଆମ୍ଭମାନଙ୍କୁ ସୁଯୋଗ ଦେଇ ଅଛନ୍ତି । ପୁରୁଷମାନେ ଯୁଦ୍ଧକ୍ଷେତ୍ରରେ ପ୍ରାଣବଳି ଦେଇ ପୂର୍ବପୁରୁଷମାନଙ୍କ ଗୌରବ ରକ୍ଷା କରିଅଛନ୍ତି । ବର୍ତ୍ତମାନ ଆମ୍ଭମାନଙ୍କ ଗୌରବ-ରକ୍ଷାର ସମୟ ଉପସ୍ଥିତ ହୋଇଅଛି । ତୁମ୍ଭେମାନେ ଯଦି ବୀରରମଣୀ ପ୍ରାୟ ବୈତରଣୀର ପୂତ ସଲିଳରେ ଝାସ ଦେବାକୁ ଇଚ୍ଛା କର, ତାହାହେଲେ ଆସ ମାତୃକ୍ରୋଡ଼କୁ ଗଲାପରି ବୈତରଣୀର ଅଗାଧ ଜଳରେ ଲୀନ ହେବା । ନତୁବା ଯଦି ଯବନର ଅଙ୍କବିହାରିଣୀ ହେବାକୁ ଇଚ୍ଛା କର, ତାହାହେଲେ ଏଠାରୁ ପ୍ରତ୍ୟାବୃତ୍ତ ହୁଅ । ଗୌରବ-ମୃତ୍ୟୁ ଓ ଯବନର କୁସୁମ-ତଳ୍ପ ଏ ଦୁଇଟିରୁ ଗୋଟିଏ ବାଛି ନେବାକୁ ହେବ । ପୂର୍ବ ପୁରୁଷଗଣଙ୍କ ପବିତ୍ର ନାମରେ ଶପଥ କରି କହ, ତୁମ୍ଭେମାନେ କ’ଣ କାମନା କରୁଅଛ ?’’

 

ରମଣୀମାନେ ଏକସ୍ୱରରେ ଉତ୍ତରକଲେ, ‘‘ଆମ୍ଭେମାନେ ଗୌରବ ମୃତ୍ୟୁ କାମନା କରୁଅଛୁ ।’’

 

ରାଣୀ ପୂର୍ବବତ୍‌ ମଧୁର ଗମ୍ଭୀର ସ୍ୱରରେ କହିଲେ, ‘‘ଉତ୍ତମ । ଯଦି ଗୌରବ-ମୃତ୍ୟୁ ଇଚ୍ଛାକର, ତାହାହେଲେ ବୋଲ, ଦିଗବିଦିଗ ପ୍ରକମ୍ପିତ କରି ବୋଲ, ଯବନର କର୍ଣ୍ଣ ବଧିର କରି ବୋଲ, ‘ଜୟ ଉତ୍କଳର ଜୟ’ ।’’ ରାଣୀଙ୍କ ମୁଖର ବାକ୍ୟ ନସରୁଣୁ ରମଣୀମାନେ ଉତ୍କଳର ଜୟ-ନାଦରେ ଆକାଶ ବିଦୀର୍ଣ୍ଣ କଲେ । ପ୍ରଥମେ ରାଣୀ ଉତ୍କଳର ଜୟଗାନ କରି ନଦୀରେ ଝାସ ଦେଲେ । ତାଙ୍କ ପଛେ ପଛେ ଅନ୍ୟାନ୍ୟ ରମଣୀମାନେ ମଧ୍ୟ ନଦୀରେ ଝାସ ଦେଲେ ।

 

ସାବଧାନ କଳା ପାହାଡ଼ ! ଏ ମହିମାମୟ ଦୃଶ୍ୟରେ ବିଘ୍ନ ଉପସ୍ଥିତ କରନାହିଁ । ଦେଖ, ମାନସ-ଚକ୍ଷୁ ଉନ୍ମୀଳନ କରି ଦେଖ, ତୁମ୍ଭ ହିନ୍ଦୁ ରମଣୀମାନେ କିପରି ମରି ଜାଣନ୍ତି । ତୁମ୍ଭେ ଯେଉଁ ଧର୍ମ ବିରୁଦ୍ଧରେ, ଯେଉଁ ଧର୍ମର ସତୀତ୍ୱ ବିରୁଦ୍ଧରେ ଖଡ୍ଗ ଧାରଣ କରିଅଛି, ସେହି ଧର୍ମର ମହତ୍ତ୍ୱ ହୃଦୟଙ୍ଗମ କରି ବର୍ତ୍ତମାନ ହେଲେ ଅନୁତପ୍ତ ହୁଅ । କିନ୍ତୁ ସେ ସ୍ୱର୍ଗୀୟଦୃଶ୍ୟ ଆଉ ନାହିଁ । ଦେଖୁ ଦେଖୁ ରମଣୀମାନେ ବୈତରଣୀର ଅତଳସ୍ପର୍ଶୀ ଜଳରେ ବିଲୀନ ହୋଇଗଲେ । ଓଡ଼ିଶାର ଗୌରବ-ପ୍ରଦୀପ ନିର୍ବାପିତ ହେଲା । ଓଡ଼ିଶାର ଉତ୍ଥାନ ଯେପରି ଗୌରବମୟ, ତାହାର ପତନ ମଧ୍ୟ ସେହିପରି ଗୌରବମୟ ।

 

 

ଆମ୍ଭମାନଙ୍କ ବକ୍ତବ୍ୟ ଶେଷ ହୋଇଅଛି । କିନ୍ତୁ ପାଠକମାନଙ୍କ ନିକଟରୁ ବିଦାୟ ନେବା ପୂର୍ବରୁ ଆମ୍ଭେମାନେ ଉପସଂହାରରେ ଆଉ ଦୁଇ ଚାରି କଥା କହିବାକୁ ଇଚ୍ଛା କରୁ ।

କଳାପାହାଡ଼ ସମ୍ୱନ୍ଧରେ ଗୋଟିଏ ବିଚିତ୍ର ପ୍ରବାଦ ପ୍ରଚଳିତ ଅଛି । ସେ ଥରେ ତାଙ୍କ ‘‘ମା’’ଙ୍କୁ ପଚାରିଲେ, ‘‘ମା, ସଂସାରରେ କେଉଁ କାର୍ଯ୍ୟ କଲେ ଯଶ ମିଳେ ?’’ ଜନନୀ କହିଲେ,‘‘ ଦେଉଳ ତୋଳାଇଲେ କିମ୍ବା ବାଟ ଅପରିଷ୍କାର କଲେ ।’’ କଥାର ଶେଷଭାଗଟି କଳାପାହାଡ଼ଙ୍କ ମନକୁ ପାଇଲା, ଓ ଗୁଣମଣି ପୁତ୍ର କୀର୍ତ୍ତିରକ୍ଷାର୍ଥ ପ୍ରଥମେ ଜନନୀଙ୍କୁ ହତ୍ୟା କରି ତାଙ୍କ ଚର୍ମରେ ସମର-ନିଶାଣ ନିର୍ମାଣ କଲେ । ପ୍ରବାଦଟି କେତେଦୂର ସତ୍ୟ, ଆମ୍ଭେମାନେ କହି ନପାରୁ । ବୋଧହୁଏ, ଏହା ବିଶ୍ୱାସଯୋଗ୍ୟ ନୁହେଁ । ସେ ଯାହାହେଉ, ଯେତେବେଳେ କଳାପାହାଡ଼ ଦେଖିଲେ ଯେ ତାଙ୍କ ଇଚ୍ଛା ବିଫଳ ହେଲା, ସେ ଆଉ ନୀରବରେ ସ୍ୱଦେଶକୁ ପ୍ରତ୍ୟାବୃତ୍ତ ହେବାକୁ ଇଚ୍ଛୁକ ହେଲେନାହିଁ । ଉତ୍କଳରେ ଧ୍ୱଂସ-କାର୍ଯ୍ୟ ସଂସାଧନ କରି ଇତିହାସ-ପୃଷ୍ଠାରେ ଅମର ହେବାକୁ ସଙ୍କଳ୍ପ କଲେ ।

ଯାଜପୁର ଦୁର୍ଗ ଅଧିକାର କରି ସାରିଲା ଉତ୍ତାରୁ କଳା ପାହାଡ଼ ଭୁବନେଶ୍ୱର ଅଭିମୁଖରେ ଅଗ୍ରସର ହେଲେ ଏବଂ ସେଠାରେ ସ୍ୱୟଂ ଧ୍ୱଂସ କାର୍ଯ୍ୟ ସମାପ୍ତ କରି ପୁରୀ ଅଭିମୁଖରେ ଯାତ୍ରା କଲେ । ସେ ପୁରୀ ମନ୍ଦିର ଭିତରେ ପ୍ରବେଶ-ଲାଭ କରିପାରି ନାହାନ୍ତି । ପଣ୍ଡାମାନେ ତାଙ୍କ ଆସିବା ପୂର୍ବରୁ ମନ୍ଦିରର ମୂର୍ତ୍ତିତ୍ରୟଙ୍କୁ ନେଇ ଲୁଚାଇ ରଖିଥିଲେ । କିନ୍ତୁ କଳା ପାହାଡ଼ ତହିଁର ସନ୍ଧାନ ପାଇ ପଣ୍ଡାମାନଙ୍କଠାରୁ ମୂର୍ତ୍ତିତ୍ରୟ ଛଡ଼ାଇ ଆଣି ଅଗ୍ନିରେ ଦଗ୍ଧ କଲେ । ପଣ୍ଡାମାନେ ମୂର୍ତ୍ତିଗୁଡ଼ିକର ଦଗ୍ଧାବଶେଷ ଉଦ୍ଧାର କରି ଲୁଚାଇ ରଖିବା ଉଦ୍ଦେଶ୍ୟରେ ସ୍ଥାନେ ସ୍ଥାନେ ଲୁଚି ରହିଲେ । କଳାପାହାଡ଼ ଯେତେ ଚେଷ୍ଟା କଲେ ସୁଦ୍ଧା ମୂର୍ତ୍ତିତ୍ରୟର ଲୋପ ସାଧନ କରି ପାରିଲେ ନାହିଁ ।

ଏହି ମୂର୍ତ୍ତି ଲୁଚାଇ ରଖିବା କାର୍ଯ୍ୟ ଗୋଟିଏ ବିଷମ କାଣ୍ଡ । କିମ୍ୱଦନ୍ତୀ ମୂର୍ତ୍ତିଗୁଡ଼ାକୁ କେତେ ସ୍ଥାନକୁ ଯେ ନେଇଛି, ତହିଁର ଇୟତ୍ତା ନାହିଁ । ପ୍ରତ୍ୟେକ ରାଜ୍ୟ ଏଥିରେ ନିଜର ପାରିବାପଣ ଦେଖାଇବାକୁ ଚେଷ୍ଟା କରିଅଛି । ମୂର୍ତ୍ତିଗୁଡ଼ିକ ବୁଲି ବୁଲି ଶେଷରେ ସମ୍ବଲପୁରରେ ଉପସ୍ଥିତ ହୋଇଥିବାର ପ୍ରକାଶ । ସେଠାରେ ଶଙ୍କରବନ୍ଧ ନିକଟରେ ଯୁଦ୍ଧ ହୋଇଥିଲା ଓ ଯୁଦ୍ଧରେ କଳା ପାହାଡ଼ ସମ୍ପୂର୍ଣ୍ଣରୂପେ ପରାସ୍ତ ଓ ନିହତ ହୋଇଥିଲେ ।

ସମ୍ବଲପୁର District Gazetteer ର ଲେଖକ ଏହି କିମ୍ବଦନ୍ତୀକୁ ବିଶ୍ୱାସ କରନ୍ତି ନାହିଁ । କଳାପାହାଡ଼ଙ୍କ ମୃତ୍ୟୁ ମଧ୍ୟ ଅନ୍ୟତ୍ର ହୋଇଥିବା କଥା ଇତିହାସରେ ମିଳେ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ, ଶଙ୍କରବନ୍ଧରେ ଅଦ୍ୟାବଧି ବହୁ ସଂଖ୍ୟକ ଯାବନିକ କବର ଅଛି । ପୁଣି ସମ୍ୱଲପୁରରେ ଯେପରି ସମାରୋହ ସହକାରେ ଗୁଣ୍ଡିଚା-ଯାତ୍ରା ସମ୍ପନ୍ନ ହୁଏ, ପୁରୀଛଡ଼ା ଓଡ଼ିଶାର ଆଉ କୌଣସିଠାରେ ସେପରି ହୁଏ ନାହିଁ । ଆହୁରି ମଧ୍ୟ ସମଲେଶ୍ୱରୀଙ୍କ ମନ୍ଦିରରେ ରକ୍ଷିତ ଢୋଲ କଳା ପାହାଡ଼ଙ୍କ ଚର୍ମରୁ ନିର୍ମିତ ବୋଲି କଥିତ । ଏ କିମ୍ବଦନ୍ତୀର ଐତିହାସିକତା ସପ୍ରମାଣ କରିବାକୁ ଆମ୍ଭେମାନେ ପ୍ରସ୍ତୁତ ନୋହୁଁ । ତେବେ ଏଠାରେ ଆମ୍ଭେମାନେ ଏତିକି କହିବୁ ଯେ, ଭାରତୀୟମାନେ ଯଦି ପ୍ରକୃତ ଗବେଷଣା ସହକାରେ ଭାରତର ଇତିହାସ ପବିତ୍ର ଚିତ୍ତରେ ଲେଖନ୍ତି, ତାହା ହେଲେ ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ, ଭାରତର ଇତିହାସ ଭିନ୍ନ ଆକାର ଧାରଣ କରିବ । ଆମ୍ଭେମାନେ ଚାତକ-ନୟନରେ ସେ ଶୁଭଦିନକୁ ଅନାଇ ରହିଲୁ ।

Image